ଆମେ ସମସ୍ତେ ବିଷ୍ଣୁଙ୍କର ଦଶାବତାର ବିଷୟରେ ପରିଚିତ। ପୁରାଣ ଅନୁଯାୟୀ, ଏହି ଦଶଟି ପ୍ରମୁଖ ଅବତାର ବ୍ୟତୀତ ବିଷ୍ଣୁଙ୍କର ଆଉ ୧୪ଟି ଅବତାର ଅଛି। ଅନେକ ସ୍ଥାନରେ ବିଷ୍ଣୁଙ୍କର ୨୪ ଅବତାରର ବର୍ଣ୍ଣନା କରାଯାଇଛି। ଏହି ୨୪ ଅବତାରଙ୍କ ମଧ୍ୟରେ ପ୍ରଥମ ହେଉଛି ଆଦିପୁରୁଷ ଅବତାର।

Advertisment

ଆଦି ଶବ୍ଦର ଆକ୍ଷରିକ ଅର୍ଥ ହେଉଛି, ଯାହାକୁ ପ୍ରଥମେ ଗ୍ରହଣ କରାଯାଏ। ବିଷ୍ଣୁଙ୍କର ଏହି ପ୍ରଥମ ମୂଳ ସ୍ଥିତିର ଆବିର୍ଭାବ ପରେ ହିଁ ଅନ୍ୟ ସବୁ ଅବତାରଙ୍କର ସର୍ଜନା ହୋଇଛି। ଏହି ଆଦି ଅବତାର ସ୍ଥିତିରେ ବିଷ୍ଣୁ ଶାନ୍ତି ଓ ବାହ୍ୟକର୍ମରୁ ମୁକ୍ତ। ସେ କ୍ଷୀରସାଗରରେ ଶେଷନାଗଙ୍କ ଉପରେ ଅନନ୍ତ ଶୟନରେ ଥାଆନ୍ତି। ଏହି ସମୟରେ ତାଙ୍କ ନାଭିକମଳରୁ ସୃଷ୍ଟି ହୋଇଥିବା ଏକ ପଦ୍ମ ଉପରେ ବସି ବ୍ରହ୍ମା ସୃଷ୍ଟି ରଚନା କରନ୍ତି।

ପିଣ୍ଡ ବ୍ରହ୍ମାଣ୍ଡ ଦ୍ରଷ୍ଟାମାନଙ୍କ ମତରେ ଏହା ଆମର ଜନ୍ମ ପରର ଅବସ୍ଥାକୁ ଦର୍ଶାଏ। କ୍ଷୀରସାଗର ହେଉଛି ନବଜନ୍ମିତ ଶିଶୁ ତା ଚାରିପଟେ ଅନୁଭବ କରୁଥିବା ବିଶ୍ୱ ଚେତନାର ବଳୟ। ଏହି ଚେତନା ପାର୍ଥକ୍ୟ ଓ କଳୁଷ ଶୂନ୍ୟ। ତେଣୁ ଏହାକୁ ଶୁଭ୍ର ଓ ଅନନ୍ତ ଭାବେ ବର୍ଣ୍ଣନା କରାଯାଇଛି। ଶେଷନାଗ ହେଉଛି ଆମ କୁଣ୍ଡଳିନୀ ଶକ୍ତି, ଯାହା ନବଜନ୍ମିତ ଶିଶୁ କ୍ଷେତ୍ରରେ ଅନେକାଂଶରେ ଶାନ୍ତ ଓ ସ୍ଥିର। ଏହା ଉପରେ ଶୟନ କରିଥାଆନ୍ତି ବା ଶାନ୍ତ ଭାବେ ଅବସ୍ଥାନ କରିଥାନ୍ତି ଶରୀରର ସବୁ ତତ୍ତ୍ୱକୁ ସନ୍ତୁଳନରେ ରଖିଥିବା ଶକ୍ତି ବା ବିଷ୍ଣୁ। ତାଙ୍କର ନାଭିକମଳ ବା ନବଜନ୍ମିତ ଶିଶୁର ମଣିପୁର ଚକ୍ରରୁ ବ୍ରହ୍ମା ଜାତ ହୋଇ ସୃଷ୍ଟିର ନିର୍ମାଣ କରନ୍ତି। ମଣିପୁର ଚକ୍ର ହେଉଛି ଖାଦ୍ୟ ପାଚନ ଓ ଶକ୍ତି ସୃଷ୍ଟିର କ୍ଷେତ୍ର। ଏହି କାରଣରୁ ହିଁ ଶିଶୁର ଶରୀରର ବିକାଶ ଓ ଅଭିବୃଦ୍ଧି ଘଟେ, ଯାହା ଏହି ଚିତ୍ର ଦର୍ଶାଏ।

ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ, ସାଧକ ସର୍ବପ୍ରଥମେ ନିଜ ପିଣ୍ଡରେ ଏହି ଆଦିପୁରୁଷ ଅବତାରକୁ ଅନୁଭବ କରିବା ଆବଶ୍ୟକ, ନିଜ ପିଣ୍ଡର ଏହି ଆଦି ଅବସ୍ଥାର ଦର୍ଶନ ଓ ଅନୁଭବ କରିବାପାଇଁ। ଅର୍ଥାତ୍‌, ଧ୍ୟାନର ମୂଳଦୁଆ ହେଉଛି ଏହି ଆଦିପୁରୁଷ ଦର୍ଶନ ସ୍ଥିତି।

ଜନ୍ମବେଳର ଚେତନାର ସ୍ଥିତି ନ ଜାଣିବା ଯାଏ, ସାଧକ ଏହା ପୂର୍ବର ମୂଳ ଅବ୍ୟକ୍ତ ଅବସ୍ଥାକୁ ଜାଣିବାର ଅଧିକାର ପାଇପାରେ ନାହିଁ।