ବଶିଷ୍ଠ ମୁନିଙ୍କୁ ପାଶମୁକ୍ତ କରିଥିବାରୁ ନଦୀର ନାମ ବିପାଶା

ଭାରତ ଏକ ନଦୀମାତୃକା ଦେଶ। ଏଠି ନଦୀ ଜୀବନ୍ତ ଶକ୍ତି ରୂପରେ ପରିଗଣିତ। ତେଣୁ କେଉଁଠି ଏହା କେଉଁ ପ୍ରଦେଶର ଜୀବନରେଖା ଭାବରେ କଥିତ ତ କେଉଁଠି ଏହାର ନାମାନୁସାରେ ସ୍ଥାନ ନାମାଙ୍କିତ। ସଂପ୍ରତି ପଞ୍ଜାବ ମଧ୍ୟଦେଇ ପ୍ରବାହିତ ପଞ୍ଚନଦୀ, ଯଥା- ଝେଲମ, ଚେନାବ, ରାବୀ, ବ୍ୟାସ ଓ ସତଲେଜର ନାମାନୁସାରେ ଏହି ପ୍ରଦେଶର ନାମ ହୋଇଛି ପଞ୍ଜାବ। ପୁରାଣ ଯୁଗରେ ଏହି ନଦୀମାନେ, ଇରାବତୀ, ଶତଦ୍ରୁ, ଚର୍ମଣ୍ୱତୀ, ବିତସ୍ତା ଓ ବିପାଶା ଆଦି ନାମରେ ପରିଚିତ ହୋଇ ଏକ ଏକ ମହତ୍ତ୍ୱପୂର୍ଣ୍ଣ ଉପାଖ୍ୟାନର ବାର୍ତ୍ତାବହ ଥିଲେ।

ଏହି ନଦୀମାନଙ୍କ ମଧ୍ୟରୁ ‘ବିପାଶା’ର ମହତ୍ତ୍ୱ ସଂପର୍କରେ ‘ମହାଭାରତ’ରେ ଏକ ଉପାଖ୍ୟାନ ମିଳେ। ବିଶ୍ୱାମିତ୍ରଙ୍କ ଦ୍ବାରା ପୁତ୍ରମାନେ ମୃତାହତ ହେବା ଦେଖି ମହାମୁନି ବଶିଷ୍ଠ ନିଜ ଜୀବନର ଅନ୍ତ ଘଟାଇବାପାଇଁ ମେରୁ ପର୍ବତ ଉପରେ ପହଞ୍ଚିଲେ ଏବଂ ପର୍ବତ ଉପରୁ ତଳକୁ ଡେଇଁ ପଡ଼ିଲେ। ଆଶ୍ଚର୍ଯ୍ୟର କଥା, ପର୍ବତର ନିମ୍ନଦେଶରେ ଅସଂଖ୍ୟ ଶିଳାଖଣ୍ଡ ଥିଲେ ମଧ୍ୟ ବଶିଷ୍ଠଙ୍କର କୌଣସି କ୍ଷତି ହେଲା ନାହିଁ। ଶିଳା ଖଣ୍ଡମାନ ତାଙ୍କୁ ତୁଳାଗଦି ପରି ମନେହେଲା।

ସେଥିରେ ତାଙ୍କର ଜୀବନ ନ ଯିବାରୁ, ସେ ବନ ମଧ୍ୟରେ ପ୍ରଜ୍ୱାଳିତ ଦାବାନଳ ମଧ୍ୟରେ ପ୍ରବେଶ କଲେ। କିନ୍ତୁ ଦାବାନଳ ମଧ୍ୟ ବଶିଷ୍ଠଙ୍କୁ ଜାଳିବାକୁ ସମର୍ଥ ହେଲାନାହିଁ। ତେଣୁ ମହର୍ଷି ନିଜ ବେକରେ ଏକ ବିରାଟ ପ୍ରସ୍ତର ଖଣ୍ଡ ବାନ୍ଧି ସମୁଦ୍ର ଜଳରେ ଝାସ ଦେଲେ। କିନ୍ତୁ ସମୁଦ୍ର ତାଙ୍କୁ ବୁଡ଼େଇ ନମାରି କୂଳରେ ଆଣି ଛାଡ଼ିଦେଲା।

କୌଣସି ଉପାୟରେ ମୃତ୍ୟୁ ନହେବା ଦେଖି ବଶିଷ୍ଠ ଆଶ୍ରମକୁ ଫେରିଆସିଲେ। କିନ୍ତୁ ଶୂନ୍ୟ ଆଶ୍ରମ ତାଙ୍କୁ କଷ୍ଟ ଦେବାରୁ ପୁନଶ୍ଚ ସେ ଆତ୍ମହତ୍ୟା କରିବାକୁ ବାହାରିପଡ଼ିଲେ। ହିମାଳୟରୁ ବାହାରିଥିବା ଏକ ସର୍ପ ଓ କୁମ୍ଭୀର ଶଙ୍କୁଳ ଭୟଙ୍କର ନଦୀ ଦେଖି ତା’ ଭିତରକୁ ଡେଇଁ ପଡ଼ିବାକୁ ଚାହିଁଲେ। କିନ୍ତୁ ନଦୀ ତାହା ଦେଖି ତାର ଜଳଧାରକୁ ସହସ୍ର ଭାଗରେ ବିଭକ୍ତ କରି ଶିଳା ଶଯ୍ୟା ଦେଇ ବହିବାକୁ ଲାଗିଲା। ସେଠାରୁ ନିରାଶ ହୋଇ ଚାଲୁଚାଲୁ ବଶିଷ୍ଠ ବର୍ଷାଜଳରେ ପରିପୂର୍ଣ୍ଣା ଏକ ନଦୀକୁ ଦେଖିଲେ। ତାହା ଦେଖି ମହାମୁନି ନିଜ ଶରୀରକୁ ପାଶବିଦ୍ଧ କରି ସେହି ଜଳରେ ପ୍ରବେଶ କଲେ। ନଦୀ କିନ୍ତୁ ବଶିଷ୍ଠଙ୍କୁ ବନ୍ଧନମୁକ୍ତ କରି କୂଳରେ ଆଣି ପହଞ୍ଚାଇ ଦେଲା। ଫଳରେ ବଶିଷ୍ଠ ସେହି ନଦୀର ନାମ ‘ବିପାଶା’ ରଖିଲେ ଏବଂ ତାହାର ତୀରରେ ଏକ ଆଶ୍ରମ କରି ରହିଲେ। ସେହିଦିନଠାରୁ ବିପାଶା ଏକ ପୁଣ୍ୟତୋୟା ନଦୀ ଭାବରେ ପରିଗଣିତ ହେଉଛି। ଏବେ ବି ସେଠାରେ ବ୍ରହ୍ମର୍ଷି ବଶିଷ୍ଠଙ୍କର ମନ୍ଦିର ରହିଛି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର