ଭାଦ୍ରବ ହେଉଛି ଶ୍ରାବଣର ପରବର୍ତ୍ତୀ ଓ ଆଶ୍ୱିନର ପୂର୍ବବର୍ତ୍ତୀ ଚାନ୍ଦ୍ରମାନ ମାସ। ଏହି ମାସ ପର୍ବ ଉତ୍ସବ ଆଦିରେ ପରିପୂର୍ଣ୍ଣ। ରେଖା ପଞ୍ଚମୀ, ଜନ୍ମାଷ୍ଟମୀ, ବୁଧିବାମନ ଓଷା, ସପ୍ତପୁରୀ ଅମାବାସ୍ୟା, ବାଲିତୃତୀୟା ବ୍ରତ, ଗଣେଶ ଚତୁର୍ଥୀ, ଋଷିପଞ୍ଚମୀ, ଷଷ୍ଠୀବ୍ରତ, ସୋମନାଥ ବ୍ରତ, କୁକ୍କୁଟୀ ବ୍ରତ, ରାଧାଷ୍ଟମୀ, ପାର୍ଶ୍ବପରିବର୍ତ୍ତନ ଏକାଦଶୀ, ଶ୍ରୀବାମନ ଜନ୍ମ ଓ ସୁନିଆ, ଗରୁଡ଼ ପାର୍ଶ୍ବପରିବର୍ତ୍ତନ, ଇନ୍ଦ୍ରଧ୍ୱଜ ପୂଜା, ଅନନ୍ତ ଚତୁର୍ଦ୍ଦଶୀ ବ୍ରତ, ଇନ୍ଦ୍ରଗୋବିନ୍ଦ ବନ୍ଦାପନା ଓ ଖୁଦୁରୁକୁଣୀ ଓଷା ଆଦି ଏହି ମାସରେ ପାଳିତ ହୋଇଥାଏ। ବାରମାସରେ ଭଗବାନ ବିଷ୍ଣୁ ଯେଉଁ ବାରଟି ନାମରେ ଉପାସିତ ହୋଇଥାଆନ୍ତି, ସେହି ଅନୁସାରେ, ଏ ମାସର ପ୍ରଭୁ ହେଉଛନ୍ତି ‘ହୃଷୀକେଶ’।

Advertisment

ଶବ୍ଦର ବ୍ୟୁତ୍ପତ୍ତି ଅନୁସାରେ, ଯେ ‘ହୃଷୀକ’ ଅର୍ଥାତ୍ ‘ଇନ୍ଦ୍ରିୟ’ମାନଙ୍କର ‘ଈଶ’ ବା ପ୍ରଭୁ, ସେ ‘ହୃଷୀକେଶ’। ଏହା ବିଷ୍ଣୁ ବା କୃଷ୍ଣଙ୍କର ଅନ୍ୟନାମ। କାରଣ, ଇନ୍ଦ୍ରିୟମାନେ ତାଙ୍କର ବଶୀଭୂତ। ଏ ସଂପର୍କରେ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ଅତି ସୁନ୍ଦର ଭାବରେ କୁହାଯାଇଛି, “ହୃଷୀକମାନଙ୍କ ଈଶ୍ୱର / ଶ୍ୟାମସୁନ୍ଦର କଳେବର।”

ଭାଦ୍ରପଦ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ହେତୁ ଏହି ମାସର ନାମ ‘ଭାଦ୍ରପଦ’ ବା ‘ଭାଦ୍ରବ’ ବା ‘ଭାଦ୍ର’ ହୋଇଛି । ଲୋକକଥିତ ଭାଷାରେ ଏହା ‘ଭୋଦୁଅ’।

ଭାଦ୍ରବ ହେଉଛି ଶରତ ଋତୁର ପ୍ରଥମ ମାସ। ଏଣୁ ଲୋକନାଥ ବିଦ୍ୟାଧର ତାଙ୍କ ‘ନୀଳାଦ୍ରି ମହୋତ୍ସବ’ରେ ଏ ମାସର ସୁନ୍ଦର ବର୍ଣ୍ଣନା କରିଛନ୍ତି। କହିଛନ୍ତି, ଶ୍ରୀକୃଷ୍ଣଙ୍କ ନାମ ଶୁଣିଲେ ତମ ବା ଅଜ୍ଞାନତା ଯେପରି ଅପସରି ଯାଏ, ସେହିପରି ଏ ମାସର ଆଗମନ ସହିତ ବର୍ଷା ଅପସରି ଯାଏ ଏବଂ ବେଙ୍ଗଙ୍କର ରାବ ଆଉ ଶୁଣାଯାଏ ନାହିଁ ।