‘ପାନିକ୍ ଆଟାକ୍’ ହେଉଛି ଏକ ପ୍ରକାର ମାନସିକ ସମସ୍ୟା, ଯେଉଁଥିରେ ଦୁଶ୍ଚିନ୍ତା ଓ ଭୟ ମସ୍ତିଷ୍କକୁ କିଛି କ୍ଷଣ ଲାଗି ସଂପୂର୍ଣ୍ଣ ରୂପେ ଅକାମୀ କରିଦିଏ। ଅତୀତରେ ଏ ପ୍ରକାର ମାନସିକ ରୋଗର ଶିକାର ହୋଇଥିବା ‘ଶାଦି ଡଟ୍ କମ୍’ ପ୍ରତିଷ୍ଠାତା ତଥା ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ’ର ବିଚାରକ ଅନୁପମ ମିତ୍ତଲ ନିଜର ତିକ୍ତ ଅନୁଭୂତି ବର୍ଣ୍ଣନା କରିଛନ୍ତି।
ଅତୀତରେ ଏକଦା ନାନା ଦୁଶ୍ଚିନ୍ତା ସହ ସଂଘର୍ଷ କରୁଥିବା ବେଳେ ଅନୁପମ ପ୍ରଥମ ପାନିକ୍ ଆଟାକ୍ ଭୋଗିଥିଲେ। ତାଙ୍କ କହିବାନୁସାରେ, ପାନିକ୍ ଆଟାକ୍ ହେଉଛି ତାଙ୍କ ଜୀବନର ସବୁଠାରୁ ଭୟଙ୍କର ଅନୁଭୂତି। ସେ ଆମେରିକାରେ ଥିଲା ବେଳେ ପ୍ରଥମ କରି ପାନିକ୍ ଆଟାକ୍ର ଶିକାର ହୋଇଥିଲେ। ସେତେବେଳେ ସେ ଚାକିରି ହରାଇ ବସିଥା’ନ୍ତି। ତାଙ୍କୁ ଲାଗୁଥାଏ ସତେ ଯେପରି ପୃଥିବୀ ତାଙ୍କୁ ସଂପୂର୍ଣ୍ଣ ରୂପେ ଶେଷ କରିଦେବ। କାନ୍ଥ, ପାଚେରି ସବୁ ତାଙ୍କ ଉପରେ ପଡ଼ି ତାଙ୍କୁ ଦଳିମକଚି ଦେବେ। ଶ୍ବାସକ୍ରିୟାରେ ଭୀଷଣ କଷ୍ଟ ହେଉଥାଏ। ଏଭଳି ସ୍ଥିତିରେ ବାହାରକୁ ସେ ଅତି ଶାନ୍ତ ଧୀର ଜଣାପଡୁଥିଲେ ବି ଭିତରେ ସତେ ଯେମିତି ଆଗ୍ନେୟ ଉଦ୍ଗିରଣ ହେଉଥିଲା। ସେହି ମୁହୂର୍ତ୍ତରେ ସେ ପାନିକ୍ ଆଟାକ୍ ଜନିତ ଅସ୍ବସ୍ତିରୁ ମୁକ୍ତି ପାଇବା ଲାଗି ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। କେହି ଯଦି ନିଜକୁ ଗୁଳି କରିଦେବାକୁ କହିଥାନ୍ତା ସେ ତାହା ମଧ୍ୟ କରିବାକୁ ପ୍ରସ୍ତୁତ ଥିଲେ। ବାରମ୍ବାର ପାନିକ୍ ଆଟାକ୍ର ସମ୍ମୁଖୀନ ହେବାରୁ ୨୦୧୨ ମସିହାରେ ସେ ମନସ୍ତାତ୍ତ୍ବିକ ଚିକିତ୍ସା ଆରମ୍ଭ କରିଥିଲେ। ଅନୁରୂପ ଅବସ୍ଥା ଭୋଗିଥିବା ଜଣେ ବନ୍ଧୁଙ୍କ ପରାମର୍ଶରେ ପଢ଼ାପଢ଼ିରେ ମନ ଦେଇ ସଂକଟରୁ ମୁକୁଳିଥିଲେ।
ପାନିକ୍ ଆଟାକ୍ ବ୍ୟକ୍ତିକୁ ଅସହାୟ କରିଦିଏ। ସେ ନିଜକୁ ନାଚାର, ଉପାୟଶୂନ୍ୟ, ସଂପୂର୍ଣ୍ଣ ବିଫଳ ଓ ଅଦରକାରୀ ମନେ କରିଥାଏ। ଯାହାର ଉଦ୍ବେଗ ସ୍ତର ସାଧାରଣତଃ ଉଚ୍ଚା ରହିଥାଏ, ସେଭଳି ବ୍ୟକ୍ତି ପାନିକ୍ ଆଟାକ୍ର ଶିକାର ହେବାର ଆଶଙ୍କା ଅଧିକ।
ଅନୁପମ ମିତ୍ତଲ କହିଛନ୍ତି, ପାନିକ୍ ଆଟାକ୍ ବ୍ୟକ୍ତିକୁ ଅସହାୟ କରିଦିଏ। ସେ ନିଜକୁ ନାଚାର, ଉପାୟଶୂନ୍ୟ, ସଂପୂର୍ଣ୍ଣ ବିଫଳ ଓ ଅଦରକାରୀ ମନେ କରିଥାଏ। ଯାହାର ଉଦ୍ବେଗ ସ୍ତର ସାଧାରଣତଃ ଉଚ୍ଚା ରହିଥାଏ, ସେଭଳି ବ୍ୟକ୍ତି ପାନିକ୍ ଆଟାକ୍ର ଶିକାର ହେବାର ଆଶଙ୍କା ଅଧିକ। ତାଙ୍କ କହିବାନୁସାରେ, ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ମାନସିକ ସ୍ଥିତି ଥାଏ। ଯେଉଁମାନେ ସକ୍ରିୟ, ସୃଜନଶୀଳ ଓ ଜୀବନରେ କିଛି ବଡ଼ ହାସଲ କରିବାର ଆଶା ରଖିଥାନ୍ତି, ସେମାନେ ପାନିକ୍ ଆଟାକ୍ର ଅଧିକ ଶିକାର ହୋଇଥା’ନ୍ତି। ତେବେ କେହି ଏଭଳି ସ୍ଥିତିର ସାମନା କରୁଥିଲେ, ଅନ୍ୟ ସହ ପରାମର୍ଶ କରିବାକୁ କି ମନସ୍ତତ୍ବବିତ୍ଙ୍କ ସାହାଯ୍ୟ ନେବାକୁ ଆଦୌ କୁଣ୍ଠାବୋଧ ନ କରିବା ଲାଗି ସେ ନିବେଦନ କରିଛନ୍ତି।