ନୂଆଦିଲ୍ଲୀ: ପରିବର୍ତ୍ତିତ ସମୟରେ ପିଲାମାନଙ୍କୁ ଠିକ୍ ଭାବରେ ପାଳନ କରିବା ନେଇ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। 

Advertisment

ବିଶେଷକରି ଜେନ୍ ଜେଡ୍ ଏବଂ ଆଲଫା ପିଢ଼ିର ପିଲାମାନଙ୍କୁ ପରିଚାଳନା କରିବା ସହଜ ନୁହେଁ। ଏହି ପିଲାମାନେ ପ୍ରଯୁକ୍ତିବିଦ୍ୟା ଏବଂ ଇଣ୍ଟରନେଟ୍ ଦୁନିଆ ସହିତ ବଢ଼ିବାକୁ ଲାଗୁଛନ୍ତି। ଏ କ୍ଷେତ୍ରରେ ସମସ୍ତ ପ୍ରକାରର ଜ୍ଞାନ ଅଛି କିନ୍ତୁ କେଉଁଠା ଠିକ୍ ଏବଂ କେଉଁଟା ଭୁଲ ତାହା କହିବା ପାଇଁ କେହି ନାହାନ୍ତି। ପୂର୍ବରୁ ବଡ଼ ପରିବାର ଥିଲା, ଯେଉଁଠାରେ ପିଲାମାନେ ଜେଜେବାପା, ଜେଜେମା’, ଦାଦା, ଖୁଡ଼ି, ବାପା ଓ ମା’ଙ୍କ ମେଳରେ ରହି ଛୋଟରୁ ବଡ଼ ହେଉଥିଲେ। ଭୁଲ ଠିକ କହିବା ପାଇଁ ପରିବାରରେ ଅନେକ ଲୋକ ଥିଲେ। ପ୍ରତିଦିନ ସମସ୍ତେ ପିଲାକୁ କିଛି ନା କିଛି ଶିଖାଇଥାଆନ୍ତି। କିନ୍ତୁ ବର୍ତ୍ତମାନ ଏକାକି ପରିବାରର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। 

ପିଲାମାନଙ୍କର ବାପାମାଆ ଉଭୟ କାମ କରିବାକୁ ବାହାରି ଯାଉଛନ୍ତି। ଏପରି କ୍ଷେତ୍ରରେ ଅନେକ ବାପାମାଆ ସେମାନଙ୍କ ପିଲାମାନଙ୍କୁ ଡେ କେୟାରରେ କିମ୍ବା ଘରେ କେୟାର ଟେକରଙ୍କ ନିକଟରେ ଛାଡ଼ି ଦେଇ ଚାଲି ଯାଉଛନ୍ତି।  ଯେଉଁଠାରେ ପିଲାମାନେ ନା ସେମାନଙ୍କ ପ୍ରିୟଜନଙ୍କ ସ୍ନେହ ପାଆନ୍ତି ନା ଭଲ ମୂଲ୍ୟ ପାଆନ୍ତି। ଏପରି ପରିସ୍ଥିତିରେ, କର୍ମଜୀବୀ ପିତାମାତାଙ୍କ ପାଇଁ ୭-୭-୭ସୂତ୍ର ବହୁତ ଲାଭକାରୀ ପ୍ରମାଣିତ ହେଉଛି। ତେବେ ଏହି ସୂତ୍ର କ’ଣ ଆସନ୍ତୁ ଜାଣିବା।

ପ୍ୟାରେଣ୍ଟିଙ୍ଗର ୭-୭-୭ ନିୟମ ପିଲାମାନଙ୍କର ମାନସିକ ଏବଂ ଶାରୀରିକ ବିକାଶରେ ସାହାଯ୍ୟ କରେ। ଏହା ପିଲା ଏବଂ ପିତାମାତାଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ସୃଷ୍ଟି କରେ ଏବଂ ପିଲା ସହିତ ଆପଣଙ୍କର ସମ୍ପର୍କକୁ ମଜବୁତ କରେ। 

୭-୭-୭ ନିୟମରେ, ଆପଣଙ୍କୁ ଦିନକୁ ତିନିଥର ପିଲା ସହିତ ୭-୭-୭ ମିନିଟ୍ ବିତାଇବାକୁ ପଡିବ।
ଆପଣଙ୍କୁ ସକାଳେ ପିଲା ସହିତ ୭ ମିନିଟ୍ ବିତାଇବାକୁ ପଡିବ। ଏହି ୭ ମିନିଟ୍ ସାରା ଦିନ ପିଲାକୁ ସକାରାତ୍ମକ ରଖିବାରେ ସାହାଯ୍ୟ କରିବ। ପିଲାମାନଙ୍କୁ ବିଛଣାରୁ ସ୍ନେହରେ ଉଠାଇ କିଛି ସମୟ ତାର ସହିତ ସମୟ କାଟନ୍ତୁ। ଏହି ୭ ମିନିଟ୍ ମଧ୍ୟରେ ପିଲାର ସହିତ କିଛି କଥା ହୁଅନ୍ତୁ। ଏ ସମୟରେ ଆପଣ ଯାହାବି କହିବେ ପିଲାମାନେ ତାହାକୁ ଧ୍ୟାନର ସହିତ ଶୁଣି ଥାଆନ୍ତି। 

ସେହିପରି ପରିବାର ସହିତ ବିତାଇବା ପାଇଁ ସନ୍ଧ୍ୟା ସମୟ ହେଉଛି ସର୍ବୋତ୍ତମ ସମୟ। ସନ୍ଧ୍ୟାରେ ୭ ମିନିଟ୍ ପିଲାଙ୍କ ସହିତ ବସି ତାଙ୍କ ଦିନ କେମିତି କଟିଲା ସେ ବିଷୟରେ ପଚାରନ୍ତୁ । । ପିଲା ସହିତ ତାଙ୍କ ସ୍କୁଲ ବିଷୟରେ କଥାବାର୍ତ୍ତା ହୁଅନ୍ତୁ। ତାଙ୍କର ଦିନ କିପରି ଥିଲା, ଆଜି ସେ କେଉଁ ନୂଆ ଜିନିଷ ଶିଖିଲା ଏବଂ ତାଙ୍କର କ’ଣ ଆକର୍ଷଣୀୟ ଅଭିଜ୍ଞତା ଥିଲା। ଏହି ସମୟରେ, ପିଲାଟି କ’ଣ କହୁଛି ତାର ସବୁ ଛୋଟ ବଡ଼ କଥାକୁ ଧ୍ୟାନ ସହିତ ଶୁଣନ୍ତୁ।

ଏ ସମୟରେ ଯଦି ଆପଣ ପିଲା କ୍ଷେତ୍ରରେ  କୌଣସି ସମସ୍ୟା ଦେଖୁଛନ୍ତି ତେବେ ତାହାର ସମାଧାନ ଯଥାଶୀଘ୍ର କରାଇନ୍ତୁ। ଏହା ପିଲା ଓ ପିତାମାତାଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ରାମବାଣ ସଦୃଶ୍ୟ ହୋଇଥାଏ।

ଯେପରି ପିଲାଟି ସକାଳେ ବାପା ଓ ମା’ଙ୍କ କଥାକୁ ଧ୍ୟାନରେ ଶୁଣେ ସେହିପରି ରାତିରେ ୭ ମିନିଟ୍ ମଧ୍ୟ ବହୁତ ସ୍ୱତନ୍ତ୍ର ରହିଥାଏ। ଏହି ସମୟରେ ପିଲାମାନଙ୍କୁ କାହାଣୀ କୁହାଯାଇ ସେମାନଙ୍କୁ କିଛି ନୈତିକ ଶିକ୍ଷା ଦିଆଯାଇ ପାରିବ। 

ସମୟସମୟରେ ପିଲାକୁ ଆଲିଙ୍ଗନ କରିବ ଉଚିତ। ଏହା ପିଲାକୁ ଶାନ୍ତି ଏବଂ ସୁରକ୍ଷାର ଭାବନା ଦେଇଥାଏ। ସେ ରାତିରେ ଭଲ ଶୋଇଥାଏ ଏବଂ ସକାଳେ ସମ୍ପୂର୍ଣ୍ଣ ସତେଜ ଅନୁଭବ କରିଥାଏ।