ମହାଭାରତର ପଞ୍ଚୁପାଣ୍ଡବ: ପଞ୍ଚ ମହାଦେବ

କବି ଜୟଦେବ ରସପୁରୁଷ ଶ୍ରୀକୃଷ୍ଣଙ୍କର ରୂପ ବର୍ଣ୍ଣନା କରିବାକୁ ଯାଇ ଲେଖିଥିଲେ, “ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ।” ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଯେ ଶ୍ରୀବିଷ୍ଣୁ, ଶ୍ରୀକୃଷ୍ଣ କି ଶ୍ରୀଜଗନ୍ନାଥ, ଯେ ବି ହୁଅନ୍ତୁ- ପରଂବ୍ରହ୍ମଙ୍କର ପ୍ରିୟ ଲେପନ ହେଉଛି ଚନ୍ଦନ। ଚନ୍ଦନରେ ପ୍ରଭୁଙ୍କର ବଡ଼ ଶରଧା।

ଚନ୍ଦନ ପରି, ଜଳକ୍ରୀଡ଼ା ସହିତ ମଧ୍ୟ ଶ୍ରୀକୃଷ୍ଣଙ୍କର ସଂପର୍କ ଅତି ଘନିଷ୍ଠ। ଗୋପଗୋପୀଙ୍କ ଗହଣରେ ଏପରି କ୍ରୀଡ଼ାରେ ତାଙ୍କର କୈଶୋର ହୋଇଛି ରସଘନ। ଖାଲି କୈଶୋର କାହିଁକି, ଦ୍ୱାରକାଧୀଶ ହେଲା ପରେ ମଧ୍ୟ ତାଙ୍କର, ଜଳକ୍ରୀଡ଼ାର ମୋହ ତୁଟିନଥିଲା। ଏକଦା ଇନ୍ଦ୍ରପ୍ରସ୍ଥରେ ଅବସ୍ଥାନ କାଳରେ ପ୍ରବଳ ଗ୍ରୀଷ୍ମ ତାପ ହେବାରୁ, ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଯମୁନାକୁ ଯାଇ ଜଳବିହାର କରିବାକୁ ପ୍ରସ୍ତାବ ଦେଲେ। ଅର୍ଜୁନଙ୍କର ପ୍ରସ୍ତାବ ଶୁଣି ଶ୍ରୀକୃଷ୍ଣ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ- ମୁଁ ଏକା କାହିଁକି ଯିବି, ଚାଲ ସମସ୍ତେ ସାଙ୍ଗହୋଇ ଜଳକ୍ରୀଡ଼ାର ଆନନ୍ଦ ନେବା। ଶ୍ରୀକୃଷ୍ଣଙ୍କ ପ୍ରସ୍ତାବରେ ପାଣ୍ଡବ ପାଞ୍ଚଭାଇଙ୍କ ସହିତ ଦ୍ରୌପଦୀ, ଅନ୍ତଃପୁରର ସମସ୍ତ ଲଳନା, ସେବକସେବିକା, ଶୃଙ୍ଗାରୀ, ବାଦକବାଦିକା, ଗାୟକ, ଗାୟିକା, ନୃତ୍ୟାଙ୍ଗନା, ପାଚକ, ସମସ୍ତେ ଏହି ଦିବ୍ୟଜଳକ୍ରୀଡ଼ାରେ ଅଂଶଗ୍ରହଣ କରିବା ନିମିତ୍ତ ବାହାରିଗଲେ।

ଏହାର ଦୀର୍ଘ ବର୍ଣ୍ଣନା ‘ମହାଭାରତ’ରେ ଅଛି।

ଆଜି ମଧ୍ୟ ସେହି ସ୍ମୃତିରେ କୃଷ୍ଣାୟିତ ଶ୍ରୀଜଗନ୍ନାଥଙ୍କର ଜଳକ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହେଉଛି। ଏହା ଚନ୍ଦନ ଯାତ୍ରା ନାମରେ ବିଖ୍ୟାତ। ଏହି ଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅର୍ଚ୍ଚା ବିଗ୍ରହ ଭାବରେ ଶ୍ରୀମଦନମୋହନ, ରାମ, କୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଭାବରେ ପଞ୍ଚ ମହାଦେବଙ୍କ ସହିତ ଜଳକ୍ରୀଡ଼ା କରିବାପାଇଁ ନରେନ୍ଦ୍ର ସରୋବରକୁ ବିଜେ କରିଥାନ୍ତି। ଏହି ଜଳକ୍ରୀଡ଼ାକୁ ମନମୋହକ କରିବାପାଇଁ ପୁଷ୍କରିଣୀ ମଧ୍ୟରେ ଦିବ୍ୟ ଚନ୍ଦନକୁଣ୍ଡମାନ ପ୍ରସ୍ତୁତ ହୋଇ ରହିଥାଏ। ସେଥିରେ ସମସ୍ତ ବିଗ୍ରହମାନେ ମନଭରି ସ୍ନାନ କଲା ପରେ, ଚନ୍ଦନଚର୍ଚ୍ଚିତ ଓ ପୁଷ୍ପାଳଙ୍କାର ମଣ୍ଡିତ ହୋଇ ‘ନନ୍ଦା’ ଓ ‘ଭଦ୍ରା’ ଚାପରେ ଆରୋହଣ କରି ନରେନ୍ଦ୍ରରେ ଖେଳନ୍ତି। ଆଗରେ ଚାଲେ ବଜୟନ୍ତ୍ରୀ ଚାପ। ଘଣ୍ଟା, ଘଣ୍ଟ, କାହାଳୀ, ଭଜନ, କୀର୍ତ୍ତନରେ ଚତୁର୍ଦ୍ଦିଗ ମୁଖରିତ ହେଉଥାଏ। ଏହି ମଧ୍ୟରେ ପଡ଼େ ବୈଶାଖ ପୂର୍ଣ୍ଣିମା।

କେତେକ ଗ୍ରାମାଞ୍ଚଳରେ ପ୍ରଭୁଙ୍କର ଚନ୍ଦନଯାତ୍ରା ଅକ୍ଷୟତୃତୀୟାରୁ ଆରମ୍ଭ ହୋଇ ଏହିଦିନ ସରୁଥିବାରୁ, ଏହି ପୂର୍ଣ୍ଣିମାକୁ ଚନ୍ଦନ ପୂର୍ଣ୍ଣିମା କୁହାଯାଏ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର