ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣ ଅବତାର-୧

କଂସ ରୂପରେ ମୋକ୍ଷପ୍ରାପ୍ତିର ତୀବ୍ର କାମନା, ସାଧନାର ଉଗ୍ରସେନ ସ୍ୱରୂପକୁ ଅକ୍ତିଆର କରି ଶରୀରରୂପକ ମଥୁରା ଉପରେ ନିଜର ଅଧିକାରକୁ ଜାହିର କରେ। କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ କଂସରୂପୀ ବିରାଟ କାମନା ଅନୁଭବ କରେ ମୃତ୍ୟୁ। ତାକୁ ଲାଗେ, ପିଣ୍ଡବ୍ରହ୍ମାଣ୍ଡରେ ଏପରି କିଛି ଚେତନାର ସ୍ୱରୂପ ଜନ୍ମ ହେବ, ଯାହା ତାହାର ମୃତ୍ୟୁ ବା ବିଲୟର କାରଣ ହେବ। ନିଜର ଅବଶ୍ୟମ୍ଭାବୀ ବିଲୟକୁ ଗ୍ରହଣ କରି ପାରେ ନାହିଁ କଂସରୂପୀ ନିର୍ବାଣ କାମନା। ଏହି ସମୟରେ ସେ ପାଏ ନାରଦଙ୍କ ଭବିଷ୍ୟବାଣୀ। କଂସକୁ ନାରଦ କହନ୍ତି- ତୋର ଭଉଣୀ ଦେବକୀଙ୍କ ଅଷ୍ଟମ ପୁତ୍ର ତୋତେ ନିହତ କରିବ। ତାହା ଶୁଣି କଂସ ବନ୍ଦୀ କରେ ଦେବକୀ ଓ ତାଙ୍କର ପତି ବସୁଦେବଙ୍କୁ।

‘ନାର’ର ଅର୍ଥ ଜ୍ଞାନ। ତା’ ସହିତ ‘ଦା’ ଧାତୁର ମିଶ୍ରଣରେ ‘ନାରଦ’ ଶବ୍ଦର ସୃଷ୍ଟି। ଏହାର ଅର୍ଥ- ଯେ ଜ୍ଞାନ ପ୍ରଦାନ କରନ୍ତି। ଶରୀରରେ ପରିବ୍ୟାପ୍ତ ସାଧନାଲବ୍‌ଧ ଜ୍ଞାନର ଚେତନା ହିଁ କଂସରୂପୀ ମୋକ୍ଷ କାମନାକୁ ଅବଶ୍ୟମ୍ଭାବୀ ବିଲୟ ବିଷୟରେ ସଚେତ କରିଥାଏ। ସାଧନାର ଦୀପ୍ତି ହେଉଛି ଦେବକୀ। ଏହା ‘ଦିବ୍‌’ ଧାତୁରୁ ନିର୍ମିତ; ଯାହାର ଅର୍ଥ ଦୀପ୍ତି ପାଇବା। ସାଧନାର ଅନ୍ତିମ ପର୍ଯ୍ୟାୟ ଯାଏ ମୋକ୍ଷ କାମନା ରୂପୀ କଂସ ଓ ସାଧନାର ଦୀପ୍ତି ଭାଇ ଭଉଣୀ ଭଳି ଏକାଠି ବିକଶିତ ହୁଅନ୍ତି। ଜଣେ ଅନ୍ୟ ଜଣଙ୍କଠାରୁ ଅଲଗା ହୁଅନ୍ତି ନାହିଁ। ସାଧନାର ଦୀପ୍ତି ରୂପୀ ଦେବକୀଙ୍କର ବିବାହ ହୁଏ ବସୁଦେବଙ୍କ ସହ। ‘ବସ୍‌’ ଓ ‘ଦିବ୍‌’ ଧାତୁରୁ ତିଆରି ବସୁଦେବ ଶବ୍ଦ। ଏହାର ଅର୍ଥ, ଯେ ଧନରେ କ୍ରୀଡ଼ା କରେ। ଆମ ପିଣ୍ଡବ୍ରହ୍ମାଣ୍ଡ ହେଉଛି ସର୍ବୋତ୍କୃଷ୍ଟ ଧନର ସମ୍ଭାର। ଏହାକୁ ନେଇ ଖେଳି ଚାଲିଥିବା ଜୀବନୀ ଶକ୍ତି ହେଉଛି ବସୁଦେବ। ମୋକ୍ଷକାମନା ରୂପୀ କଂସ ହିଁ ଦେବକୀଙ୍କ ବିବାହ ବସୁଦେବଙ୍କ ସହ ଠିକ୍ କରେ। ମୋକ୍ଷକାମନା ଅନୁଭବ କରେ ସାଧନାର ଦୀପ୍ତିର ପ୍ରକୃତ ସଙ୍ଗୀ ହେଉଛି ଶରୀରସ୍ଥ ଜୀବନୀଶକ୍ତି। ଦେବକୀ ଓ ବସୁଦେବଙ୍କ ମିଳନରେ କଂସରୂପୀ କାମନା ଖୁସି ହୁଏ। କିନ୍ତୁ ଜ୍ଞାନର ଆଭାସ ତାକୁ ଏହି ମିଳନର ପ୍ରତିଫଳ ବିଷୟରେ ସୂଚାଇ ଦିଏ।

ମୋକ୍ଷକାମନା ମରିବାକୁ ଚାହେଁ ନାହିଁ। କିନ୍ତୁ ଏହା ସାଧନାର ଦୀପ୍ତି ଓ ଜୀବନୀ ଶକ୍ତିଙ୍କୁ ବି ମାରିଦେବାକୁ ସାହସ କରିପାରେ ନାହିଁ। ଅନ୍ୟ ଉପାୟ ନପାଇ କଂସରୂପୀ ମୋକ୍ଷକାମନା ବନ୍ଦୀ କରେ ଦେବକୀ ଓ ବସୁଦେବଙ୍କୁ। ସାଧନାର ଦୀପ୍ତି ଓ ଜୀବନୀ ଶକ୍ତିଙ୍କ ମିଳନକୁ ନିଜ ଅକ୍ତିଆରକୁ ନେଇଯାଏ। ସେମାନଙ୍କ ବ୍ୟାପ୍ତିକୁ ରୋକି ଦିଏ।

ସମ୍ବନ୍ଧିତ ଖବର