ସମୟ ଭିନ୍ନ, ସମାଜ ଭିନ୍ନ, ଚରିତ୍ର ଭିନ୍ନ। ଏଣୁ ଚିନ୍ତାଧାରା ବି ଏକା ନୁହେଁ। କିନ୍ତୁ ଗୋଟିଏ ବିନ୍ଦୁରେ ଆମେ ସେମାନଙ୍କୁ ଯୋଡ଼ି ପାରିବା। ପ୍ରାପ୍ତି ବା ସଫଳତା ସେମାନଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିପାରିଛି। ଲୌହମାନବୀ ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର ହୁଅନ୍ତୁ ବା ଭାରତୀୟ ହିନ୍ଦୀ ସିନେମାର ଲୋକପ୍ରିୟ ନାୟିକା ଶର୍ମିଲା ଟାଗୋର ହୁଅନ୍ତୁ କିମ୍ବା ଲିଙ୍ଗଗତ ଅସମାନତା ବିରୋଧରେ ଆଲୋକଶିଖା ପରି ନିଜକୁ ଦୀପ୍ତିମତୀ କରିପାରିଥିବା ଦୀପା ସାହୁ... ଜୀବନକୁ ନେଇ ସେମାନଙ୍କ ସକାରାତ୍ମକ ମାନସିକତା ଏସପ୍ତାହର ‘ଭିନ୍ନଦୃଷ୍ଟି’
ଭାରତୀୟ ସିନେମା ଇତିହାସରେ ଶର୍ମିଲା ଟାଗୋର ଏକ ପରିଚିତ ନାମ। ସତୁରି ଓ ଅଶୀ ଦଶକରେ ନିଜ ଅଭିନୟ ଯାଦୁରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଶର୍ମିଲା। ‘ମେରେ ସପ୍ନୋ କି ରାନୀ କବ୍ ଆୟେଗୀ ତୁ’... ସତୁରି ଦଶକର ହିନ୍ଦୀ ସିନେମା ‘ଆରାଧନା’ର ଏହି ଗୀତଟି ଶୁଣିଲେ ଏବେ ବି ହୃଦୟରେ ସ୍ପନ୍ଦନ ସୃଷ୍ଟିହୁଏ। ଏହି ଗୀତ ପରି ଅନେକ ଗୀତ ସହ ଅନେକ ସଫଳ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଥିଲେ ଶର୍ମିଲା ଟାଗୋର। ଷାଠିଏ ଓ ସତୁରି ଦଶକର ଜଣେ ସୁନ୍ଦରୀ, ପ୍ରତିଭାମୟୀ, ରୋମାଣ୍ଟିକ ନାୟିକା ଭାବରେ ସେ ସବୁଦିନ ମନେରହିବେ। ନୋବେଲ ବିଜେତା ବିଶିଷ୍ଟ କବି ରବୀନ୍ଦ୍ରନାଥ ଟାଗୋର ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଦେବିକାରାଣୀଙ୍କ ଦୂର ସଂପର୍କୀୟା ଶର୍ମିଲା ମାତ୍ର ୧୪ ବର୍ଷ ବୟସରୁ ବଙ୍ଗଳା ସିନେମାରେ ସତ୍ୟଜିତ୍ ରାୟଙ୍କ ନିର୍ଦ୍ଦେଶନାରେ ଅଭିନୟ କରି ସଫଳତାର ପାହାଚ ଚଢ଼ିବା ଆରମ୍ଭ କରିଥିଲେ।
କାଶ୍ମୀର କି କଲି, ୱକ୍ତ, ଅନୁପମା, ଆନ୍ ଇଭିନିଂ ଇନ୍ ପ୍ୟାରିସ୍, ଆମ୍ନେ ସାମ୍ନେ, ସତ୍ୟକାମ, ଆରାଧନା, ଅମରପ୍ରେମ, ଦାଗ୍, ମାସୁମ୍, ଚୁପ୍କେ ଚୁପ୍କେ, ନମ୍କିନ୍ ଇତ୍ୟାଦି ତାଙ୍କର ସଫଳ ହିନ୍ଦୀ ସିନେମା। ସମ୍ଭବତଃ ଭାରତୀୟ ସିନେମାରେ ପାଶ୍ଚାତ୍ୟ ସଭ୍ୟତାର ପୋଷାକ ପରିଧାନ ତାଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ବିଶିଷ୍ଟ କ୍ରିକେଟ୍ ଖେଳାଳୀ ମନ୍ସୁର ଅଲ୍ଲୀ ପଟୌଦୀଙ୍କୁ ବିବାହ କରିବା, ସୈଫ୍, ସୋହା ଓ ସବାଙ୍କ ପରି ତିନି ସନ୍ତାନଙ୍କ ମାଆ ହେବା, ଫିଲ୍ମ ଦୁନିଆକୁ ନିକଟରୁ ଦେଖିବା, ଦୁଇ ଦୁଇଟି ଆଭିଜାତ୍ୟପୂର୍ଣ୍ଣ ପରିବାରର ସଫଳ ନାରୀ ହେବା, ଭାରତର ତୃତୀୟ ବିଶିଷ୍ଟ ରାଷ୍ଟ୍ରୀୟ ସମ୍ମାନ ‘ପଦ୍ମଭୂଷଣ’ରେ ବିଭୂଷିତା ଶର୍ମିଲା ଏବେ ୭୮ବର୍ଷ ବୟସରେ ମଧ୍ୟ ପୂର୍ବଭଳି ଚଳଚଞ୍ଚଳ ଅଛନ୍ତି। ତେବେ ବିଗତ କିଛିବର୍ଷ ହେବ ଟିଭି ପରଦାରୁ ଦୂରେଇ ରହିଥିବା ଶର୍ମିଲା ଜୀବନକୁ ନେଇ ନିଜର ସକାରାତ୍ମକ ଦୃଷ୍ଟିଭଙ୍ଗୀର ପରିଚୟ ସେ ବିଭିନ୍ନ ସମୟରେ ଦେଇଛନ୍ତି। ବୃଦ୍ଧାବସ୍ଥାକୁ ନେଇ ନିକଟ ଅତୀତରେ ଏକ ସାକ୍ଷାତ୍କାରରେ ନିଜର ମନକଥା ବ୍ୟକ୍ତ କରିଥିଲେ ଶର୍ମିଲା। ତାକୁ ନେଇ ଆମର ଏହି ଉପସ୍ଥାପନା...
ଶର୍ମିଲା କହିଛନ୍ତି ବୃଦ୍ଧାବସ୍ଥାକୁ ଏକ ବୋଝ ଭାବିବା ଭୁଲ। ପିତାମାତାଙ୍କ ପରିଣତ ବୟସ ହୋଇଗଲେ କିଛି ଅସୁବିଧା ଆଶଙ୍କାରେ ପିଲାମାନେ ଚିନ୍ତିତ ହୋଇପଡ଼ନ୍ତି। ତେଣୁ ସେମାନଙ୍କ ଉପରେ ଚାପ ପକାଇବା ମଧ୍ୟ ଉଚିତ ନୁହେଁ। ଏପରିକି ନିଜ ପିଲା ଯଦି ତାଙ୍କ ପାଖରେ ନାହାନ୍ତି କିମ୍ବା ବିଦେଶରେ ଅଛନ୍ତି ନିଜକୁ ଏକୁଟିଆ ଭାବିବା ମଧ୍ୟ ଆବଶ୍ୟକ ନାହିଁ। ବୟସ୍କମାନେ ନିଜର ପରିସର ନିଜ ବନ୍ଧୁମାନଙ୍କ ସହ ବଢ଼ାଇବା ଉଚିତ। ‘ମୋର ପରିବାର ମଧ୍ୟ ମୋ’ଠୁ ଦୂରରେ। ମୁଁ ଗୋଟେ ସ୍ଥାନରେ ଏବଂ ମୋ ପିଲାମାନେ ସେମାନଙ୍କ ସ୍ଥାନରେ। ଏମିତି ବୁଝାମଣାରେ ମଧ୍ୟ ବଞ୍ଚିହୁଏ। କିଛିଦିନ ତଳେ ମୋର ମୋତିଆବିନ୍ଦୁ ଅପରେସନ୍ ହେଲା। ସେ ସମୟରେ ମୋ ପୁଅ ମୋ ପାଖରେ ନଥିଲା। ସେମିତି କିଛି ବଡ଼ କିମ୍ବା ଜୀବନ ପ୍ରତି ବିପଦ ଭଳି ପରିସ୍ଥିତି ଥିଲେ ମୋ ପୁଅ ମୋ ପାଖରେ ନିଶ୍ଚୟ ରହିଥାନ୍ତା।’ ବୃଦ୍ଧାବସ୍ଥାରେ ସେମାନେ ଯାହା କରିବାକୁ ଚାହାନ୍ତି ନାହିଁ ପିଲାମାନେ ସେମାନଙ୍କୁ ସେସବୁ କରିବାକୁ ଚାପ ନ ପକାଇବା ଉଚିତ। ସେମାନଙ୍କ ନିଜର ଗୋଟେ ଇଚ୍ଛା ଅଛି। ଖାଲି ତାକୁ ପ୍ରୋତ୍ସାହନ ଦେବା ଦରକାର। ଯାହା ସେମାନଙ୍କୁ ଏକ ସହଜ ଅନୁଭବ କରାଇବ।
ଅନ୍ୟ ଏକ ବିଷୟରେ ସେ ନିଜର ଅବସର କଥା କହିଛନ୍ତି। ସେ ନିଜ କ୍ୟାରିୟର୍ରୁ କେବେ ବି ଅବସର ନେଇନାହାନ୍ତି। ସିନେମା ଓ ଅଭିନୟ କ୍ଷେତ୍ରରେ ବର୍ତ୍ତମାନ ସେ ସକ୍ରିୟ ନାହାନ୍ତି ସତ କିନ୍ତୁ ଅନ୍ୟସବୁ ମାଧ୍ୟମ ଦ୍ବାରା ଏବର ସିନେମା ଓ ଧାରାବାହିକ ବିଷୟରେ ନିଜର ମତ ରଖନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଅଧିକାଂଶ ଧାରାବାହିକରେ ମହିଳାମାନଙ୍କୁ ମହିଳାମାନଙ୍କର ଶତ୍ରୁ ଭାବେ ଦର୍ଶାଯାଉଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଛି ନିର୍ଦ୍ଦେଶକଙ୍କୁ ଏପରି ଦୃଶ୍ୟ ହଟାଇବାକୁ କୁହାଯାଏ। କିନ୍ତୁ କିଛି ପ୍ରଯୋଜକ ଟିଆର୍ପି ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏସବୁ ଦୃଶ୍ୟ କାଟିବାକୁ ମନା କରନ୍ତି।