ପିଣ୍ତ-ବ୍ରହ୍ମାଣ୍ତ : ରାମ ଅବତାର-୪

ରାମ ଓ ରାବଣର ସେନା ମଧ୍ୟରେ ହେଲା ଘମାଘୋଟ ଯୁଦ୍ଧ। ଏହା ହେଉଛି ସାଧକଙ୍କ ଭିତରେ ଘଟୁଥିବା ସମର। ସୁଷୁମ୍ନାକାଣ୍ଡ ଉପରେ କାହାର କର୍ତ୍ତୃତ୍ୱ ରହିବ, ତାହା ପାଇଁ ସାଧନା ସଂଗ୍ରାମ। ବାନର ରୂପୀ ସମସ୍ତ ମାନସିକ ସ୍ଥିତି ଆଜ୍ଞାଚକ୍ରରୂପୀ ରାମଚନ୍ଦ୍ରଙ୍କ ପକ୍ଷରେ। ଅନ୍ୟ ପକ୍ଷରେ ସାଧନାରୁ ଜାତ ଅହଂକାର ବା ରାବଣ ଓ ତାହାର ଜ୍ଞାତି କୁଟୁମ୍ବ। ଆଜ୍ଞାଚକ୍ରର ଚେତନା ରାବଣରୂପୀ ଅହଂକାରର ସମସ୍ତ ସହଚରମାନଙ୍କୁ ବିନାଶ କରେ। କିନ୍ତୁ ରାବଣ ସହଜରେ ମରେ ନାହିଁ। ଅନ୍ତିମ ସାଧନା ଯୁଦ୍ଧରେ ରାମସ୍ୱରୂପ ଆଜ୍ଞାଚକ୍ର ଓ ସାଧନାର ଅହଂକାର ମୁହାଁମୁହିଁ ହୁଅନ୍ତି।

ରାବଣ ନିଜର ଦଶଟି ମୁଣ୍ଡ- କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମନ, ବୁଦ୍ଧି, ଚିତ୍ତ ଓ ଅହଂକାରକୁ ପ୍ରକଟ କରେ। ରାମ ଗୋଟିଏ ପରେ ଗୋଟିଏ ମୁଣ୍ଡକୁ କାଟି ଚାଲନ୍ତି। କିନ୍ତୁ ସାଧନାର ଅହଂକାର ଏମାନଙ୍କୁ ପୁନର୍ବାର ଆବିର୍ଭାବ କରାଇ ଚାଲେ। ଏହି ସମୟରେ, ବ୍ରାହ୍ମୀସ୍ଥିତି ପାଇବାର ଭୟଙ୍କର ଲୋଭ ବା ବିଭୀଷଣ ରାମରୂପୀ ଆଜ୍ଞାଚକ୍ରକୁ ରାବଣର ମୃତ୍ୟୁର ଉପାୟ ପ୍ରଦାନ କରେ।

ନାଭିରେ ଥିବା ଅମୃତ ରାବଣ ନ ମରିବାର କାରଣ। ନାଭିଚକ୍ର ବା ମଣିପୁରଚକ୍ର ଶରୀରର ସମସ୍ତ ଶକ୍ତିର ଉତ୍ସ। ଏହା ରାବଣରୂପୀ ଅହଂକାରକୁ ମଧ୍ୟ ବଞ୍ଚାଇ ରଖିଥାଏ। ସାଧନାର ଅହଂକାରକୁ ନିପାତ କରିବାର ଉପାୟ ହେଉଛି ଏହାର ନାଭିଚକ୍ର ସହ ଥିବା ସଂପର୍କକୁ ଛିନ୍ନ କରିବା। ଆଜ୍ଞାଚକ୍ରର ଚେତନା ତାହାହିଁ କରେ। ରାମଙ୍କ ବାଣ ରାବଣର ନାଭି ଭେଦ କରେ। ଅର୍ଥାତ୍ ସାଧକଙ୍କ ଆଜ୍ଞାଚକ୍ରର ଚେତନା, ସାଧନାର ଅହଂକାରକୁ ମଣିପୁର ଚକ୍ରରୁ ଶକ୍ତି ଆହରଣ କରିବାକୁ ଦିଏନାହିଁ। ରାବଣର ମୃତ୍ୟୁ ହୁଏ। ସୁଷୁମ୍ନା କାଣ୍ଡ ସ୍ୱରୂପା ସୀତାଙ୍କର ମିଳନ ହୁଏ ଆଜ୍ଞାଚକ୍ରରୂପୀ ରାମଙ୍କ ସହ।

ସୁଷୁମ୍ନାକାଣ୍ଡ ସବୁବେଳେ ଆଜ୍ଞାଚକ୍ରର ସଙ୍ଗୀ। ତଥାପି ଶରୀରର ସମସ୍ତ କୋଷିକା ବା ଜନ ସମୂହଙ୍କ ଭିତରେ ସନ୍ଦେହ ଜାଗ୍ରତ ହେବା ସ୍ୱାଭାବିକ। କାରଣ ଏହା କିଛିକାଳ ରାବଣରୂପୀ ଅହଂକାର କବଳରେ ରହିଥିଲା। ସୁଷୁମ୍ନାକାଣ୍ଡର ପବିତ୍ରତାକୁ ପରଖାଯାଏ ଜ୍ଞାନାଗ୍ନିଦ୍ୱାରା। ଏହା ସୀତାଙ୍କ ଅଗ୍ନି ପରୀକ୍ଷା। ରାମ-ସୀତାଙ୍କ ମିଳନ ସହ ଆରମ୍ଭ ହୁଏ ରାମରାଜ୍ୟ ସ୍ଥାପନ ପ୍ରକ୍ରିୟା ବା ସାଧକଙ୍କ ଶରୀରରେ କେବଳ ରାମରୂପୀ ଆଜ୍ଞାଚକ୍ରର କର୍ତ୍ତୃତ୍ୱ।

ସମ୍ବନ୍ଧିତ ଖବର