ସାଧାରଣ ଭାବେ ଦେଖାଯାଏ, ‌ଗୋଟିଏ ଦେଶର ବା ରାଜ୍ୟର ଯୁବପିଢ଼ି ଯେଉଁ ଦିଗକୁ ଢଳନ୍ତି, ତାହା ଏକ ଟ୍ରେଣ୍ଡ୍‌ ବା ଧାରା ପାଲଟିଯାଏ। ବର୍ତ୍ତମାନ ଭାରତୀୟ ଯୁବପିଢ଼ି, ବିଶେଷକରି ଜେନ୍ ଜେଡ୍‌ (୧୯୯୭-୨୦୧୦ ମଧ୍ୟରେ ଜନ୍ମିତ) ଓ ଜେନ୍‌ ଆଲ୍‌ଫା (୨୦୧୧-୨୦୨୪ ଜନ୍ମିତ) କୋରିଆରେ ପ୍ରଚଳିତ ଫ୍ୟାସନ୍‌, ଖାଦ୍ୟ ଓ ମନୋରଞ୍ଜନ ଧାରା ପ୍ରତି ଖୁବ୍‌ ଆକର୍ଷିତ ହୋଇପଡ଼ିଛନ୍ତି। ସେମାନେ କୋରିଆନ୍ ଖାଦ୍ୟ, ଚଳଚ୍ଚିତ୍ର, ଟିଭି ସୋ’, ସଂଗୀତ, ଫ୍ୟାସନ୍ ଓ ପ୍ରସାଧନ ମାୟାରେ ପଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। କେବଳ ଭାରତ ନୁହେଁ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଏଭଳି ଟ୍ରେଣ୍ଡ୍‌ ଦେଖିବାକୁ ମିଳିଛି। କୋଭିଡ୍-୧୯ ଲକ୍‌ଡାଉନ୍ ସମୟରେ ହାଲିୟୁ ଲହରୀ ପରେ, ଅଧିକରୁ ଅଧିକ ଲୋକ କୋରିଆ ପ୍ରତି ଆକର୍ଷିତ ହେଉଛନ୍ତି। କେ-ପପ୍ ସଂଗୀତ ଓ କୋରିଆନ୍ ନାଟକ ଏବେ ମନୋରଞ୍ଜନ ଶିଳ୍ପରେ ବେଶ୍‌ ଚାହିଦାରେ ଅଛି। ସେହିପରି କେ-ଫ୍ୟାସନ୍,କେ-ଫୁଡ୍, କେ-ବିୟୁଟି ବି ଭାରତୀୟ ଯୁବପିଢ଼ିଙ୍କ ହୃଦୟକୁ କବ୍‌ଜା କରିଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ସୋସିଆଲ୍‌ ମିଡିଆର ବହୁଳ ପ୍ରଭାବ ଯୋଗଁୁ  ଓଡ଼ିଶାର ଯୁବପିଢ଼ି ମଧ୍ୟ କୋରିଆ ମାୟାରେ ପଡ଼ିଥିବା ଦେଖିବାକୁ ମିଳୁଛି।

Advertisment

କେ-ଫୁଡ୍: କୋରିଆନ୍‌ ସିନେମା ଓ ସଂଗୀତର ଲୋକପ୍ରିୟତା କୋରିଆନ୍‌ ଖାଦ୍ୟ ପ୍ରତି ଆକର୍ଷଣ ବଢ଼ାଇଛି। ସ୍କ୍ୱିଡ୍ ଗେମ୍, କ୍ରାସ୍ ଲ୍ୟାଣ୍ଡିଂ ଅନ୍ ୟୁ ଓ ଏକ୍ସଟ୍ରାଅର୍ଡିନାରି ଆଟର୍ଣ୍ଣି ଉ ଭଳି ସୋ’ର ଚରିତ୍ରମାନଙ୍କୁ ଘରେ ନୁଡ୍‌ଲସ୍‌ ଖାଉଥିବା କିମ୍ବା ବଲ୍‌ଗୋଗି ରାନ୍ଧୁଥିବା ଦେଖି ଭାରତୀୟ ଯୁବଦର୍ଶକ ମନରେ ସେହି ଖାଦ୍ୟର ସ୍ବାଦ ସମ୍ବନ୍ଧରେ ଜାଣିବା ପାଇଁ ଆଗ୍ରହ ସୃଷ୍ଟି ହୋଇଛି। ପୂର୍ବରୁ କୋରିଆନ୍‌ ଖାଦ୍ୟ କେବଳ ତାରକା ରେସ୍ତୋରାଁରେ ମିଳୁଥିଲା। କିନ୍ତୁ ବତ୍ତର୍ମାନ ଏହା କାଫେ ଓ ଷ୍ଟ୍ରିଟ୍ ଫୁଡ୍ ହବ୍‌ରେ ମିଳିଲାଣି। ଇନ୍‌ଷ୍ଟାଗ୍ରାମ୍‌ର ଟ୍ରେଣ୍ଡିଂରୁ କୋରିଆନ୍‌ ନୁଡ୍‌ଲସ୍‌ ରାମେନ୍‌, କିମ୍‌ଚି, ଟେଓକବୋକି, ବବଲ୍ ଟି, ବିବିମ୍ବାପ୍ ଓ ଫ୍ରାଏଡ୍ ଚିକେନ୍ ଭଳି କୋରିଅାନ୍‌ ଖାଦ୍ୟର ଚାହିଦା ବଢ଼ିଛି। ଓଡ଼ିଶାରେ ମଧ୍ୟ କୋରିଆନ୍‌ ଖାଦ୍ୟ ଅନେକ କାଫେ ଓ ଷ୍ଟଲ୍‌ରେ ପରଷା ଯାଉଛି। ଏ ନେଇ ଭୁବନେଶ୍ବର ଘାଟିକିଆ ଫୁଡ୍‌କୋର୍ଟରେ ଥିବା ‘କୋଜିନ୍’ କାଫେର ମୁଖ୍ୟ ଚିରାଗ୍‌ ମହାପାତ୍ର କହନ୍ତି, ‘‘ବର୍ତ୍ତମାନ ରାଜଧାନୀରେ ଯୁବପିଢ଼ିଙ୍କ ମଧ୍ୟରେ କୋରିଆନ୍‌ ଖାଦ୍ୟ ପ୍ରତି ଆଗ୍ରହ ଦେଖିବାକୁ ମିଳୁଛି। ସେଥିପାଇଁ ଆମ ଆଉଟ୍‌ଲେଟ୍‌ରେ ରାମେନ୍‌, ତାଇୱାନ୍‌, କୋରିଆର ପ୍ରସିଦ୍ଧ ପାନୀୟ ବୋବା ଡ୍ରିଙ୍କ୍‌ ଓ ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌ ମସ୍‌ରୁମ୍‌ ଆଦି ଅଧିକ ବିକ୍ରି ହେଉଛି। ଆମର ସବୁଠାରୁ ଲୋକପ୍ରିୟ କୋରିଆନ୍‌ ଖାଦ୍ୟ ହେଉଛି ‘ଜିଗଲି କ୍ୟାଟ୍‌ ପୁଡିଂ’, କୋରିଆନ୍ ଜେଲିରେ ପ୍ରସ୍ତୁତ ଏହି ବିଲେଇ ଆକୃତିର ପୁଡିଂ ଭଲ ବିକ୍ରି ହେଉଛି।’’

କେ-ବିୟୁଟି : ଦକ୍ଷିଣ କୋରିଆର ପ୍ରସାଧନ ସାମଗ୍ରୀର ଚାହିଦା ସାରା ଭାରତରେ ବୃଦ୍ଧିପାଉଛି। ଏହି କାରଣରୁ  ଭାରତରେ କେ-ବିୟୁଟି ଭଲ ବାଣିଜ୍ୟିକ ସଫଳତା ହାସଲ କରିଛି। ସିଟ୍ ମାସ୍କ, ରାଇସ୍‌ ମାସ୍କ ଠାରୁ ଆରମ୍ଭ କରି ସ୍ନେଲ୍ କ୍ରିମ୍ ପର୍ଯ୍ୟନ୍ତ ସମସ୍ତ କୋରିଆନ୍ ସ୍କିନ୍ କେୟାର୍ ଉତ୍ପାଦ ମଲ୍‌ ଓ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ମିଳିଯାଉଛି। କୋରିଆନ୍ କଳାକାର ଅନୁସରଣ କରୁଥିବା ପ୍ରସିଦ୍ଧ ‘୧୦-ଷ୍ଟେପ୍ ରୁଟିନ୍’ ଭାରତୀୟ ଯୁବପିଢ଼ିଙ୍କୁ ବାୟା କରିଛି। ସେମାନେ ନିଜକୁ ଅଧିକ ସୁନ୍ଦର କରି ଦେଖାଇବାକୁ ଏହା ଅନୁସରଣ କରୁଛନ୍ତି। କେତେକ  ଭାରତୀୟ କମ୍ପାନି ମଧ୍ୟ କୋରିଆରେ ପ୍ରଚଳିତ ଉତ୍ପାଦ ଲଞ୍ଚ୍‌ କରିଛନ୍ତି। କୋରିଆନ୍‌ଙ୍କ ଭଳି ଗ୍ଲାସ୍‌ ସ୍କିନ୍‌ ପାଇବା ପାଇଁ ଜେନ୍‌ ଜେଡ଼୍‌ ବ୍ୟାକୁଳ। ଓଡ଼ିଶାର ଯୁବପିଢ଼ି ବି କୋରିଆନ୍‌ ପ୍ରସାଧନ ସାମଗ୍ରୀ ଆପଣାଇଲେଣି। ଅନେକ ସେଲୋନ୍‌ ଓ ପାର୍ଲର୍‌ରେ ତ୍ବଚା ଓ କେଶ ‌ପାଇଁ ‌େକାରିଆନ୍‌ ଥେରାପି ଦିଆଯାଉଛି। ଯାଜପୁର ଟାଉନ୍‌ର ବର୍ଷା ମେକ୍‌ଓଭର୍‌ରରେ କୋରିଆନ୍‌ ‘ଗ୍ଲାସ୍‌ ସ୍କିନ୍‌’ ଫେସିଆଲ୍‌, ହେୟାର୍‌ ସ୍ପା ଓ ବଡି ସ୍ପା ଅଧିକ ଚାହିଦାରେ ରହିଛି ବୋଲି ଏହାର ସ୍ବତ୍ବାଧିକାରୀ କହନ୍ତି। କିଛି ମାସ ହେବ ସେ କେ-ବିୟୁଟି ଥେରାପି ଆରମ୍ଭ କରିଛନ୍ତି। ୨୪ରୁ ୩୦ ବର୍ଷର ମହିଳାମାନେ ଏହି ଥେରାପି ବେଶି ପସନ୍ଦ କରୁଛନ୍ତି। ତାଙ୍କ ପାର୍ଲର୍‌ରେ କୋରିଆନ୍ ହେୟାର୍‌ ସ୍ପା ଲାଗି ୨ରୁ ୩ ହଜାର ଟଙ୍କା ନିଆଯାଉଛି ଏବଂ କେ-ଫେସିଆଲ୍‌ ପାଇଁ  ୩ରୁ ୪ ହଜାର ଟଙ୍କା ପଡୁଛି ବୋଲି ସେ କହନ୍ତି।

କେ-ଫ୍ୟାସନ୍: କେ-ପପ୍ ଓ କେ-ଡ୍ରାମାର ଲୋକପ୍ରିୟତା ଭାରତୀୟ ଫ୍ୟାସନ୍ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଅନେକ ଯୁବକଯୁବତୀ ସେମାନଙ୍କର ପ୍ରିୟ କୋରିଆନ୍ ସେଲିବ୍ରିଟିଙ୍କ ଶୈଳୀକୁ ଅନୁକରଣ କରୁଛନ୍ତି। କୋରିଆନ୍‌ ଫ୍ୟାସନ୍‌ ସରଳ ଓ ମିନିମାଲିଷ୍ଟକ୍‌ ହେଇଥିବାରୁ ଅଧିକ ଗ୍ରହଣୀୟ ହେଉଛି। ପାଶ୍ଚାତ୍ୟ ଫ୍ୟାସନ୍‌ଠାରୁ ଭିନ୍ନ କେ-ଫ୍ୟାସନ୍‌ରେ ସାଧାରଣତଃ ପାଷ୍ଟେଲ୍ ରଙ୍ଗର ବ୍ୟବହାର ଅଧିକ। କୋରିଆନ୍‌ଙ୍କ ଓଭର୍‌ସାଇଜ୍‌ ବ୍ୟାଗି ପୋଷାକ ଓ କାଜୁଆଲ୍ ପୋଷାକ ଏବେ ଯୁବଗୋଷ୍ଠୀଙ୍କୁ ଅଧିକ ଆକୃଷ୍ଟ କରିଛି।

ସେହିପରି କୋରିଆନ୍ ଅଳଙ୍କାର ମାୟାରେ ବି ପଡ଼ିଛନ୍ତି ଯୁବପିଢ଼ି। କେ-ଡ୍ରାମା ଓ ବିଟିଏସ୍‌ ତାରାକାଙ୍କ ପରିହିତ କୋରିଆନ୍‌ ବ୍ରେସ୍‌ଲେଟ୍‌, ଆଙ୍କ୍‌ଲେଟ୍‌, ପେଣ୍ଡଣ୍ଟ୍‌ ଅଧିକ ଚାହିଦାରେ ରହିଛି। ବର୍ତ୍ତମାନ ଓଡ଼ିଶାର ଅନେକ ଗହଣା ଦୋକାନ, ସପିଂ ମଲ୍‌ରେ ଏଗୁଡ଼ିକର ବହୁଳ ବିକ୍ରି ହେଉଛି। ସେହିପରି କୋରିଆନ୍‌ ପର୍‌ଫ୍ୟୁମ୍‌ର ମଧ୍ୟ ଚାହିଦା ବଢୁଛି।