ସଂସ୍କୃତ ବ୍ୟାକରଣ ଅନୁଯାୟୀ ସମସ୍ତ ପଦ ବା ଅର୍ଥପୂର୍ଣ୍ଣ ଉଚ୍ଚାରଣର ମୂଳ ତତ୍ତ୍ୱ ହେଉଛନ୍ତି ପ୍ରତିପାଦକ ଓ ଧାତୁ। ଏଗୁଡ଼ିକ ଉପସର୍ଗ ଓ ପ୍ରତ୍ୟୟ ମାଧ୍ୟମରେ ନିଜର ପରିଚୟ ପ୍ରତିପାଦିତ କରନ୍ତି। ଯେମିତି ଆମେମାନେ ପ୍ରକୃତରେ ହେଉଛୁ ଶୁଦ୍ଧ ଚେତନା। ହେଲେ ଆମ ଶରୀର ଓ ଗୁଣର ଖୋଳପା ଆମକୁ ଆମର ପରିଚୟ ପ୍ରଦାନ କରେ।
ପ୍ରତିପାଦକଗୁଡ଼ିକ ହେଉଛନ୍ତି ଯେକୌଣସି ବସ୍ତୁ ବା ତତ୍ତ୍ୱକୁ ବର୍ଣ୍ଣନା କରୁଥିବା ଶବ୍ଦର ମୂଳ ଉପାଦାନ। ଠିକ୍ ସେହିଭଳି, ଧାତୁଗୁଡ଼ିକ ଯେକୌଣସି କର୍ମବାଚକ ଶବ୍ଦର ମୂଳ ଉପାଦାନ। ଧାତୁ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି, ଯାହା ଧାରଣ କରିପାରେ। ପ୍ରତିପାଦକ ମଧ୍ୟ ପ୍ରତିପାଦନ କରିବା ପ୍ରକ୍ରିୟାକୁ ସୂଚାଏ। ଅର୍ଥାତ୍, ଏଗୁଡ଼ିକ ହେଉଛନ୍ତି ସେହି ମୂଳସ୍ୱରୂପ, ଯାହା ବିଭିନ୍ନ ଗୁଣ ବହନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି। ଧାତୁର ବିଭିନ୍ନ ଅର୍ଥକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଅନୁମିତ ହୁଏ। ଧାତୁ ଶବ୍ଦର ଅର୍ଥ ଚେତନା ଓ ଜୀବନୀଶକ୍ତି। ସଂଗୀତର ସପ୍ତସ୍ୱର- ସା, ରେ, ଗା, ମା, ପା, ଧା, ନି- ଏମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଧାତୁ। ପଞ୍ଚଭୂତ- କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମକୁ ବ୍ରହ୍ମାଣ୍ଡର ଧାତୁ ଭାବରେ ଗ୍ରହଣ କରାଯାଏ।
ବ୍ୟାକରଣର ପଦ ପରିଚୟ- ଏହି ଗୂଢ଼ତତ୍ତ୍ୱକୁ ଅନୁଭବ ଓ ଦର୍ଶନ କରିଥିବା ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନେ, ସାଧକମାନଙ୍କୁ ଏହାକୁ ସବୁ ସମୟରେ ବ୍ୟବହାର କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି। ଆଖି ଆଗରେ ହେଉ ବା ମନ ଭିତରେ, ଯାହା କିଛି ଜଣେ ଅନୁଭବ ବା ଦର୍ଶନ କରେ, ତାହାକୁ ସୂକ୍ଷ୍ମ ଦୃଷ୍ଟିରେ ଅନୁଭବ କରିବାକୁ ଦିବ୍ୟଦ୍ରଷ୍ଟାମାନେ କହିଥାଆନ୍ତି।
ସାଧକମାନେ ନିଜ ଅନୁଭୂତି ଓ ଦର୍ଶନର ସବୁକିଛି ପଛରେ ଲୁଚି ରହିଥିବା ମୂଳ ଉପାଦାନ ପ୍ରତି ସଚେତନ ହେବା ଉଚିତ। ଏହି ସଚେତନତା ସାଧକଙ୍କୁ ପାର୍ଥକ୍ୟର ମାୟାରୁ ମୁକ୍ତ ହୋଇ ଏକାତ୍ମତା ଆଡ଼କୁ ଅଗ୍ରସର ହେବା ପାଇଁ ପ୍ରସ୍ତୁତ କରେ। ଧ୍ୟାନବେଳେ ଏହି ବ୍ୟାକରଣପ୍ରଦତ୍ତ କୌଶଳ ବ୍ୟବହାର କଲେ ମନ ମଧ୍ୟରେ ଆଲୋଡ଼ିତ ମାନସିକ ତରଙ୍ଗଗୁଡ଼ିକ ଶାନ୍ତ ହୁଅନ୍ତି। ପ୍ରତ୍ୟେକ ମାନସିକ ତରଙ୍ଗର ମୂଳ ଉପାଦାନକୁ ବା ଧାତୁକୁ ଖୋଜିବା ଆରମ୍ଭ କଲେ ସାଧକ ନିଜସ୍ୱ ଶୁଦ୍ଧଚେତନାର ଅନୁଭୂତିର ନିକଟବର୍ତ୍ତୀ ହୁଅନ୍ତି। ବ୍ୟାକରଣ ସାଧକଙ୍କୁ ସବୁ ସମୟରେ ମୂଳ ଆଦିତତ୍ତ୍ୱ ବା ବ୍ରାହ୍ମୀସ୍ଥିତି ପ୍ରତି ସଚେତନ କରି ରଖିଥାଏ।
ପିଣ୍ତ-ବ୍ରହ୍ମାଣ୍ତ ସାଧନାର ବ୍ୟାକରଣ: ପଦପରିଚୟ-୨
/sambad/media/post_attachments/wp-content/uploads/2023/12/fhfsfffhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)