ପିଣ୍ତ-ବ୍ରହ୍ମାଣ୍ତ: କଂସ

ବଣରୂପୀ ସାଧନାର ଅହଂକାରର ବିନାଶ ହୋଇ ସାରିଲା ପରେ, ପିଣ୍ଡବ୍ରହ୍ମାଣ୍ଡ ସାଧନା ଆହୁରି ତୀବ୍ର ହୁଏ। ସାଧକ ନିଜ ଈପ୍‌ସିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟଗ୍ର ହୋଇ ଉଗ୍ର ସାଧନା ଆରମ୍ଭ କରେ। ଯୋଦ୍ଧା ଭଳି ଆରମ୍ଭ କରିଦିଏ ସାଧନା-ଯୁଦ୍ଧ। ଏହି ଉଗ୍ର ସାଧନାଯୁଦ୍ଧ ସ୍ଥିତି ହେଉଛି ଉଗ୍ରସେନ। ସେ ମଥୁରାର ରାଜା। ‘ମଥ୍ୱ’ ଧାତୁ ସହ ‘ଉଗ୍ର’ ଅଧିକରଣ ମିଶି ତିଆରି ହୋଇଛି ‘ମଥୁରା’ ଶବ୍ଦ। ‘ମଥ୍ୱ’ର ଅର୍ଥ ବଧ କରିବା। ତେଣୁ ମଥୁରା ସେହି ସ୍ଥାନକୁ ଦର୍ଶାଏ- ଯେଉଁଠାରେ ବଧ କରିବା ସମ୍ଭବ। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଏହି ଶରୀର ହେଉଛି ମଥୁରା। କାରଣ ଏହି ଶରୀରରେ ହିଁ ସମସ୍ତ ପ୍ରକାର ପାର୍ଥକ୍ୟ-ମାୟା ସୃଷ୍ଟିକାରୀ ପ୍ରବୃତ୍ତିମାନଙ୍କୁ ନାଶ କରିବା ସମ୍ଭବ ହୋଇଥାଏ। ଉଗ୍ରସେନ ବା ଉଗ୍ର ସାଧନା ଚାଲେ ସୁଷୁମ୍ନା କାଣ୍ଡରେ ଥିବା ବିଭିନ୍ନ ପଦ୍ମରୂପୀ ଚକ୍ରମାନଙ୍କରେ। ତେଣୁ ପୁରାଣରେ କୁହାଯାଇଛି, ଉଗ୍ରସେନଙ୍କ ପତ୍ନୀଙ୍କ ନାମ ପଦ୍ମାବତୀ। ପଦ୍ମାବତୀଙ୍କ ସହ ବଳପୂର୍ବକ ରମଣ କରେ ଦୃମିଳ ନାମକ ଅସୁର। ‘ଦୃ’ ଧାତୁର ଅର୍ଥ ଆଦର କରିବା। ଏହି ଆଖ୍ୟାନ, ପଦ୍ମସ୍ୱରୂପ ଚକ୍ରଗୁଡ଼ିକ ମାନସିକ ଆବେଗଦ୍ୱାରା ପ୍ରଭାବିତ ହେବାକୁ ଦର୍ଶାଏ।
ଦୃମିଳଙ୍କ ଔରସରୁ ପଦ୍ମାବତୀ ଜନ୍ମ ଦିଅନ୍ତି କଂସ ନାମକ ପୁତ୍ରକୁ। ଏହି ପୁତ୍ରକୁ ଉଗ୍ରସେନ ତ୍ୟାଗ ନକରି ଲାଳନ ପାଳନ କରନ୍ତି। ରାଜପୁତ୍ରର ମାନ୍ୟତା ଦିଅନ୍ତି। କିନ୍ତୁ ଏହି କଂସ ଉଗ୍ରସେନରୂପୀ ସାଧନାର ଯୋଦ୍ଧା ସ୍ଥିତି ଉପରେ ଅଧିକାର ଜାହିର କରି ଏହାକୁ ବନ୍ଦୀ କରେ। ଅର୍ଥାତ୍‌, ସାଧନାର ଅଗ୍ରଗତିକୁ ସଂପୂର୍ଣ୍ଣ ରୋକିଦିଏ।

‘କମ୍‌’ ଧାତୁର ଅର୍ଥ, ଇଚ୍ଛା ବା କାମନା କରିବା। ତା’ ସହ କର୍ତ୍ତୃପ୍ରତ୍ୟୟ ମିଶି ନିର୍ମାଣ ହୋଇଛି ‘କଂସ’ ଶବ୍ଦ। ସାଧନାର ଉଚ୍ଚ ସ୍ଥିତିରେ ଏକ ବିରାଟ କାମନା ସୃଷ୍ଟି ହୁଏ। ମୋକ୍ଷ, ସମାଧି, ନିର୍ବାଣ ପ୍ରାପ୍ତିର କାମନା ବା ଇଚ୍ଛା ଉଗ୍ରସେନରୂପୀ ସାଧନାର ପଥ ଓ ବ୍ୟାପ୍ତିକୁ ରୁଦ୍ଧ କରିଥାଏ। ଏହି କାମନା ଯେତେ ଲୋଭନୀୟ ମନେହେଲେ ମଧ୍ୟ ସର୍ବବ୍ୟାପକ ବ୍ରାହ୍ମୀସ୍ଥିତି ପ୍ରାପ୍ତିରେ ବାଧକ। ତେଣୁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ଉଗ୍ର ସାଧନାରେ ବାଧକ ହୁଏ ମୋକ୍ଷପ୍ରାପ୍ତିର କାମନା ବା କଂସ। ନିର୍ବାଣର କାମନା ଅଛି, ଅର୍ଥାତ୍ ସାଧକଙ୍କ ଭିତରେ ମୋକ୍ଷ ଓ ଅମୋକ୍ଷର ପାର୍ଥକ୍ୟ ଅଛି। ଏହା ବ୍ରାହ୍ମୀସ୍ଥିତିର ପରମ ଏକାତ୍ମତାରୁ ଦୂରେଇ ରଖେ। ସେଇଥିପାଇଁ ଆବଶ୍ୟକ ହୁଏ କଂସରୂପୀ ମୋକ୍ଷ କାମନାର ବିନାଶ।

ସମ୍ବନ୍ଧିତ ଖବର