‘ପୁଷ୍ୟା’ ନକ୍ଷତ୍ର ଅନୁସାରେ ‘ପୌଷ’ ମାସର ନାମକରଣ ହୋଇଛି। ଲୋକମୁଖରେ ଏହା ‘ପୁଷ’ ମାସ। ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମାରେ, ଚନ୍ଦ୍ର ଓ ରବିଙ୍କ ପ୍ରଭାବରେ, ମନୁଷ୍ୟ ପବିତ୍ର ମନର ଅଧିକାରୀ ହୋଇଥାନ୍ତି। ଏହି ଦୃଷ୍ଟିରୁ, ଏ ମାସରେ ଦେବାଭିଷେକ ନୀତି ସଂପନ୍ନ ହୋଇଥାଏ।

Advertisment

ଏହି ମାସରେ ସୂର୍ଯ୍ୟଙ୍କର ବିଶେଷ ଗୁରୁତ୍ୱ ଥାଏ। ‘ରବି’ ସୂର୍ଯ୍ୟଙ୍କ ବାର। ଏଣୁ ଏହି ମାସର ରବିବାରଗୁଡ଼ିକରେ ସୂର୍ଯ୍ୟଦେବ ବା ‘ରବିନାରାୟଣ’ଙ୍କର ପୂଜା କରାଯାଏ। ଏଥିରେ ‘ଭବିଷ୍ୟପୁରାଣ’ ବର୍ଣ୍ଣିତ ‘ରବିନାରାୟଣ ବ୍ରତକଥା’ ପାଠ କରାଯାଏ।

‘ପୁଷ ରବିବାର ବ୍ରତକଥା’ ଏହାଠାରୁ ଭିନ୍ନ। ବ୍ରତକଥା ଅନୁସାରେ, ପ୍ରାଚୀନ ମରହଟ୍ଟା ଦେଶ ବା ସୌରାଷ୍ଟ୍ରରେ ଥିଲେ ‘ସୁଗତ’ ନାମକ ଜଣେ ରାଜା। ତାଙ୍କ ରାଣୀଙ୍କ ନାଆଁ ସୁଶୀଳା। ନାମ ଅନୁରୂପେ, ରାଜା ଓ ରାଣୀ ଥିଲେ ସଦ୍‌ଗୁଣ ସଂପନ୍ନ ଓ ଧର୍ମପରାୟଣ। ତାଙ୍କର ପୁତ୍ର ରତ୍ନାକର ମଧ୍ୟ ଥିଲେ ବିଦ୍ୱାନ୍ ଓ ଗୁଣବାନ୍।

ପୁତ୍ରର ବିବାହ ବୟସ ହେବାରୁ, କର୍ଣ୍ଣାଟ ଦେଶର ଜଣେ ସାଧବଙ୍କ କନ୍ୟା ବେଳାବତୀଙ୍କ ସହିତ ତାଙ୍କର ବିବାହ ହେଲା। ସାଧବ ଝିଅ-ଜ୍ୱାଇଁଙ୍କୁ ଅନେକଗୁଡ଼ିଏ ଶଗଡ଼ରେ ବହୁ ମୂଲ୍ୟବାନ ଉପହାର ଦେଲେ।

ରତ୍ନାକର ଓ ସୁଶୀଳାଙ୍କର ସେହି ବିବାହ ଶୋଭାଯାତ୍ରା ସୌରାଷ୍ଟ୍ର ଅଭିମୁଖେ ଆସୁଥିବାବେଳେ, ସୂର୍ଯ୍ୟଙ୍କର ଅସ୍ତସମୟ ଉପଗତ ହେଲା। ତାହା ଦେଖି ବେଳାବତୀ ଭାବିଲେ- ସୂର୍ଯ୍ୟ ଅସ୍ତ ହୋଇଗଲେ, ମୋର ପିତା ଦେଇଥିବା ଏହିସବୁ ଉପହାର ସୌରାଷ୍ଟ୍ରବାସୀ ଦେଖିପାରିବେ ନାହିଁ। ତେଣୁ ସେ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କଲେ ଏବଂ ସୂର୍ଯ୍ୟଦେବ ତାହା ଶୁଣି, ତାଙ୍କର ଅସ୍ତସମୟକୁ ବିଳମ୍ବିତ କରିଦେଲେ।

ସେହି ବିଳମ୍ବରେ ସୂର୍ଯ୍ୟମାତା ବ୍ୟସ୍ତ ହେଲେ ଏବଂ ଯାହାଙ୍କ ଯୋଗୁଁ ଏପରି ଘଟିଛି ତାଙ୍କୁ କୁଷ୍ଠରୋଗ ହୋଇଯାଉ ବୋଲି ଅଭିଶାପ ଦେଲେ। ଫଳରେ ବେଳାବତୀ କୁଷ୍ଠରୋଗରେ ଆକ୍ରାନ୍ତ ହେଲେ। ରାଜାରାଣୀ ବ୍ରାହ୍ମଣ ଡାକି ତାହାର କାରଣ ଓ ନିରାକରଣ ପଚାରିବାରୁ, ବ୍ରାହ୍ମଣମାନେ ସୂର୍ଯ୍ୟମାତାଙ୍କ ଅଭିଶାପ କଥା କହି, ପୁଷ-ରବିବାର ବ୍ରତ ପାଳନ କଲେ ଯୁବରାଣୀ ରୋଗମୁକ୍ତ ହେବେ ବୋଲି କହିଲେ। ଫଳରେ ପୁଷ-ରବିବାର ବ୍ରତ କରି ବେଳାବତୀ କୁଷ୍ଠମୁକ୍ତ ହେଲେ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଭବିଷ୍ୟ ପୁରାଣର ‘ରବି ନାରାୟଣ ବ୍ରତକଥା’ରେ, ଶାମ୍ବଙ୍କ ରୋଗମୁକ୍ତି କଥା ଥିବାବେଳେ, ‘ପୁଷ ରବିବାର ବ୍ରତକଥା’ରେ ବେଳାବତୀଙ୍କ ରୋଗମୁକ୍ତି କଥା ଅଛି। ଏହା ମଧ୍ୟ, ସୂର୍ଯ୍ୟଙ୍କ ଉପାସନା ସହିତ କୁଷ୍ଠରୋଗ ମୁକ୍ତି ପ୍ରସଙ୍ଗକୁ ଯୋଡ଼ିଦେଇଛି। ଏହା ମାଧ୍ୟମରେ, ପୁଷମାସର ରବିବାରଗୁଡ଼ିକରେ ସୂର୍ଯ୍ୟଙ୍କର ପୂଜା କରିବାପାଇଁ ଆମକୁ ନିର୍ଦ୍ଦେଶ ଦିଆଯାଇଛି।