ରାତିରେ ଡେରିରେ ଶୋଉଥିବା ବ୍ୟକ୍ତିଙ୍କ ପାଇଁ ଏକ ଭଲ ଖବର! ଯଦିଓ ଶୀଘ୍ର ନିଦ୍ରା ଯାଇ ବଡ଼ି ଭୋରରୁ ଉଠିବା ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି କୁହାଯାଏ, ତେବେ ବିଳମ୍ବିତ ରାତି ଯାଏ ଅନିଦ୍ରା ରହୁଥିବା ବ୍ୟକ୍ତିମାନଙ୍କର ମସ୍ତିଷ୍କ ଅପେକ୍ଷାକୃତ ଉନ୍ନତ ଭାବେ କାମ କରେ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି।

Advertisment

ସାଧାରଣତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଥିବା ବ୍ୟକ୍ତିଙ୍କୁ ରାତ୍ରିଚର ଆଖ୍ୟା ଦିଆଯାଇଥିବା ବେଳେ ସକାଳୁ ଶୀଘ୍ର ଉଠିପଡୁଥିବା ବ୍ୟକ୍ତିଙ୍କୁ ସଅଳ ପକ୍ଷୀ ବୋଲି କୁହାଯାଏ। ଉଭୟ ଗୋଷ୍ଠୀର ସ୍ବାସ୍ଥ୍ୟାବସ୍ଥା ନେଇ ରୀତିମତ ତୁଳନା ହୋଇ ଆସୁଛି। ତେବେ ରାତ୍ରିଚରଙ୍କ ଅପେକ୍ଷା ସଅଳ ପକ୍ଷୀଙ୍କର ସ୍ବାସ୍ଥ୍ୟ ଠିକ୍ ରହିବା ସହ ସେମାନଙ୍କ ମାନସିକ ଦକ୍ଷତା ମଧ୍ୟ ଅଧିକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଭିନ୍ନ ସମୟରେ ଦାବି କରି ଆସିଛନ୍ତି। ମାତ୍ର ଲଣ୍ଡନ ସ୍ଥିତ ଇମ୍ପେରିଆଲ୍‌ କଲେଜର ଗବେଷକମାନେ ସେଭଳି ଧାରଣାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏକ ଅନୁଧ୍ୟାନରେ ୨୬,୦୦୦ ଲୋକଙ୍କୁ ସାମିଲ କରି ସେମାନେ ଏକ ବିପରୀତ ନିର୍ଯାସ ପାଇଛନ୍ତି। ରାତିରେ ଶୀଘ୍ର ନିଦ୍ରା ଯାଉଥିବା ଲୋକଙ୍କ ଅପେକ୍ଷା ବିଳମ୍ବରେ ଶୋଉଥିବା ଲୋକଙ୍କର ମସ୍ତିଷ୍କ ଅଧିକ ତୀକ୍ଷ୍‌ଣ ବୋଲି ସେମାନେ ଜାଣିପାରିଛନ୍ତି।

ଏହି ରାତ୍ରିଚରମାନଙ୍କର ବୁଦ୍ଧିମତ୍ତା, ତର୍କଜ୍ଞାନ ଓ ସ୍ମରଣଶକ୍ତି ଅପେକ୍ଷାକୃତ ଅଧିକ ବୋଲି ଜଣାଯାଇଛି। ସେହିପରି ସେମାନଙ୍କର ମସ୍ତିଷ୍କ ଦ୍ରୁତ ଓ ଶାଣିତ ଭାବରେ କାମ କରିଥାଏ। ତେବେ ଶୋଇବାର ଅବଧି ଉପରେ ହିଁ ମସ୍ତିଷ୍କର କ୍ରିୟାଶୀଳତା ପ୍ରତ୍ୟକ୍ଷ ଭାବରେ ଜଡ଼ିତ ବୋଲି ଏହି ଅନୁଧ୍ୟାନରୁ ସେମାନେ ନିଶ୍ଚିତ ହୋଇଛନ୍ତି। ରାତିରେ ଶୀଘ୍ର ହେଉ ବା ବିଳମ୍ବରେ ହେଉ, ସର୍ବୋପରି ୭ରୁ ୯ ଘଣ୍ଟା ନିଦ୍ରା ଯିବା ଦ୍ବାରା ମାନସିକ ଦକ୍ଷତା ଉଞ୍ଚା ରହେ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।