ନୂଆଦିଲ୍ଲୀ: କ୍ରମାଗତ ଭାବେ ଅନିଦ୍ରା ରହିଲେ, ଶରୀର ଉପରେ ନାନା କୁ-ପ୍ରଭାବ ପଡ଼ିଥାଏ। ଆଜିକାଲି ନିଦ୍ରାହୀନତା ଯୋଗୁଁ ପୃଥୁଳତା ବଢ଼ୁଛି। ଏହି କାରଣରୁ ଅଣ୍ଟାରେ ଅଧିକ ମେଦ ଲାଗୁଥିବାର ଡାକ୍ତରମାନେ କହୁଛନ୍ତି।
ରାତିରେ ଅଧିକ ସମୟ ଉଜାଗର ରହିଲେ, କ୍ଷୁଧା ସୃଷ୍ଟିକାରୀ ହର୍ମୋନ୍ କ୍ଷରଣ ଅସ୍ୱାଭାବିକ ଭାବେ ବଢ଼ିଯାଏ। ଫଳରେ ଅସମୟରେ ଭୋକ ଲାଗେ। ଏ ପରିସ୍ଥିତିରେ ଖାଇଲେ ଯେତିକି ବିପଦ ହୋଇଥାଏ ନ ଖାଇଲେ ବି ସେତିକି ବିପଦ। ନିଦ୍ରାହୀନତା ଯୋଗୁଁ ଅଧିକ ଶ୍ୱେତସାରଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ। ଯେତେ ଖାଇଲେ ବି ସନ୍ତୋଷ ମିଳେନାହିଁ କି ପେଟ ବି ପୂରେ ନାହିଁ। ସୁନିଦ୍ରା କ୍ୟାଲୋରି ନଷ୍ଟ କରେ। ଆଉ ଅନିଦ୍ରା କ୍ୟାଲୋରିକୁ ମେଦରେ ପରିଣତ କରେ। ଅନିଦ୍ରା ଏକ ବଦଭ୍ୟାସ। ବ୍ୟାୟାମ ଦ୍ୱାରା ଅନିଦ୍ରା ଦୂରହୁଏ। ମେଲାଟୋନିନ୍ ହର୍ମୋନ୍ ନିଦ୍ରାହୀନତା ଦୂରକରେ। ମେଲାଟୋନିନ୍ ଶରୀର ଭିତରେ ଆପେ ସୃଷ୍ଟି ହୁଏ। ଅଧିକ ମେଲାଟୋନିନ୍ ପାଇଁ ଶୋଇବାର ଘଣ୍ଟାଏ ପୂର୍ବରୁ ନିୟମିତ ଖଟା ଚେରିକୋଳି ଖାଆନ୍ତୁ।