ସ୍ବାଧୀନତାର ୧୦୦ ମହାନାୟକ: ନୀଳକଣ୍ଠ ଦାସ

ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଶା ରାଜନୀତି କ୍ଷେତ୍ରର ଜଣେ ଅବିସ୍ମରଣୟୀ ବ୍ୟକ୍ତିତ୍ବ ଯିଏ ଜାତୀୟ ଶିକ୍ଷାର ପ୍ରସାରରୁ ଆରମ୍ଭ କରି ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରି ଓଡ଼ିଶା ଇତିହାସକୁ ଏକ ନୂଆ ମୋଡ଼ ପ୍ରଦାନ କରିଥିଲେ। ଭାରତକୁ ସ୍ବାଧୀନ କରିବା ପାଇଁ ଏହି ଆଜନ୍ମ ବିପ୍ଳବୀ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ। ୧୮୮୪ ମସିହା ଅଗଷ୍ଟ ୫ରେ ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। କଲିକତା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ଯାଏ ନୀଳକଣ୍ଠ ଜଣେ ବିଚକ୍ଷଣ ଛାତ୍ରର ପରିଚୟ ବହନ କରିଥିଲେ।

ପାଠପଢ଼ା ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ପରେ ୧୯୧୧ରେ ସେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ଭେଦଭାବଶୂନ୍ୟ ଶିକ୍ଷା ପଦ୍ଧତି ଯୋଗୁଁ ଉଚ୍ଚ ଓ ଦଳିତ ବର୍ଗର ପିଲା ଗୋଟିଏ ଛାତ୍ରାବାସରେ ରହୁଥିଲେ। ଦୀର୍ଘ ଏକ ଦଶନ୍ଧିର କଠିନ ପରିଶ୍ରମ ବଳରେ ସେ ସତ୍ୟବାଦୀ ବିଦ୍ୟାଳୟରେ ଅନେକ ସ୍ବାଧୀନତା ସଂଗ୍ରାମୀ ସୃଷ୍ଟି କରିପାରିଥିଲେ। ଏଥିପାଇଁ ସତ୍ୟବାଦୀ ବିଦ୍ୟାଳୟ ସମଗ୍ର ଦେଶରେ ସୁଖ୍ୟାତ ହୋଇଥିଲା। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ପାଇଁ ତାଙ୍କୁ ୧୯୨୨ରୁ ୧୯୩୩ ମଧ୍ୟରେ ଚାରି ଥର ଗିରଫ କରି ଜେଲ୍‌ରେ ରଖାଯାଇଥିଲା। ପ୍ରଥମ ଥର ଜେଲରୁ ମୁକ୍ତ ହୋଇ ସେ ଦେଶବନ୍ଧୁ ଚିତ୍ତରଂଜନ ଦାସଙ୍କ ସ୍ବରାଜ ଦଳରେ ଯୋଗ ଦେଇଥିଲେ।

ଏହାର ପ୍ରାର୍ଥୀ ରୂପେ କେନ୍ଦ୍ର ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହୋଇଥିଲେ। ସେଠାରେ ଶକ୍ତିଶାଳୀ ଭାଷଣ ମାଧ୍ୟମରେ ସେ ଜାତୀୟ ସ୍ତରର ନେତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ୧୯୩୧ରେ ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ସେ ପୁଣି ଥରେ ଗିରଫ ହୋଇଥିଲେ। ନୀଳକଣ୍ଠ ୧୯୩୪ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହୋଇ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ପାଞ୍ଚ ବର୍ଷ ଧରି ସେହି ପଦରେ ରହିଥିଲେ। ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ହେବା ପରେ ଆୟୋଜିତ ପ୍ରଥମ ନିର୍ବାଚନରେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବ ଏବଂ ଉଦ୍ୟମ ଯୋଗୁଁ କଂଗ୍ରେସ ଦଳ ଓଡ଼ିଶାରେ ପ୍ରଥମ ସରକାର ଗଢ଼ିପାରିଥିଲା। କିଛି ବର୍ଷ କଂଗ୍ରେସରୁ ଦୂରେଇ ରହିବା ପରେ ଜବାହରଲାଲ ନେହରୁଙ୍କ ଅନୁରୋଧ ରକ୍ଷା କରି ସେ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ।

ସେ ୧୯୫୭ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ ସକ୍ରିୟ ଥିଲେ। ୧୯୩୩-୪୫ରେ ପ୍ରସିଦ୍ଧ ‘ନବ ଭାରତ’ ପତ୍ରିକାର ସମ୍ପାଦନା ଜରିଆରେ ଓଡ଼ିଆଙ୍କ ମନରେ ଦେଶପ୍ରେମ ଜାଗ୍ରତ ପାଇଁ ଉଦ୍ୟମ କରିଥିଲେ। ‘ସମାଜ’ ଓ ‘ସତ୍ୟବାଦୀ’ର ସମ୍ପାଦନାରେ କିଛି କାଳ ସକ୍ରିୟ ଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା। ମାତୃଭୂମିର ସେବା ପାଇଁ ସମସ୍ତ ସୁଖ-ସ୍ବାଚ୍ଛନ୍ଦ୍ୟ, ଏପରିକି ସରକାରୀ ଚାକିରି ସେ ତ୍ୟାଗ କରିଦେଇଥିଲେ। ସେ ସବୁପ୍ରକାର ସାମାଜିକ କୁପ୍ରଥାକୁ ବିରୋଧ କରୁଥିଲେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେଇ ତତ୍‌କାଳୀନ ରକ୍ଷଣଶୀଳ ବ୍ରାହ୍ମଣ ସମାଜ ଦ୍ବାରା ସମାଲୋଚିତ ହୋଇଥିଲେ। ସେ ନିଜେ ଜଣେ ଜୀବନ୍ତ ଅନୁଷ୍ଠାନ ଥିଲେ।

ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା। ଓଡ଼ିଆ ସାହିତ୍ୟର କାବ୍ୟ କବିତା, ନାଟକ, ପ୍ରବନ୍ଧ ଓ ସମାଲୋଚନା ଏବଂ ଶିଶୁ ସାହିତ୍ୟ ଆଦି ପ୍ରତ୍ୟେକ ବିଭାଗରେ ସେ ଦକ୍ଷତା ଅର୍ଜନ କରିପାରିଥିଲେ। ୧୯୫୭ ମସିହାରେ ଭାରତ ସରକାର ତାଙ୍କୁ ‘ପଦ୍ମଭୂଷଣ’ ପ୍ରଦାନ କରିଥିଲେ। ୧୯୬୭ ନଭେମ୍ବର ୬ରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର