ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ପୌଷପୂର୍ଣ୍ଣମୀ ଅଭିଷେକ ଓ ପୁଷ୍ପବେଶ

ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ପୌଷାଭିଷେକ ଅନ୍ତର୍ଭୁକ୍ତ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ଏହାକୁ ‘ପୁଷ୍ୟ ସ୍ନାନୋତ୍ସବ’ ବୋଲି କୁହାଯାଇଛି। ମୁନିଗଣଙ୍କର ପ୍ରଶ୍ନର ଉତ୍ତରରେ ଜୈମିନୀ ଋଷି କହିଛନ୍ତି- “ହେ ମୁନିଗଣ! ଯେଉଁ ବର୍ଷ ପୌଷମାସ ପୂର୍ଣ୍ଣିମାରେ ପୁଷ୍ୟା ନକ୍ଷତ୍ର ଯୋଗ ହେବ, ସେହି ବର୍ଷ ଭଗବାନ ହରିଙ୍କ ପୁଷ୍ୟସ୍ନାନ ମହୋତ୍ସବ କରିବା ବିଧେୟ।” ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ ଆଦି ଗ୍ରନ୍ଥରେ ଏହାକୁ ‘ପୁଷ୍ୟୋତ୍ସବ’, ‘ପୁଷ୍ୟଯାତ୍ରା’, ‘ଅଭିଷେକୋତ୍ସବ’ କୁହାଯାଇଛି।

‘ବ୍ରହ୍ମପୁରାଣ’ ଅନୁସାରେ, ପୂର୍ବକାଳରେ ଏହି ଜଗତ ଲକ୍ଷ୍ମୀ ପରିତ୍ୟକ୍ତ ହେବାରୁ ଶ୍ରୀହୀନ ହୋଇଯାଇଥିଲା। କିନ୍ତୁ, ଇନ୍ଦ୍ର, ସୋମ, ଶୁକ୍ର ଓ ବୃହସ୍ପତି ଆଦି ତପସ୍ୟା କରିବାରୁ, ପୌଷପୂର୍ଣ୍ଣମୀ ତିଥିରେ ପୁନଶ୍ଚ ଲକ୍ଷ୍ମୀଙ୍କଦ୍ୱାରା ଏହି ଜଗତକୁ ଶ୍ରୀ ଫେରିଥିଲା। ଏଣୁ ଏହି ତିଥିରେ ସୌଭାଗ୍ୟ ପ୍ରଦାୟକ ଓ ଉତ୍ସାହବ୍ୟଞ୍ଜକ ପୁଷ୍ୟୋତ୍ସବ ଅନୁଷ୍ଠିତ ହୁଏ।

ବରାହମିହିର ପ୍ରଣୀତ ‘ବୃହତ୍ ସଂହିତା’ରେ ଥିବା ଉଲ୍ଲେଖ ଅନୁସାରେ- ଦେବତା ଓ ଅସୁରଙ୍କ ଯୁଦ୍ଧରେ ଦେବତାମାନେ ପରାସ୍ତ ହେଲେ। ଫଳରେ ସେମାନଙ୍କର ଗୁରୁ ବୃହସ୍ପତି ଏହି ତିଥି ଓ ନକ୍ଷତ୍ରରେ ଦେବରାଜ ଇନ୍ଦ୍ରଙ୍କୁ ଧ୍ୟାନଯୋଗେ ଅଭିଷିକ୍ତ କରାଇଥିଲେ। ଫଳରେ ଦେବରାଜ ଇନ୍ଦ୍ରଙ୍କ ସମେତ ଅନ୍ୟ ଦେବଗଣ ଶକ୍ତିଶାଳୀ ହୋଇ ଅସୁରଙ୍କୁ ପରାସ୍ତ କରିଥିଲେ। ଏଣୁ ଏହି ତିଥିରେ ରାଜାମାନଙ୍କର ମଧ୍ୟ ଅଭିଷେକ ଉତ୍ସବ ଆୟୋଜିତ ହୋଇଥାଏ।

ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ସେ ଦେବାଧିଦେବ। ତେଣୁ ପୌଷପୂର୍ଣ୍ଣିମାରେ, ଶ୍ରୀମନ୍ଦିରର ରତ୍ନସିଂହାସନରେ ତାଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୁଏ। ସେଥିରେ ଶ୍ରୀଜଗନ୍ନାଥ, ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପଧନୁ ଓ ପୁଷ୍ପତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍‌ଗ, ଢାଲ ଏବଂ ହଳ ଓ ମୂଷଳ ଧାରଣ କରିଥାନ୍ତି। ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ।

‘ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀଜଗନ୍ନାଥଙ୍କର ଏହି ଉତ୍ସବ ଅବଲୋକନ କଲେ ମନର ସମସ୍ତ ଅଭୀଷ୍ଟ ପୂରଣ ହୁଏ ଏବଂ ଅନ୍ତିମ କାଳରେ ବିଷ୍ଣୁପଦ ଲାଭ ହୋଇଥାଏ।

ସମ୍ବନ୍ଧିତ ଖବର