ପାଞ୍ଚ ମୁଖ ଥିବାରୁ ପଞ୍ଚମୁଖୀ ହନୁମାନ: ବାଲ୍ମୀକିଙ୍କ ମୂଳ ରାମାୟଣରେ ଏ ରୂପର ନାହିଁ ବର୍ଣ୍ଣନା

ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି ବା ବୈଶାଖ ସଂକ୍ରାନ୍ତି ପାଳିତ ହୁଏ ହନୁମାନ ଜୟନ୍ତୀ ଭାବରେ। କିନ୍ତୁ ଆମ ଦେଶରେ ହନୁମାନ ଜୟନ୍ତୀ ଭିନ୍ନଭିନ୍ନ ତିଥିରେ ପାଳିତ ହୋଇଥାଏ। ସେହିପରି ମଧ୍ୟ ମୂଳ ବାଲ୍ମୀକି ରାମାୟଣ ଆଧାରରେ ପୃଥିବୀରେ ଅଜସ୍ର ରାମାୟଣ ରଚିତ ହୋଇଥିଲେ ବି, ସେସବୁର କାହାଣୀ ମୂଳ ରାମାୟଣଠାରୁ ଅନେକ ଭିନ୍ନ ଓ ବିଚିତ୍ର।

ସେହିସବୁ ରାମାୟଣରେ ହନୁମାନଙ୍କର ଅନେକ କଥା ଓ ଅନେକ ରୂପ ବର୍ଣ୍ଣିତ ହୋଇଛି। ସେଥି ମଧ୍ୟରୁ ଗୋଟିଏ ରୂପ ହେଉଛି- ‘ପଞ୍ଚମୁଖୀ ହନୁମାନ’। କିନ୍ତୁ ବାଲ୍ମୀକିଙ୍କ ମୂଳ ରାମାୟଣ ବା ଆମ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ରେ ଏ ରୂପର ବର୍ଣ୍ଣନା ନାହିଁ।

ପଞ୍ଚମୁଖୀ ହନୁମାନଙ୍କ ଉପାଖ୍ୟାନ ଅନୁସାରେ- ଅହିରାବଣ ଥିଲା ପାତାଳପୁରୀର ଅସୁର ରାଜା। କେତେକ ରାମାୟଣରେ ଅହିରାବଣକୁ ମହୀରାବଣ ବା ତା’ର ଭାଇ ବୋଲି କୁହାଯାଇଛି। ଅହିରାବଣ ଥିଲା ମାୟାବୀ। ରାମ-ରାବଣ ଯୁଦ୍ଧରେ ପୁତ୍ର ଇନ୍ଦ୍ରଜିତର ମୃତ୍ୟୁ ହେବା ପରେ, ସେହି ଭୁଲିଯାଇଥିବା ପୁଅଟିର କଥା ରାବଣର ମନେପଡ଼ିଲା। ତାକୁ ସ୍ମରଣ କରିବାରୁ ସେ ଆସି ମାୟା ବଳରେ ରାମ ଓ ଲକ୍ଷ୍ମଣଙ୍କୁ ହରଣ କରିନେଲା। ହନୁମାନ ତାଙ୍କ ଲାଙ୍ଗୁଡ଼କୁ କୁଣ୍ଡଳି କରି ଏକ ଗଡ଼ ନିର୍ମାଣ କରି ତା’ ଭିତରେ ରାମ ଓ ଲକ୍ଷ୍ମଣଙ୍କୁ ରଖିଥିଲେ।

ତଥାପି ମାୟା ବିଭୀଷଣ ରୂପରେ ତା’ ଭିତରେ ପ୍ରବେଶ କରି ଅହିରାବଣ ସେ ଦୁଇ ଭାଇଙ୍କୁ ହରଣ କରିନେଇଥିଲା। ତାହାର ସୁନ୍ଦର କାହାଣୀ ‘ତୁଳସୀ ରାମାୟଣ’ (ରାମଚରିତ ମାନସ)ରେ ବର୍ଣ୍ଣିତ ଅଛି। ତେବେ ହନୁମାନ ରାମ ଓ ଲକ୍ଷ୍ମଣଙ୍କର ସନ୍ଧାନ କରି, ତାଙ୍କୁ ସେହି ପାତାଳପୁରୀରୁ ଉଦ୍ଧାର କରିଥିଲେ। ଅହିରାବଣକୁ ମଧ୍ୟ ନିହତ କରିଥିଲେ।

କେତେକ ରାମାୟଣରେ ଅହିରାବଣର ଜୀବନନାଟିକା ବା ମୃତ୍ୟୁଭେଦ ପାଞ୍ଚଟି ଦୀପର ଶିଖାରେ ଥିଲା ବୋଲି ବର୍ଣ୍ଣିତ ଅଛି। ଭିନ୍ନ ଭିନ୍ନ ଦିଗରେ ଜଳୁଥିବା ସେହି ପଞ୍ଚଦୀପର ଶିଖାକୁ ଏକାଥରକେ ଫୁଙ୍କି ଲିଭାଇଦେଲେ ଅହିରାବଣ ମରିବ ବୋଲି ଦେବୀ କାମଦା (ଅମ୍ବିକା) ତାକୁ ବର ଦେଇଥିଲେ। ତେଣୁ ହନୁମାନ ପଞ୍ଚମୁଖ ରୂପ ଧାରଣ କରିଥିଲେ। ସେହି କାହାଣୀ ଅନୁସାରେ, ହନୁମାନଙ୍କର ଆଉ ଚାରିଟି ମୁଖ ଥିଲା- ହୟଗ୍ରୀବ, ନରସିଂହ, ଗରୁଡ଼ ଓ ବରାହଙ୍କର ମୁଖ। ସେହି ପଞ୍ଚମୁଖରେ ‘ପଞ୍ଚମୁଖୀ ହନୁମାନ’ ପାଞ୍ଚଦୀପର ଶିଖାକୁ ଏକାବେଳକେ ଫୁଙ୍କି ଲିଭାଇ ଦେବା ଫଳରେ ଅହିରାବଣ ମଲା। କଟକଠାରୁ କରାଚୀ ପର୍ଯ୍ୟନ୍ତ, ଓଡ଼ିଶାରେ, ଭାରତରେ ଓ ଭାରତ ବାହାରେ ଏହି ପଞ୍ଚମୁଖୀ ହନୁମାନଙ୍କର ଅନେକ ମନ୍ଦିର ଓ ମୂର୍ତ୍ତି ଅଛି।

ସମ୍ବନ୍ଧିତ ଖବର