ପାଠୁଆ ପୁଅ- ଅପାଠୁଆ ପୁଅ

ପୁରାଣ ପରି ଆମର ବ୍ରତକଥାଗୁଡ଼ିକ ମଧ୍ୟ ଲୋକଶିକ୍ଷାର ଗନ୍ତାଘର। କାହାଣୀ ଛଳରେ ସେଥିରେ ଲୋକଶିକ୍ଷା ଦିଆଯିବା ସହିତ ଆମକୁ ଦେବୀ, ଦେବତାଙ୍କର ଶରଣାଗତ ହେବାର ପ୍ରେରଣା ମିଳେ। ‘ବରୁଥିନୀ ଏକାଦଶୀ’ ବ୍ରତକଥା ଏହାର ବ୍ୟତିକ୍ରମ ନୁହେଁ।

ଏହି ବ୍ରତକଥା ଅନୁସାରେ, କାଶୀନଗରରେ ବାସ କରୁଥିଲେ ଜଣେ ବ୍ରାହ୍ମଣ। ସେ ଭିକ୍ଷାଟନ କରି ଜୀବିକା ନିର୍ବାହ କରନ୍ତି। ତାଙ୍କର ତିନିପୁଅ। ସାନ ଦୁଇପୁଅ ପାଠୁଆ ଓ ବଡ଼ପୁଅ ଅପାଠୁଆ।

ଦିନେ ବ୍ରାହ୍ମଣଙ୍କୁ ଜ୍ୱର ହେବାରୁ ସେ ଭିକ୍ଷାଟନକୁ ଯାଇପାରିଲେ ନାହିଁ। ତେଣୁ ତିନିପୁଅଙ୍କୁ ଭିକ୍ଷା ସଂଗ୍ରହପାଇଁ ପଠାଇଲେ। ଏହିପରି ଭାବରେ ତିନିପୁଅ ମଧ୍ୟ ଭିକ୍ଷାଟନ କଲେ।

ବ୍ରାହ୍ମଣଙ୍କର କିନ୍ତୁ ଇଚ୍ଛା ଥିଲା- ପୁଅମାନେ ପାଠ ପଢ଼ନ୍ତୁ। ତେଣୁ ସେ ତିନିପୁଅଙ୍କୁ ବେଦଶାସ୍ତ୍ର ପଢ଼ିବାକୁ ଉପଦେଶ ଦେଲେ। ପିତାଙ୍କ ଉପଦେଶ ମାନି ସାନ ଦୁଇପୁଅ ବେଦ ପଢ଼ିଲେ ମଧ୍ୟ, ବଡ଼ପୁଅ ପଢ଼ିଲା ନାହିଁ। ସେ ପୂର୍ବପରି ଭିକ୍ଷାଟନ କରିବାରେ ଲାଗିଲା। ଅଭାବ କଷ୍ଟରେ ତା’ର ଦିନ ବିତୁଥିଲା। ସବା ସାନ ପୁଅ ବେଦ ପଢ଼ି ବଡ଼ ପଣ୍ଡିତ ହେଲା। ଭିକ୍ଷାଟନ କଲେ ମଧ୍ୟ ବ୍ରାହ୍ମଣୋଚିତ କର୍ମଯୋଗୁଁ ତାକୁ ବହୁ ଆଦର ସମ୍ମାନ ମିଳୁଥିଲା।

ଦିନେ ବଡ଼ପୁଅ ଏକ ସୁନ୍ଦରୀ ଯୁବତୀକୁ ଭୁଲାଇ ଘରକୁ ନେଇ ଆସିଲା। ସେଥିରେ କ୍ଷୁବ୍‌ଧ ହୋଇ ବ୍ରାହ୍ମଣ ତାକୁ ଘରୁ ବାହାର କରିଦେଲେ। ସେ ଯାଇ ଅନ୍ୟ ଏକ ଗ୍ରାମରେ ରହିଲା।

ଥରେ ଭିକ୍ଷାଟନ ବେଳେ ଦୁଇଭାଇ ଭେଟାଭେଟି ହେଲେ। ବଡ଼ଭାଇ ସାନଭାଇକୁ ବହୁତ ଆଦର କଲା। ସାନଭାଇ କହିଲା- ବରୁଥିନୀ ଏକାଦଶୀ ବ୍ରତ କଲେ ସବୁ ଦୁଃଖ ଓ ଦୋଷ ଦୂରହେବ। ସେ କଥା ମାନି ବଡ଼ଭାଇ ବରୁଥିନୀ ଏକାଦଶୀ କଲା। ନିଷ୍ଠାର ସହିତ ବ୍ରତ ପାଳନ କରିବାରୁ ମଧୁସୂଦନ ତାକୁ ସ୍ୱପ୍ନରେ ଦେଖାଦେଲେ। କହିଲେ- ଏ ଏକାଦଶୀ ପାଳନ ଫଳରେ ତୁମର ସମସ୍ତ ଦୋଷ ଦୂର ହୋଇଛି। ଏବେ ଘରକୁ ଫେରିଯାଇ ବ୍ରାହ୍ମଣୋଚିତ କର୍ମରେ ମନ ଦିଅ।

ସେହି ସ୍ୱପ୍ନାଦେଶ ଅନୁସାରେ ବଡ଼ଭାଇ ନିଜ ଘରକୁ ଫେରିଲା। ବୃଦ୍ଧ ବ୍ରାହ୍ମଣ ମଧ୍ୟ ବଡ଼ପୁଅ ଓ ବୋହୂକୁ ଗ୍ରହଣ କଲେ ଏବଂ ତାର ସବୁ ଦୋଷ କ୍ଷମା କଲେ। ଏଥର ପିତାଙ୍କ ଉପଦେଶ ମାନି ସେ ବି ବେଦଶାସ୍ତ୍ର ଆଦି ଅଧ୍ୟୟନ କରି, ବ୍ରାହ୍ମଣୋଚିତ କର୍ମ କଲା।

ଏଣୁ ଏହି ବରୁଥିନୀ ବ୍ରତକଥାରେ ବିଦ୍ୟା ଅଧ୍ୟୟନର ମହତ୍ତ୍ୱ ସୂଚିତ ହୋଇଛି। ଯେଉଁ କର୍ମ କରିବା ଉଚିତ, ତାହା ହିଁ କରିବା ଆମପାଇଁ ଶ୍ରେୟସ୍କର ବୋଲି ସୂଚାଇ ଦିଆଯାଇଛି।

ସମ୍ବନ୍ଧିତ ଖବର