 ‘ୟୁବିଇ’ କ’ଣ? ଏହା ମେରୁଦଣ୍ଡ ଚିକିତ୍ସା କ୍ଷେତ୍ରରେ କି ପରିବର୍ତ୍ତନ ଆଣିଛି? 
ଡାକ୍ତରୀବିଦ୍ୟାର ଅଗ୍ରଗତି ଯୋଗୁଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ରମାଗତ ଭାବେ ନୂଆନୂଆ ଚିକିତ୍ସା ପ୍ରଣାଳୀ ସାମିଲ୍‌ ହେଉଛି। ଆଜିର ଯୁଗରେ ମେରୁଦଣ୍ଡ ଅସ୍ତ୍ରୋପଚାର ନିମନ୍ତେ ଉଦ୍ଦିଷ୍ଟ ୟୁନିଲାଟେରାଲ୍‌ ବାଇପୋର୍ଟାଲ୍ ଏଣ୍ଡୋସ୍କୋପି (ୟୁବିଇ) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି। ଏହି ଅଭିନବ ଅସ୍ତ୍ରୋପଚାର ପ୍ରଣାଳୀ ବିଭିନ୍ନ ମେରୁଦଣ୍ଡ ସମସ୍ୟାରେ ପୀଡ଼ିତ ରୋଗୀଙ୍କ ପାଇଁ ଖୁବ୍‌ ହିତକାରୀ ସାବ୍ୟସ୍ତ ହୋଇଛି। ମେରୁଦଣ୍ଡ ଅସ୍ତ୍ରୋପଚାର କ୍ଷେତ୍ରରେ ପ୍ରଚଳିତ ପାରମ୍ପରିକ ଧାରାକୁ ଏହା ସଂପୂର୍ଣ୍ଣ ବଦଳାଇ ଦେଇଛି।
 ‘ୟୁବିଇ’ ପଦ୍ଧତି କାହିଁକି ଗ୍ରହଣୀୟ ହୋଇଉଠିଛି?
‘ୟୁବିଇ’ ହେଉଛି ମେରୁଦଣ୍ଡର ଗୋଟିଏ ପାର୍ଶ୍ବରେ ଦୁଇଟି କ୍ଷୁଦ୍ର ଛିଦ୍ର ମାଧ୍ୟମରେ, ଅର୍ଥାତ୍‌ ସବୁଠୁ କମ୍‌ କଟାଯାଇ କରାଯାଉଥିବା ଅସ୍ତ୍ରୋପଚାର। ମେରୁଦଣ୍ଡ କେନାଲ୍‌ ପର୍ଯ୍ୟନ୍ତ ପହଞ୍ଚିବାକୁ ଡାକ୍ତରମାନେ କେବଳ ଗୋଟିଏ ଏଣ୍ଡୋସ୍କୋପ୍‌ (କେତେକ ବିଶେଷ ଉପକରଣ ଥିବା କ୍ଷୁଦ୍ର କ୍ୟାମେରା) ଉପଯୋଗ କରନ୍ତି। ଏହି ପ୍ରଣାଳୀରେ ଭିତରର ଦୃଶ୍ୟମାନତା ଅତ୍ୟନ୍ତ ପ୍ରାଞ୍ଜଳ ହେଉଥିବାରୁ ଅଧିକ ନ କାଟି ବି ସମସ୍ତ ମେରୁଦଣ୍ଡୀୟ ସମସ୍ୟାର ଫଳପ୍ରଦ ଚିକିତ୍ସା ସମ୍ଭବ ହେଉଛି। ଏହିଭଳି ଅନେକ ସୁବିଧା ଥିବାରୁ ରୋଗୀ ଓ ଡାକ୍ତରମାନେ ‘ୟୁବିଇ’ କରାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
 ‘ୟୁବିଇ’ର ଆଉ କ’ଣ ସବୁ ସୁବିଧା ରହିଛି? 
ଏହି ଅତ୍ୟାଧୁନିକ ପଦ୍ଧତିର ନିମ୍ନଲିଖିତ ସୁବିଧା ସମୂହ ରହିଛି। 
କ୍ଷୁଦ୍ର କ୍ଷତ: ଛୋଟ ଛିଦ୍ର ହେଉଥିବାରୁ ଚାରିପାଖର ମାଂସପେଶୀ ଓ ଟିସୁ ବିଶେଷ ନଷ୍ଟ ହୁଏ ନାହିଁ। ଫଳରେ ଅସ୍ତ୍ରୋପଚାରଜନିତ କଷ୍ଟ ଓ କ୍ଷତ କମ୍ ହୋଇଥାଏ।
ଦ୍ରୁତ ଆରୋଗ୍ୟ: ଏହି ଅସ୍ତ୍ରୋପଚାରରେ କମ୍‌ କଟାଯାଉଥିବାରୁ ରୋଗୀମାନେ ଚଞ୍ଚଳ ଆରୋଗ୍ୟଲାଭ କରି ଦୈନନ୍ଦିନ କାର୍ଯ୍ୟଧାରାକୁ ଫେରିପାରୁଛନ୍ତି। ଅସ୍ତ୍ରୋପଚାର ଦିନ ହିଁ ଅନେକଙ୍କୁ ଡିସ୍‌ଚାର୍ଜ କରାଯାଇପାରୁଛି।
କମ୍‌ ଯନ୍ତ୍ରଣା: ଶରୀରର ସ୍ବାଭାବିକ ଢାଞ୍ଚା ଊଣାଅଧିକେ ଯଥାରୀତି ରହୁଥିବାରୁ, ‘ୟୁବିଇ’ ଅସ୍ତ୍ରୋପଚାର ପରେ ଅ‌େପକ୍ଷାକୃତ କମ୍‌ ଯନ୍ତ୍ରଣା ହୁଏ ଏବଂ ରୋଗୀ ସହଜରେ ସୁସ୍ଥ ହୋଇଯାଏ।
ଜଟିଳତା ଆଶଙ୍କା କମ୍: ସଂକ୍ରମଣ ଆଶଙ୍କା କମ୍ ଥିବାରୁ ‘ୟୁବିଇ’ ରୋଗୀମାନଙ୍କ ପାଇଁ ନିରାପଦ ଅସ୍ତ୍ରୋପଚାର ହୋଇପାରିଛି।
 ‘ୟୁବିଇ’ ଦ୍ବାରା କେଉଁମାନେ ସୁସ୍ଥ ହୋଇପାରିବେ?
‘ୟୁବିଇ’ ଦ୍ବାରା ବହୁ ପ୍ରକାରର ମେରୁଦଣ୍ଡୀୟ ସମସ୍ୟାର ଉପଚାର କରାଯାଇ ପାରିବ। ସେଗୁଡ଼ିକ ହେଲା-
ହର୍ନିୟେଟେଡ୍ ଡିସ୍କସ୍ (ସ୍ନାୟୁ ମୂଳ‌େର ପଡୁଥିବା ଚାପରୁ ମୁକ୍ତିଦିଏ), ସ୍ପାଇନାଲ୍‌ ଷ୍ଟେନୋସିସ୍ (ମେରୁଦଣ୍ଡୀୟ କେନାଲ୍‌ ସମ୍ପ୍ରସାରଣ କରି ସ୍ନାୟୁ ସଙ୍କୋଚନ ହ୍ରାସ କରେ), ଡିଜେନେରେଟିଭ୍ ଡିସ୍କ (ପୁରାତନ ଯନ୍ତ୍ରଣା ଉପଶମ କରେ), ସ୍ପାଇନାଲ୍‌ ଟ୍ୟୁମର୍‌ (ମେରୁଦଣ୍ଡରେ ହୋଇଥିବା ସାଧାରଣ ଓ ସଂକ୍ରମିତ ଟ୍ୟୁମର୍‌ ଅପସାରଣ କରେ) ଏବଂ ଫେସେଟ୍‌ ଜଏଣ୍ଟ୍‌ ଡିଜର୍ଡର୍‌ (ମେରୁଦଣ୍ଡ ଗଣ୍ଠିରେ ହେଉଥିବା ବିନ୍ଧା ଉପଶମ କରେ)। ଏଥିସହ ସ୍ପାଇନାଲ୍‌ ଲିସ୍ଥେସିସ୍ ଚିକିତ୍ସା ବି ‌ହୋଇଥାଏ। ଏଥିସହ ଏଣ୍ଡୋସ୍କୋପିକ୍ ଫ୍ୟୁଜନ୍‌ ସର୍ଜରି ୟୁବିଇ ଉପଯୋଗରେ ସହଜରେ ହୋଇପାରେ ଏବଂ ରୋଗୀ ଅସ୍ତ୍ରୋପଚାର ପରଦିନ ଚଳପ୍ରଚଳ ହୋଇପାରେ। 
 ଏହା କ’ଣ ସବୁଠାରୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି? 
ସମ୍ପ୍ରତି ମେରୁଦଣ୍ଡ ଚିକିତ୍ସା କ୍ଷେତ୍ରରେ ‘ୟୁବିଇ’ ଏଣ୍ଡୋସ୍ପାଇନ୍‌ ଅସ୍ତ୍ରୋପଚାର ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏହା ରୋଗୀଙ୍କ ଲାଗି ଅଧିକ ନିରାପଦ ଓ କମ୍ ଯନ୍ତ୍ରଣାଦାୟକ। ‘ୟୁବିଇ’ କେବଳ ଏକ ପ୍ରଣାଳୀ ନୁହେଁ, ଏହା ମେରୁଦଣ୍ଡୀୟ ଚିକିତ୍ସା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ। ‘ୟୁବିଇ’କୁ ସାମ୍ପ୍ରତିକ ସମୟର ଶ୍ରେଷ୍ଠ ଚିକିତ୍ସା ଭାବେ ଅଭିହିତ କରାଯାଇପାରେ।