ଆସନ୍ତାକାଲି (ଏପ୍ରିଲ ୨୫) ସାରା ପୃଥିବୀରେ ‘ବିଶ୍ବ ମ୍ୟାଲେରିଆ ଦିବସ’ ପାଳନ ହେବ। ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି ସହ ତାହାର ନିୟନ୍ତ୍ରଣ ଓ ସଂପୂର୍ଣ୍ଣ ନିରାକରଣ ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରତିବର୍ଷ ଏ ଦିବସ ପାଳନ କରାଯାଉଛି। ଏହି ରୋଗ ନିରାକରଣଯୋଗ୍ୟ, ତଥାପି ଅଦ୍ୟାବଧି ଶହେ ଦେଶରେ ଏହା ବ୍ୟାପି ରହିଛି ଏବଂ ପ୍ରତିବର୍ଷ ପ୍ରାୟ ୯ ଲକ୍ଷ ଲୋକଙ୍କର ଏଥିରେ ପ୍ରାଣ ଯାଉଛି।

Advertisment

ଭାରତ ସରକାର ୨୦୧୬ ମସିହାରୁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣେଇ ୨୦୩୦ ସୁଦ୍ଧା ଦେଶରୁ ମ୍ୟାଲେରିଆର ସଂପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମ ରାଜ୍ୟରେ ମ୍ୟାଲେରିଆ ପୀଡ଼ିତଙ୍କ ସଂଖ୍ୟା ଦେଶରେ ସର୍ବାଧିକ ରହିବା ଘଟଣା ଚିନ୍ତାର ବିଷୟ ହୋଇଛି। ‘ନେସ୍‌ନାଲ୍‌ ସେଣ୍ଟର୍‌ ଫର ଭେକ୍ଟର ବର୍ନ ଡିଜିଜ୍‌ କଣ୍ଟ୍ରୋଲ’ର ତଥ୍ୟ ଅନୁସାରେ ୨୦୨୩ ମସିହାରେ ଓଡ଼ିଶାରେ ୪୧,୯୭୧ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ତାହା ପଛକୁ ଛତିଶଗଡ଼ରେ ୩୧,୭୧୩, ଝାଡ଼ଖଣ୍ଡରେ ୩୧,୧୪୦, ପଶ୍ଚିମବଙ୍ଗରେ ୨୬,୪୯୩, ତ୍ରିପୁରାରେ ୨୨,୪୧୨, ମହାରାଷ୍ଟ୍ରରେ ୧୬,୧୬୪ ଓ ଉତ୍ତରପ୍ରଦେଶରେ ୧୩,୫୮୫ ଜଣ ମ୍ୟାଲେରିଆ ପୀଡ଼ିତ ରହିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶାର ଉଷ୍ମ ଓ ଆର୍ଦ୍ର ଜଳବାୟୁ ମଶାମାନଙ୍କ ବଂଶବୃଦ୍ଧି ଓ ରୋଗ ସଂକ୍ରମଣ ପାଇଁ ସହାୟକ ହେଉଛି।

୨୦୧୬ରେ ଓଡ଼ିଶାରେ ଦେଶର ସର୍ବାଧିକ ୪.୪୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୭ରେ ସରକାର ୨୩ଟି ଜିଲ୍ଲାରେ ‘ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ’ (ଦମନ) ନାମରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରି ଲୋକଙ୍କୁ କୋଟିଏ ୧୬ ଲକ୍ଷ କୀଟନାଶକ ସିଞ୍ଚିତ ମଶାରି ବଣ୍ଟନ କରିଥିଲେ। ଫଳରେ ରୋଗୀ ସଂଖ୍ୟା ୨୦୨୨ରେ ୨୩,୭୭୦କୁ ଖସି ଆସିଥିଲା। ପ୍ରତି ତିନି ବର୍ଷରେ ଥରେ ଏହି ମଶାରିଗୁଡ଼ିକ ବଦଳାଇବା ଦରକାର। ମାତ୍ର ତାହା ଏଯାଏ ହୋଇନାହିଁ। ମଶାରି ବ୍ୟବହାର କରିବାରେ ଲୋକଙ୍କ ଅବହେଳା ସାଙ୍ଗକୁ ମଶାରିର କୀଟନାଶକ ଗୁଣ ଦୁର୍ବଳ ହୋଇଯିବାରୁ ୨୦୨୩ରେ ସେହି ସଂଖ୍ୟା କଳ୍ପନାତୀତ ଭାବେ ବଢ଼ିଯାଇଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସଫେଇ ଦେଇଛନ୍ତି।