୨୦୨୨ର ବାର୍ତ୍ତା: ଆମ ପୃଥିବୀ, ଆମର ସ୍ବାସ୍ଥ୍ୟ; ଜଳବାୟୁ ପରିବର୍ତ୍ତନ ସୃଷ୍ଟି କରୁଛି ସ୍ବାସ୍ଥ୍ୟ ସମସ୍ୟା

୧୯୪୮ ମସିହା ଏପ୍ରିଲ ୭ ତାରିଖରେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଗଠନ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏହା ସାରା ବିଶ୍ବରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ପା​ଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ଆମ ପୃଥିବୀ, ଆମର ସ୍ବାସ୍ଥ୍ୟ’। ଏହି ବାର୍ତ୍ତାରେ ଆମ ପୃଥିବା ସହିତ ଜଡ଼ିତ ଆମର ସ୍ବାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି ଓ ପୃଥିବୀର ଜଳବାୟୁ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଳଜାନ, ଇଲେକ୍ଟ୍ରୋନିକସ୍ ଏଥିସହ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ବିଷୟ ସ୍ବାସ୍ଥ୍ୟ ରକ୍ଷା ସହିତ ଜଡ଼ିତ ରହିଛି।

ପୃଥିବୀ
 ସୂର୍ଯ୍ୟଠାରୁ ପାଖାପାଖି ୧୫ କୋଟି ୨୦ଲକ୍ଷ କିମି ଦୂରରେ ଏହା ପରିକ୍ରମା (ଘଣ୍ଟାକୁ ୧ ଲକ୍ଷ ୩୦ହଜାର କିମି ବେଗରେ=ପ୍ରତି ସେକେଣ୍ଡରେ ୩୦ କିମି ବେଗରେ) କରୁଛି।
 ଏହାସହିତ ନିଜର ଅକ୍ଷ ଚାରିପଟେ ପ୍ରତି ଘଣ୍ଟାରେ ୧୬୭୫ କିମି ବେଗରେ ଘୂରୁଛି ଯାହା ଫଳରେ ଦିନରାତି ସଂଗଠିତ ହେଉଛି।
 ଏହା ସହିତ ପୃଥିବୀ ନିଜ ଅକ୍ଷରେ ୨୩ ଡିଗ୍ରି ପାଖାପାଖି ଢଳି ରହି ଘୂରୁ ଥିବାରୁ ବିଭିନ୍ନ ଋତୁମାନ ପରିଲକ୍ଷିତ ହେଉଛି। ଏହା ଆମ ଜୀବନ ଓ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ।
 ବାୟୁମଣ୍ଡଳରେ ୭୮ ପ୍ରତିଶତ ନାଇଟ୍ରୋଜେନ୍ ୨୧ ଭାଗ ଅମ୍ଳଜାନ ଥାଏ। ଉଭୟ ବାୟୁମଣ୍ଡଳରୁ କ୍ରମଶଃ ଅମ୍ଳଜାନ ଓ ଓଜୋନ ସ୍ତର କମିବାରେ ଲାଗିଛି, ଯାହା ମଣିଷର ସ୍ବାସ୍ଥ୍ୟ ପାଇଁ ହାନିକାରକ।
 ସେହିପରି ଦ୍ବିତୀୟ ଆବଶ୍ୟକତା ହେଉଛି ଜଳ (ପୃଥିବୀର ୭୧ ପ୍ରତିଶତ ଭାଗ ୨୯ ଭାଗ ସ୍ଥଳ) କ୍ରମଶଃ ପ୍ରଦୂଷିତ ହେବାରେ ଲାଗିଛି। ଆମ ଦେଶ ତଥା ପୃଥିବୀର ଅନ୍ୟ ନଦୀମାନଙ୍କର ଜଳ ଅତ୍ୟାଧିକ ପ୍ରଦୂଷିତ ହୋଇଛି। ଜନସାଧାରଣଙ୍କୁ ପାନୀୟ ଜଳ ପାଇଁ ଫିଲ୍‌ଟର ଓ ଜଳବିଶୋଧନ ଯନ୍ତ୍ର ଉପରେ ନିର୍ଭର କରିବାକୁ ପଡୁଛି। କ୍ରମଶଃ ଭୂତଳ ଜଳ କମିବା ସହିତ ପ୍ରଦୂଷିତ ହେବାରେ ଲାଗିଛି।
 ସୁଷମ ଓ ନିରାପଦ ଖାଦ୍ୟ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା, ମାତ୍ର ଏବେ ମଧ୍ୟ ସମଗ୍ର ଜନସଂଖ୍ୟାର ୧୦ପ୍ରତିଶତ ଅର୍ଥାତ ୮୦କୋଟି ଲୋକ ଭୋକରେ କବଳିତ। ୧୬୦କୋଟିରୁ ଅଧିକ ଲୋକ କୁପୋଷଣ ଶିକାର। ଆମ ଦେଶ ଓ ରାଜ୍ୟ ମଧ୍ୟ ଏଥିରୁ ମୁକ୍ତ ହୋଇପାରିନାହିଁ। ଅତିକମରେ ଦୁଇ ବେଳା ଖାଦ୍ୟ ଯୋଗାଇବା କଠିନ କାମ ହୋଇପଡ଼ିଛି। ୨୦୨୨ ମାର୍ଚ୍ଚ ୪ ସୁଦ୍ଧା ବିଶ୍ବ ଜନସଂଖ୍ୟା ୭୯୩ କୋଟି ୫୦ଲକ୍ଷ ଥିଲା।
 ଆମେମାନେ ମଧ୍ୟ ଯଥେଷ୍ଟ ପରିମାଣର ଅର୍ଥ ସ୍ବାସ୍ଥ୍ୟ ରକ୍ଷା ପାଇଁ ଓ ପ୍ରଦୂଷଣ କମ୍ କରିବା ପାଇଁ ଖର୍ଚ୍ଚ କରୁନାହେଁ। ଅଣପ୍ରଦୂଷିତ ପବନ, ନିରାପଦ ପାଣି ଓ ଖାଦ୍ୟ ଆମମାନଙ୍କର ପ୍ରଥମ ଆବଶ୍ୟକତା।
 ଏବେ ପ୍ରାୟ ସବୁ ସହର ପ୍ରଦୂଷିତ ଓ ବସବାସ ଉପଯୋଗୀ ନୁହନ୍ତି। କଂକ୍ରିଟ୍ ଜଙ୍ଗଲ ଓ ଉଚ୍ଚ ଉଚ୍ଚ ଅଟ୍ଟାଳିକା, ବାୟୁ ଓ ଯାନବାହାନ ପ୍ରଦୂଷଣ ଅତି ମାତ୍ରାରେ ପହଞ୍ଚିଛି। ଏହାର ଜଳ ଉପଯୋଗୀ ହୋଇରହିନାହିଁ।
 ପ୍ରତିବର୍ଷ ରୋକାଯାଇ ପାରିବା ଭଳି ପ୍ରଦୂଷିତ ପରିବେଷ ଯୋଗୁଁ ପ୍ରାୟତଃ ୧୩୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ସହିତ ଯାନବାହନ ଦୁର୍ଘଟଣା ଓ କଳକାରଖାନା ଦୁର୍ଘଟଣା ଅତିମାତ୍ରାରେ ବଢ଼ିଯାଇଛି।
 ଜଳବାୟୁ ପରିବର୍ତ୍ତନ ମଧ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ସମସ୍ୟା ହୋଇପଡ଼ିଛି।
 ଯୁଦ୍ଧର ବିଭୀଷିକା ଓ ପ୍ରଦୂଷଣ (ଉଭୟ ନିକଟ ଓ ଭବିଷ୍ୟତ) ସମଗ୍ର ବିଶ୍ବକୁ ଅନ୍ୟତ୍ର କଠିନ ଓ ଦାରୁଣ ବିଭୀଷିକାମୟ ପରିସ୍ଥିତିକୁ ଆଣି ପାରିଛି। ଗଚ୍ଛିତ ଥିବା ପରମାଣୁ ଓ ଅନ୍ୟ ବିଶ୍ବଧ୍ବଂସକାରୀ ବସ୍ତୁ ଆମକୁ ବାରୁଦଗଦା ଓ ମୃତ୍ୟୁର ଆସନରେ ବସାଇଛି।
 ୯୦ ପ୍ରତିଶତରୁ ଅଧିକ ଜନସାଧାରଣ ଅସ୍ବାସ୍ଥ୍ୟକର ପରିବେଶର ବାୟୁ ନିଶ୍ବାସରେ ନିଅନ୍ତି, ପ୍ରଦୂଷିତ ଜଳ ଓ ଖାଦ୍ୟ ଖାଆନ୍ତି। ଏଥିରେ ସେମାନଙ୍କର ସ୍ବାସ୍ଥ୍ୟ ଠିକ୍ ରହିବା ଅସମ୍ଭବ। ଏହାଫଳରେ ଅନେକ ଜୀବନବ୍ୟାପୀ ରୋଗ ଶରୀରର ସମସ୍ତ ଅଂଶକୁ ଗ୍ରାସ କରିଥାଏ।
 ଇଲେକ୍ଟ୍ରୋନିକ୍ସ ତରଙ୍ଗ, ବିକିରଣ ଓ ତୀବ୍ରତା ମଧ୍ୟ ଅତ୍ୟନ୍ତ କ୍ଷତିକାରକ। ଏଥିରେ ଇଟିଏସ୍ କନ୍ ଓ ଏମ୍ଆରଆଇ କଲେ ମସ୍ତିଷ୍କ ତଥା ଶରୀରର ଲକ୍ଷଲକ୍ଷ ଜୀବନ୍ତ କୋଷ ନଷ୍ଟ ହୋଇଥାଏ। ଇଲେକ୍ଟ୍ରୋନିକ୍ସ ଅଳିଆ ମଧ୍ୟ ଏକ ସମସ୍ୟା। ଏହା ସହିତ ପ୍ଲାଷ୍ଟିକ୍‌ର ସୂକ୍ଷ୍ମ କଣିକା ମଧ୍ୟ ପାନୀୟ ଓ ଖାଦ୍ୟ ଦ୍ବାରା ଆମ ଶରୀରରେ ପ୍ରବେଶ କରୁଛି।
ଏହା ମାତ୍ର କତିପୟର ବିଷୟ ଅଟେ, ଏହା ସହିତ ଆହୁରି ଅନେକ ଚିନ୍ତାଜନକ ବିଷୟରେ ମଧ୍ୟ ସ୍ବାସ୍ଥ୍ୟକର ବଞ୍ଚିବା ଦୃଷ୍ଟିରୁ ଆଲୋଚନା ଓ ସଚେତନତାରେ ପ୍ରତିଷେଧକ ବ୍ୟବସ୍ଥା ହେବାର ସମୟ ଆସିଛି। ଅନେକ ବିଳମ୍ବ ହେଲେ ହେଁ ଏହାର ସାମୂହିକ ପ୍ରତିକାର କରାଯାଇପାରିବ।
ଡା. ରାମଚନ୍ଦ୍ର ରାଉତ
ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ସୂଚନା ଓ ସ୍ବାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟ

ସମ୍ବନ୍ଧିତ ଖବର