ପ୍ରଥମାଷ୍ଟମୀ ପରମ୍ପରା: ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି କରାଯାଏ ଷଷ୍ଠୀଦେବୀଙ୍କର ପୂଜା

ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’। କାରଣ, ‘ପୋରୁହାଁ’ ବା ‘ପୋଢ଼ୁଆଁ’ ହେଉଛି ‘ପ୍ରଥମା’ ଶବ୍ଦର ଅପଭ୍ରଂଶ। ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ। କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’।

ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ। ସେଠାରେ ଗୋଟିଏ ପିଢ଼ା ରଖି ତା’ ଉପରେ ଚିତା ପକାଯାଏ ଏବଂ ଜ୍ୟେଷ୍ଠ ସନ୍ତାନ ତା’ ଉପରେ ବସନ୍ତି। ଏହି ଜ୍ୟେଷ୍ଠ ସନ୍ତାନର ବିଚାରରେ, ପୁତ୍ର ବା କନ୍ୟା ମଧ୍ୟରେ ପାର୍ଥକ୍ୟ ନଥାଏ। ଜ୍ୟେଷ୍ଠ ସନ୍ତାନ ପୁତ୍ର ହୋଇଥିଲେ ପିଢ଼ା ଉପରେ ପତାକା ଚିତା ଏବଂ କନ୍ୟା ହୋଇଥିଲେ ପଦ୍ମଚିତା ପକାଯାଏ। ତା’ ଉପରେ ବସି ପୁତ୍ର ବା କନ୍ୟା ବନ୍ଦାପନା ହୁଅନ୍ତି। ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖିରିସା ଆଦି ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ। ଘରର ଅନ୍ୟ ସମସ୍ତେ ମଧ୍ୟ ଏହାକୁ ଖାଆନ୍ତି। ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ। ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ।

ଏହି ପ୍ରଥମାଷ୍ଟମୀ ପରମ୍ପରାକୁ ନେଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂସ୍କୃତି ଗଢ଼ି ଉଠିଛି। ସାଧାରଣତଃ ମାମୁଘର ପକ୍ଷରୁ ପ୍ରଥମାଷ୍ଟମୀ ଦିନ ବଡ଼ ଭଣଜା ବା ବଡ଼ ଭାଣିଜୀକୁ ଶ୍ରଦ୍ଧାର ସହ ପୋରୁହାଁ କରାଯାଇଥାଏ। ଏହାକୁ ନେଇ ସୃଷ୍ଟି ହୋଇଛି ‘ଅଷ୍ଟମୀ ବନ୍ଧୁ’ ସଂସ୍କୃତି।

ଏକ ଉଲ୍ଲେଖନୀୟ ବିଷୟ ହେଉଛି, ଏ ସଂସ୍କୃତି କେବଳ ଜନସମାଜ ମଧ୍ୟରେ ସୀମିତ ରହିନାହିଁ; ଏହିଦିନ ଓଡ଼ିଶାର ପ୍ରମୁଖ ଦେବଦେବୀ ମଧ୍ୟ ‘ପୋରୁହାଁ’ ହେବାର ବିଧି ଅଛି। ଶ୍ରୀମନ୍ଦିରରେ ଏହିଦିନ ବଡ଼ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି।

ଶ୍ରୀଲିଙ୍ଗରାଜ ମଧ୍ୟ ଏହିଦିନ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି। ଜ୍ୟେଷ୍ଠା କନ୍ୟା ଭାବରେ ‘ଭାର୍ଗବୀ’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପୋରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ।

ସମ୍ବନ୍ଧିତ ଖବର