ପାର୍ଟିଓୟାରରେ ନୂଆ ଟ୍ରେଣ୍ଡ୍‌: ଗାଉନ୍‌, କାରୁକାର୍ଯ୍ୟ ଖଚିତ ଶାଢ଼ି ଓ ପାଶ୍ଚାତ୍ୟ ଶୈଳୀର ପୋଷାକର ଆଦର ବେଶୀ

ଭୁବନେଶ୍ବର: ଆଜିକାଲି ପରିବାରରେ ଏବଂ ସମାଜରେ ଏକାଧିକ ପାର୍ଟି ଆୟୋଜନ କରାଯାଉଛି। ପାର୍ଟିକୁ ଯିବା ପାଇଁ ବଜାରରେ ପୂର୍ବରୁ ସ୍ବତନ୍ତ୍ର ଧରଣର ପୋଷାକ ଓ ଶାଢ଼ି (ପାର୍ଟିଓୟାର) ଉପଲବ୍ଧ ହେଉଛି। ବିଶେଷକରି ମହିଳାଙ୍କ ପାଇଁ ‌ବିଭିନ୍ନ ପ୍ରକାରର କୁର୍ତ୍ତି, ଗାଉନ୍, ଟ୍ରାଉଜର୍‌ ସେଟ୍‌, ଜିନ୍ସ, ଡେନିମ୍‌, ଶାଢ଼ି, ଟପ୍ସ, ମିଡି ଆଦି ମିଳୁଛି। ନିର୍ବନ୍ଧ, ବାହାଘର, ସଂଗୀତ କାର୍ଯ୍ୟକ୍ରମ କିମ୍ବା ସଭା ସମିତିରେ ଏସବୁ ପୋଷାକ ଓ ଶାଢ଼ି ମହିଳାମାନେ ସ୍ବତନ୍ତ୍ର ଭାବେ ପିନ୍ଧୁଛନ୍ତି। ବଜାରରେ ମଧ୍ୟ ଭଳିକି ଭଳି ଡିଜାଇନ୍‌, ଲୁକ୍‌, ଫେସନ୍‌ର ପୋଷାକ ଓ ଶାଢ଼ି ସ୍ବତନ୍ତ୍ର ଭାବେ ମିଳିଯାଉଛି। ରାଜଧାନୀର ବଡ଼ ବଡ଼ ସୋରୁ’ମ୍‌ରେ ପାର୍ଟିଓୟାର କଲେକ୍ସନ ମଧ୍ୟ ଉପଲବ୍ଧ କରାଗଲାଣି।

ଗାଉନ୍‌ ଚାହିଦା ଅଧିକ
ବିଶେଷକରି ମହିଳାଙ୍କ ପାର୍ଟିଓୟାରକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ସେଥିରୁ ଗୋଟିଏ ଏଥନିକ୍‌ କଲେକ୍ସନ ହୋଇଥିବାବେଳେ ଅନ୍ୟଟି ୱେଷ୍ଟର୍ଣ୍ଣ ବା ପାଶ୍ଚାତ୍ୟ କଲେକ୍ସନ। ଏଥ୍‌ନିକ୍‌ କଲେକ୍ସନରେ ଡ୍ରେସ ପିନ୍ଧିବାକୁ ଭଲ ପାଉଥିବା ମହିଳାଙ୍କ ପାଇଁ ପ୍ଲାଜୋ ସାରାରା, ଟ୍ରାଉଜର ସେଟ୍ସ, ଗାଉନ୍‌, ସ୍କର୍ଟ ଟପ୍‌, ଲଙ୍ଗ୍ କୁର୍ତ୍ତି, ସର୍ଟ କୁର୍ତ୍ତିର ଚାହିଦା ଅଧିକ ରହିଛି। ପଣ୍ଡା ଲାଇଫ୍‌ ‌ଷ୍ଟାଇଲ୍‌ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ପୂର୍ବରୁ ବାହାଘର ଓ ନିର୍ବନ୍ଧ ପାଇଁ ଝିଅମାନେ ଲେହେଙ୍ଗା ନେଉଥିବାବେଳେ ଏବେ ଗାଉନ୍‌ ଅଧିକ ମାତ୍ରାରେ ନେଉଛନ୍ତି। ମୁଖ୍ୟତଃ ନିର୍ବନ୍ଧରେ ଝିଅମାନେ ଗାଉନ୍‌ ପିନ୍ଧୁଛନ୍ତି ବୋଲି ସେ କୁହନ୍ତି। ଗାଉନ୍‌ର ଦାମ୍‌ ୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ସେହିଭଳି ଟ୍ରାଉଜର ସେଟ୍‌ର ସର୍ବନିମ୍ନ ମୂଲ୍ୟ ୨୫୦୦ ଟଙ୍କା, ସ୍କଟ୍‌ ଟପ୍‌ର ସର୍ବନିମ୍ନ ମୂଲ୍ୟ ୩ ହଜାର ଟଙ୍କା ରହିଛି। ସେହିଭଳି ଲଙ୍ଗ୍‌ କୁର୍ତ୍ତିର ମୂଲ୍ୟ ୫ ହଜାର ଟଙ୍କାରୁ ଓ ସର୍ଟ କୁର୍ତ୍ତିର ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ ହୋଇଛି। ବିଭିନ୍ନ ସୋ’ରୁମ୍‌ରେ ଏହାର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଅବଶ୍ୟ ଭିନ୍ନ ଭିନ୍ନ ରହିଛି।

କାରୁକାର୍ଯ୍ୟ ଖଚିତ ଶାଢ଼ି
ପାର୍ଟିରେ ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ ଏବେ ସେଲିବ୍ରେସନ୍‌ ଲୁକ୍‌ ଦେଉଥିବା ଷ୍ଟାଇଲିସ୍, ଏକ୍ସକ୍ଲୁସିଭ କଲର କମ୍ବିନେସନ ଥିବା ଡିଜାଇନର୍‌ ଶାଢ଼ି ଅଧିକ ମାତ୍ରାରେ କିଣୁଛନ୍ତି। ଏସବୁ ଶାଢ଼ି ପାଖାପାଖି ‌ଅଢ଼େଇ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ମଧ୍ୟ ମିଳିଯାଉଛି। ବି‌ଶେଷକରି ଶାଢ଼ିର କାରୁକାର୍ଯ୍ୟ ଉପରେ ଦର ନିର୍ଭର କରିଥାଏ। ଭୁବନେଶ୍ବରରେ ଏବେ ସାରାସ୍‌ ୱାର୍କ, ପାର୍ସି ୱାର୍କ, ଷ୍ଟୋନ୍‌ ୱାର୍କ ଏବଂ ଥ୍ରେଡ୍‌ ୱାର୍କ ହୋଇଥିବା ଶାଢ଼ିକୁ ମହିଳାମାନେ ପାର୍ଟିରେ ପିନ୍ଧିବାକୁ ଭଲ ପାଉଛନ୍ତି। ତେଣୁ ଏସବୁ ଡିଜାଇନ ଓ ଷ୍ଟାଇଲ୍‌ର ଶାଢ଼ି ସୋ’ରୁମ୍‌ ଗୁଡ଼ିକରେ ଉପଲବ୍ଧ କରାଯାଇଛି।

ପାଶ୍ଚାତ୍ୟ ପୋଷାକ
କମ୍‌ ବୟସର ଝିଅ ବା କିଶୋରୀଙ୍କ ମଧ୍ୟରେ ମିଡି ବା ସର୍ଟ ଫ୍ରକ୍‌ର ଚାହିଦା ଅଧିକ। ଏଥସହିତ ଫେସନଯୁକ୍ତ ଟପ୍ସ ମଧ୍ୟ କିଶୋରୀମାନେ କିଣୁଛନ୍ତି। କିଛି କିଶୋରୀ ଓ ଝିଅ ମଧ୍ୟ ଜିନ୍ସ ପୋଷାକକୁ ପାର୍ଟିଓୟାର ଭାବେ ଚୟନ କରୁଛନ୍ତି। ଜିନ୍ସରେ କ୍ରପ୍‌ ଜିନ୍ସ, ୪ଟା ବଟମ୍‌ ଥିବା ଜିନ୍ସ, ଡେନିମ୍‌ରେ ବୁଟ୍‌ କଟ୍ ଆଦି ଡିଜାଇନର ଚାହିଦା ଅଧିକ ରହିଛି। ଫୋକସ୍‌, ଡିଲ୍‌ ଓ ଚ୍ୟାନେଲ୍‌ ଏଫ୍‌ ଭଳି ବ୍ରାଣ୍ଡ୍‌ ବଜାରରେ ଉପଲବ୍ଧ ହେଉଛି। ଏସବୁ ଜିନ୍ସ ପ୍ୟାଣ୍ଟ ୯୯୯ ଟଙ୍କାରୁ ଆରମ୍ଭ ହେଉଛି।

ସମ୍ବନ୍ଧିତ ଖବର