ଚଇତି-ମଙ୍ଗଳବାରର ପନ୍ଥେଇ-ପୂଜା

ଚୈତ୍ରମାସର ମଙ୍ଗଳବାରଗୁଡ଼ିକରେ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ‘ପନ୍ଥେଇ-ପୂଜା’ କରାଯାଏ। ଏହା ଲୋକମୁଖରେ ‘ଚଇତି ମଙ୍ଗଳବାର’ ପୂଜା। ଏଥିରେ ସ୍ତ୍ରୀ ଲୋକମାନେ ଦାଣ୍ଡରେ କୋଠି ଖୋଳି, ସେଥିରେ ଚନ୍ଦନ, ସିନ୍ଦୂର ଆଦି ଦେଇ, କଳସ ବସାନ୍ତି। ଧୂପ ଓ ଦୀପ ଆଦି ଦେଇ, ପନ୍ଥେଇରେ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ପଣା ଓ ଉଖୁଡ଼ା ଭୋଗ ଆଦି ଦିଅନ୍ତି। ସନ୍ତାନମାନଙ୍କର ମଙ୍ଗଳ ମନାସି ଏହି ପନ୍ଥେଇ-ପୂଜା କରାଯାଏ। ଏହା ମଙ୍ଗଳା ବା ବାଟମଙ୍ଗଳାଙ୍କର ପୂଜା। ଏପରି ପନ୍ଥେଇ-ପୂଜା ଅନେକ ଅଞ୍ଚଳରେ ପୌଷ ମାସର କୃଷ୍ଣପକ୍ଷ ଦ୍ୱିତୀୟା, ଷଷ୍ଠୀ ଓ ଅଷ୍ଟମୀ ରାତିରେ ମଧ୍ୟ କରାଯାଇଥାଏ। ତେବେ ଚଇତି-ମଙ୍ଗଳବାରର ପନ୍ଥେଇ ପୂଜା ଓ ପୌଷ କୃଷ୍ଣପକ୍ଷର ପନ୍ଥେଇ-ପୂଜା ପରସ୍ପରଠାରୁ ଭିନ୍ନ।

ଚଇତି-ମଙ୍ଗଳବାରର ପନ୍ଥେଇ-ପୂଜା ସକାଳେ, ସୂର୍ଯ୍ୟୋଦୟ ସମୟରେ କରାଯାଏ। ମଙ୍ଗଳା ବ୍ରତର ପରମ୍ପରାଠାରୁ ଏହାର ଭିନ୍ନତା ରହିଛି। ପ୍ରାଚୀନ ଗଦ୍ୟରେ ଲେଖା ଚଇତି-ମଙ୍ଗଳବାର ଓଷା କଥାରେ ଉଲ୍ଲେଖ ଅଛି- “ସ୍ୱର୍ଗରେ ନିତେଇ ଧୋବଣୀ ଓ ମଞ୍ଚରେ ଚଇତି ହାଡ଼ିଆଣୀ ଏ ବ୍ରତ କରଇ।” ଏଥିରୁ ଜଣାଯାଏ- ପ୍ରଥମେ ଏ ଓଷା ସମାଜର ନିମ୍ନବର୍ଗର ମହିଳାଙ୍କ ମଧ୍ୟରେ ସୀମିତ ଥିଲା। ପରେ ଏହା ଓଷା ପ୍ରାୟ ସବୁ ବର୍ଗର ମହିଳା କରୁଛନ୍ତି।

ପନ୍ଥେଇ-ମଙ୍ଗଳବାର ଓଷା କଥାରେ, କଟୁଆଳ ସ୍ତ୍ରୀ ଏହି ଓଷା କରୁଥିବାର ଉଲ୍ଲେଖ ଅଛି। ବର୍ଣ୍ଣନା ଅଛି ଯେ- କଟୁଆଳ ସ୍ତ୍ରୀ ତିନିଟି ଗାତ ଖୋଳି, ସେଥିରେ ଦୁଧ, ମଦ ଓ ପଣା ଢାଳେ। ତାହାକୁ ମଙ୍ଗଳାଙ୍କର ପ୍ରତୀକ ମନେକରି ଖିରି, ଖେଚେଡ଼ି ଓ ମାଂସ ରାନ୍ଧି ଭୋଗ ଲଗାଏ। ଏହା ସୂଚାଏ, ଏକଦା ଏହି ପନ୍ଥେଇ-ଠାକୁରାଣୀ ବ୍ରାହ୍ମଣେତର ଜାତିର ନାରୀମାନଙ୍କ ଦ୍ୱାରା ପୂଜିତା ଲୌକିକ ଦେବୀ ଥିଲେ। ପରେ ପନ୍ଥେଇ-ଠାକୁରାଣୀ ବୃହତ୍ତର ମାତୃତାନ୍ତ୍ରିକ ସମାଜର ଦେବୀ ହୋଇଛନ୍ତି। ତାଙ୍କର ଓଷା ପୂଜାରୁ ମଦ ଓ ମାଂସ ଆଦି ଅପସରି ଯାଇ ଉପାସନା ଧାରାରେ ସାତ୍ତ୍ୱିକତା ଆସିଛି।
ଏବେ ହେଉଥିବା ଚଇତି-ମଙ୍ଗଳବାରର ପନ୍ଥେଇ ପୂଜା ବା ପୌଷ କୃଷ୍ଣପକ୍ଷର ପନ୍ଥେଇ ପୂଜାରେ ସେହି ସାତ୍ତ୍ୱିକତା ପରିଲକ୍ଷିତ।

ଫଟୋ ସୌଜନ୍ୟ: ପୁରୀ ୱେଭ୍‌ସ୍

ସମ୍ବନ୍ଧିତ ଖବର