ନବଜାତକ ଓ କରୋନା

ନବଜାତ ଶିଶୁଟିଏ ଘରକୁ ଆସିବାର ଖୁସି ଓ ଉତ୍ସାହ ମା’, ବାପା ଓ ପରିବାରର ପ୍ରତିଟି ସଦସ୍ୟ ମନରେ ଭରି ଯାଏ। କିନ୍ତୁ ଏହି କରୋନା ମହାମାରୀ ସମୟରେ ନବଜାତକର ଆଗମନରେ ଉଦ୍ଦୀପନାକୁ କରୋନା ସଂକ୍ରମଣର ଆଶଙ୍କା କିନ୍ତୁ କିଛି ପରିମାଣରେ ହ୍ରାସ କରିଦେଉଛି। ସେଥିପାଇଁ ଆମକୁ କରୋନା ଓ ନବଜାତକଙ୍କ ଉପରେ ଏହାର ପ୍ରଭାବ ସଂପର୍କରେ ଊଣା ଅଧିକେ ଜାଣିବା ଅତ୍ୟନ୍ତ ଜରୁରୀ।

ନବଜାତ ଶିଶୁମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ସମ୍ଭାବନା ବହୁତ କମ୍‌ ଏବଂ ସଂକ୍ରମିତ ନବଜାତକ କ୍ଷେତ୍ରରେ ଏହା ବହୁ ସମୟରେ ଲକ୍ଷଣହୀନ ଅଥବା ଅଳ୍ପ ଲକ୍ଷଣ ଦେଖାଇଥାଏ। ନବଜାତ ଶିଶୁମାନଙ୍କୁ କରୋନା ସଂକ୍ରମଣ ମୁଖ୍ୟତଃ ଜନ୍ମ ହେବାପରେ ମା’ କିମ୍ବା ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କ ଶ୍ବାସ ପ୍ରଶ୍ବାସରେ ବାହାରୁଥିବା କଣିକା‌(ରେସ୍‌ପିରୋଟେରୀ ଡ୍ରପ୍‌ଲେଟ୍‌) ଦ୍ବାରା ହୋଇଥାଏ। ଏ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଗବେଷଣା ଓ ତଥ୍ୟରୁ ଜଣାଯାଇଛି ଯେ, ଏହା ମା’ଠାରୁ ନବଜାତକକୁ ଗର୍ଭାଶୟରେ ଥିବାବେଳେ ମଧ୍ୟ ସଂକ୍ରମିତ କରିପାରେ। କିନ୍ତୁ ଏହା ଖୁବ୍‌ କମ୍‌ ହୋଇଥାଏ। ଯେଉଁ ନବଜାତ ଶିଶୁ ସମୟ ପୂର୍ବରୁ ଅର୍ଥାତ ୩୭ ସପ୍ତାହ ବା ୯ମାସ ପୂର୍ବରୁ ଜନ୍ମ ହୋଇଥାଏ କିମ୍ବା ଅନ୍ୟାନ୍ୟ ରୋଗ ଦ୍ବାରା ଆକ୍ରାନ୍ତ ହୋଇଥାଏ, ସେମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ସମ୍ଭାବନା ଅଧିକ।

ନବଜାତ ଶିଶୁମାନଙ୍କ କ୍ଷେତ୍ରରେ କୋଭିଡ୍‌-୧୯ର ଲକ୍ଷଣଗୁଡିକ ହେଲା ଜ୍ବର, ନାକରୁ ପାଣି ବାହାରିବା, କାଶ, ନିସ୍ତେଜ ହୋଇପଡିବା, ନିଶ୍ବାସ ପ୍ରଶ୍ବାସରେ ଅସୁବିଧା, ବାନ୍ତି, ଝାଡା, ମା’ କ୍ଷୀର ନଖାଇପାରିବା ଇତ୍ୟାଦି। କିନ୍ତୁ ଏହି ଉପରୋକ୍ତ ଲକ୍ଷଣ ଯେ କେବଳ କରୋନା ସଂକ୍ରମଣ ହେଲେ ହିଁ ହେଖାଯିବ ତା’ ନୁହେଁ। ଏସବୁ ଲକ୍ଷଣ ନବଜାତ ଶିଶୁମାନଙ୍କଠାରେ ଦେଖାଯିବାର ଅନେକ କାରଣ ରହିଛି। ଏହି ଲକ୍ଷଣ ଦେଖାଦେଲେ ଶିଶୁ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ। କାରଣ ନବଜାତକର ଜୀବନ ପ୍ରତି ଏସବୁ ଲକ୍ଷଣ ବିପଦ ସାଜିପାରେ। ଯଦି କୌଣସି ମା’ଙ୍କୁ ନବଜାତ ଶିଶୁ ଜନ୍ମ ହେବା ପୂର୍ବରୁ ବା ପରେ କୋଭିଡ୍‌-୧୯ ହୋଇଥାଏ କିମ୍ବା କୋଭିଡ୍‌-୧୯ର ଲକ୍ଷଣ ଦେଖାଯାଏ, ତେବେ ନବଜାତକର କୋଭିଡ୍‌ ପରୀକ୍ଷା ନିହାତି କରାଇବା ଆବଶ୍ୟକ। ଯଦି ନବଜାତକ ଲକ୍ଷଣଜନିତ ବା ଲକ୍ଷଣମୁକ୍ତ ମା’ଠାରୁ ଜନ୍ମ ନେଇଥାଏ ତାର ମଧ୍ୟ ପରୀକ୍ଷା ୨୪ଘଣ୍ଟା ବିତିବା ପରେ କରିବା ଆବଶ୍ୟକ। ଯଦି ଏହା ସମ୍ଭବ ହୋଇ ନଥାଏ ବା ରିପୋର୍ଟ ନେଗେଟିଭ୍‌ ଆସେ ତାହେଲେ ପୁଣି ଥରେ ୪୮ଘଣ୍ଟା ପରେ କରୋନା ପରୀକ୍ଷା କରାଇବା ଦରକାର। ଯଦି ନବଜାତ ଶିଶୁଟି ଲକ୍ଷଣ ବିହୀନ ହୋଇଥାଏ ତାହେଲେ ୨୪-୪୮ଘଣ୍ଟା ମଧ୍ୟରେ ଏହାର ପରୀକ୍ଷା କରାଇବା ଆବଶ୍ୟକ। ନବଜାତକମାନଙ୍କ କ୍ଷେତ୍ରରେ କୋଭିଡ୍‌-୧୯ ଦ୍ବାରା ସଂକ୍ରମଣ ହେବାର ହାର ପ୍ରସବ କରିବାର ପ୍ରଣାଳୀ ଉପରେ ନିର୍ଭର କରେ ନାହିଁ। ଯେ ପର୍ଯ୍ୟନ୍ତ ପରୀକ୍ଷାର ଫଳାପଳ ନ ଆସିଛି, ମା’ ଓ ନବଜାତକକୁ ଅନ୍ୟ ସୁସ୍ଥ ମା‌’ ଓ ନବଜାତକଙ୍କ ସଂସ୍ପର୍ଶରେ ଆଣିବା ଉଚିତ୍‌ ନୁହେଁ। ସେମାନଙ୍କୁ ସଙ୍ଗରୋଧରେ ରଖିବା ଆବଶ୍ୟକ।

ସମ୍ବନ୍ଧିତ ଖବର