ଫ୍ୟାସନ୍‌ର ନୂଆ ଟ୍ରେଣ୍ଡ୍‌ : ପର୍ମାନେଣ୍ଟ୍‌ ନେଲ୍‌ ଆର୍ଟ

ହାତରେ ରଙ୍ଗବେରଙ୍ଗର ନେଲ୍‌ ପଲିସ୍‌ ଲଗାଇବାକୁ କାହାକୁ ବା ଭଲ ନ ଲାଗେ। ଏହି ଟ୍ରେଣ୍ଡ୍‌ରୁ ଆଗକୁ ବଢ଼ି ଆରମ୍ଭ ହୋଇଥିଲା ନେଲ୍‌ ଆର୍ଟ। ନଖରେ ଦୁଇ ତିନି ପ୍ରକାର ନେଲ୍‌ପଲିସ୍‌ ଲଗାଇବା ସହ ସେଥିରେ ବିଭିନ୍ନ ଚିତ୍ର, ଫୁଲ କରିବା, ଜିଙ୍କ୍‌ ଲଗାଇବା, ୱାଟରୁ କଲ୍‌ର୍‌ ନେଲ୍‌ପଲିସ୍‌ ପୁଣି ଟୁଡି ଓ ଥ୍ରିଡି ନେଲ୍‌ ଆର୍ଟ ଆଦି ମହିଳାମାନଙ୍କ ମଧ୍ୟରେ ବହୁଳ ପ୍ରଚଳିତ ହେଲା। କଲେଜ ପଢ଼ୁଆ ଝିିଅଙ୍କଠାରୁ ଆରମ୍ଭ କରି ବିବାହ କରିବାକୁ ଯାଉଥିବା ଝିଅ ଓ ନବ ବିବାହିତାମାନେ ଏହାକୁ ବେଶି ପସନ୍ଦ କରୁଥିଲେ। ବର୍ତ୍ତମାନ ଫ୍ୟାସନ୍‌ ଜଗତରେ ନୂଆ ଟ୍ରେଣ୍ଡ ଭାବେ ସାମିଲ୍‌ ହୋଇଛି ପର୍ମାନେଣ୍ଟ ନେଲ୍‌ ଆର୍ଟ।

ଯେଉଁଭଳି କୁଞ୍ଚକୁଞ୍ଚିଆ କେଶକୁ ପର୍ମାନେଣ୍ଟ ସିଧା କରି ଦିଆଯାଉଛି, ସେହିଭଳି ଯାହାର ଚେପ୍‌ଟା, ଛୋଟ ବା ଅସୁନ୍ଦର ନଖ ସେମାନଙ୍କ ପାଇଁ ଫ୍ୟାସନ୍‌ ଦୁନିଆ ନେଇ ଆସିଛି ଏହି ର୍ପ‌ମାନେଣ୍ଟ ନେଲ୍‌ ଆର୍ଟ ଭଳି ସମାଧାନର ବାଟ। ଏହା ଦ୍ୱାରା ଆପଣ ଚାହୁଁଥିବା ଆକାର ଓ ମାପ ଅନୁଯାୟୀ ନଖ ପାଇପାରିବେ। ଏଥିରେ ବିଭିନ୍ନ ରଙ୍ଗର ନେଲ୍‌ପଲିସ୍‌ ଲଗାଯିବା ସହିତ ଆପଣଙ୍କ ଚାହିଁବା ଅନୁଯାୟୀ ଚିତ୍ରିତ କରାଯାଇପାରିବ। ଏଥିରେ ଭିନ୍ନ ଭିନ୍ନ ରଙ୍ଗର ଜିଙ୍କ୍‌, ଷ୍ଟୋନ୍‌ ଆଦି ଖଚିତ କରାଯାଇପାରିବ। ପୁଣି ଟୁ-ଡି, ଥ୍ରି-ଡି ପେଣ୍ଟିଂ ମଧ୍ୟ କରାଯାଇପାରେ। ଏହି ଆର୍ଟର ପ୍ରକାର ଅନୁଯାୟୀ ଭିନ୍ନ ଭିନ୍ନ ଦାମ୍‌ ରହିଛି। ସାଧାରଣତଃ ଏହା ୧୬୦୦ ଟଙ୍କାରୁ ଆରମ୍ଭ ହୋଇ ତା’ଠୁ ଅଧିକ ରହିଥିବା ବେଳେ ଟେମ୍ପରାରି ନେଲ୍‌ ଆର୍ଟର ଦର ୫୦୦ ଟଙ୍କା ରହିଛି।

ବିୟୁଟିସିଆନ୍‌ ଗୀତା ମେହେତା କୁହନ୍ତି, ପର୍ମାନେଣ୍ଟ ନେଲ୍‌ ଆର୍ଟ ପରେ ଏହି ରଙ୍ଗିନ୍‌ ନଖ ସବୁ ଦିନ ପାଇଁ ରହିବ। ଯେଉଁଭଳି କେଶ ଷ୍ଟ୍ରେଟ୍‌ନିଂ କରିବାର କିଛି ଦିନ ପରେ କେଶ ବଢ଼ିଲେ ଆମକୁ ଟଚ୍‌ ଅପ୍‌ ଦେବାକୁ ପଡ଼େ ସେହିଭଳି ଏହି ପର୍ମାନେଟ୍‌ ନେଲ୍‌ ଆର୍ଟ କରିବାର ତିନି ସପ୍ତାହ ପର୍ଯ୍ୟନ୍ତ ଏହା ସେହିଭଳି ରହିବ। ୩ ସପ୍ତାହ ପରେ ନଖ ବଢ଼ିଲେ ଯାଇ କେବଳ ରି-ଫିଲ୍‌ କରିବାକୁ ପଡ଼ିବ। ଏହି ପରି ନିୟମିତ ବ୍ୟବଧାନରେ ରି-ଫିଲ୍‌ ଦରକାର ହୁଏ। ବାକି ଆପଣଙ୍କ ଯେମିତି ପସନ୍ଦ ସେମିତି ନଖ ଏହା ଦ୍ୱାରା ପାଇପାରିବେ। ରି-ଫିଲ୍‌ ପାଇଁ ମାତ୍ର ୪୦୦ ଟଙ୍କା ଲାଗେ ବୋଲି ସେ କହିଛନ୍ତି। ପୁଣି ପର୍ମାନେଣ୍ଟ ନେଲ୍‌ ଆର୍ଟ କରିବା ପରେ ସେମିତି କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼େ ନାହିଁ। କେବଳ ଏକ ତେଲ ମାଲିସ୍‌ କରିବାକୁ ପଡ଼େ ବୋଲି ସେ କହିଛନ୍ତି। ବିବାହ କରିବାକୁ ଯାଉଥିବା ମହିଳା ଓ ଉଚ୍ଚ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାମାନଙ୍କ ମଧ୍ୟରେ ଏହାର ଅଧିକ ଚାହିଦା ରହିଛି ବୋଲି ଗୀତା କହିଛନ୍ତି।

ସମ୍ବନ୍ଧିତ ଖବର