ଜେନେଭା: ଭାରତରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ବଢ଼ିବାରେ ଲାଗିଛି। ଏବେ ଦେଶରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ୬୭.୭ ବର୍ଷ ହୋଇଯାଇଛି। ପୂର୍ବରୁ ଏହା ୬୨.୭ ବର୍ଷଥିଲା। ଫଳରେ ଏବେ ଦେଶର ଲୋକେ ହାରାହାରି ୫ ବର୍ଷ ଅଧିକ ବଞ୍ଚୁଛନ୍ତି। ସେହିପରି ଦେଶର ପ୍ରତି ଲୋକଙ୍କର ମୁଣ୍ଡପିଛା ରୋଜଗାର ବଢ଼ି ହାରାହାରି ୬୯୫୧ ଡଲାର ହୋଇଛି। ଜାତିସଂଘ ମାନବ ବିକାଶ ସୂଚକାଙ୍କ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ନୂଆ ରିପୋର୍ଟରେ ୧୯୩ ଦେଶ ମଧ୍ୟରେ ଭାରତ ୧୩୪ସ୍ଥାନରେ ରହିଛି। ପୂର୍ବ ରିପୋର୍ଟରେ ଭାରତର ସ୍ଥାନ ୧୯୨ ଦେଶ ମଧ୍ୟରେ ୧୩୫ ଥିଲା।

Advertisment

୨୦୨୨ରେ ଭାରତର ମାନବ ବିକାଶ ସୂଚକାଙ୍କ ମୂଲ୍ୟରେ ୦.୬୪୪ ବୃଦ୍ଧି ଘଟିଛି। ପୂର୍ବରୁ ୨୦୨୧ରେ ଏହା ୦.୬୩୩ ଥିଲା। ୟୁନଡିପିର ମାନବ ବିକାଶ ରିପୋର୍ଟ ୨୦୨୩-୨୦୨୪ର ସୂଚକାଙ୍କରେ ଭାରତ ଲିଙ୍ଗଗତ ତାରତମ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ୟୁନଡିପି ପକ୍ଷରୁ ଲିଙ୍ଗଗତ ଅସମାନତା ସୂଚକାଙ୍କ ୨୦୨୨ ଜାରି କରାଯାଇଛି।

ରିପୋର୍ଟ ଅନୁସାରେ ଲିଙ୍ଗଗତ ଅସମାନତାରେ ୨୦୨୨ରେ ଭାରତର ସ୍କୋର ୦.୪୩୭ ରହିଛି। ୧୯୩ ଦେଶ ମଧ୍ୟରେ ଭାରତ ୧୦୮ ସ୍ଥାନରେ ରହିଛି। ୨୦୨୧ରେ ଏହି ସ୍କୋର ୦.୪୯୦ ଥିଲା ଏବଂ ୧୯୨ ଦେଶ ମଧ୍ୟରେ ଭାରତ ସ୍ଥାନ ୧୨୨ ଥିଲା। ଗତ ୧୦ ବର୍ଷରେ ଲିଙ୍ଗଗତ ଅସମାନତାରେ ଭାରତ ଅଗ୍ରଗତି କରିଛି। ମହିଳା ସଶକ୍ତିକରଣ ଦ୍ବାରା ଏହା ସମ୍ଭବ ହୋଇ ପାରିଛି। ଭାରତ ସରକାରଙ୍କ ମହିଳା ବିକାଶ ନୀତି ଯୋଗୁ ଲିଙ୍ଗଗତ ତାରତମ୍ୟ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।