ଆମ ସମାଜରେ ଗର୍ଭାବାସ ଓ ବନ୍ଧ୍ୟାତ୍ବ ବାବଦରେ ଅନେକ ଭ୍ରାନ୍ତ ଧାରଣା ରହିଛି। ସନ୍ତାନଟିଏ ପାଇବାକୁ ଉଦ୍ୟମରତ ଦମ୍ପତିଙ୍କୁ ଏହିସବୁ ଧାରଣା ମାନସିକ ସ୍ତରରେ ଦୁର୍ବଳ କରିଦେଇଥାଏ। ସୁତରାଂ ପ୍ରଜନନ ସ୍ବାସ୍ଥ୍ୟ ନେଇ ମନକୁ ଆଲୋଡ଼ିତ କରୁଥିବା ସୂଚନାକୁ ପ୍ରଥମେ ତର୍ଜମା କରିବା ଦରକାର। ଏ ପରିପ୍ରେକ୍ଷୀରେ କିଛି ଭ୍ରାନ୍ତ ଧାରଣା ଓ ତାହାର ସତ୍ୟାସତ୍ୟ ସମ୍ପର୍କରେ ଆଲୋଚନା କରିବା।
ସାଧାରଣତଃ ମହିଳାମାନେ ଗର୍ଭଧାରଣ କରୁଥିବାରୁ ସନ୍ତାନ ନହେବା ଲାଗି କେବଳ ମହିଳାମାନେ ଦାୟୀ ବୋଲି ଅନେକ ଧରିନେଇଥା’ନ୍ତି। ମାତ୍ର ବାସ୍ତବରେ ଏଥିପାଇଁ ଉଭୟ ପତିପତ୍ନୀ ସମପରିମାଣରେ ଦାୟୀ। ‘ଆମେରିକାନ୍ ସୋସାଇଟି ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍’ର ଆକଳନ ଅନୁଯାୟୀ, ସନ୍ତାନହୀନତା ମାମଲାଗୁଡ଼ିକର ପ୍ରାୟ ଏକ-ତୃତୀୟାଂଶ ପାଇଁ ପୁରୁଷ ଓ ଆଉ ଏକ-ତୃତୀୟାଂଶ ପାଇଁ ମହିଳା ଦାୟୀ ଥିବାବେଳେ ବାକୀ ଏକ-ତୃତୀୟାଂଶ ପଛରେ ଉଭୟଙ୍କର ସମସ୍ୟା ଥାଏ। ପୁରୁଷଙ୍କ ପ୍ରଜନନହୀନତା ପାଇଁ ହରମୋନ୍ ଅସନ୍ତୁଳନ, କମ୍ ଶୁକ୍ରାଣୁ ସଂଖ୍ୟା ଓ ଦୁର୍ବଳ ଶୁକ୍ରାଣୁ ଗତିଶୀଳତା ପରି କାରଣ ରହିଛି।
ଅନେକଙ୍କର ଧାରଣା ଯେ, ବୟସ ବଢ଼ିବା ସହ ମହିଳାଙ୍କର ପ୍ରଜନନ କ୍ଷମତା କମି ଆସିଥାଏ ଏବଂ ପୁରୁଷମାନେ ଆଜୀବନ ପିତା ହେବାକୁ ସକ୍ଷମ। ବୃଦ୍ଧ କାଳରେ ପୁରୁଷମାନଙ୍କର ଶୁକ୍ରାଣୁ କ୍ଷରଣ ହୋଇଥାଏ ସତ, କିନ୍ତୁ ତାହାର ପରିମାଣ ଓ ଗୁଣବତ୍ତା ବୟସ ବଢ଼ିବା ସହ କମି ଆସିଥାଏ। ଆଉ ଏକ ଭ୍ରାନ୍ତ ଧାରଣା ହେଲା, ଜୀବନଶୈଳୀ କେବେ ପ୍ରଜନନ କ୍ଷମତାକୁ ପ୍ରଭାବିତ କରି ନ ଥାଏ। ମାତ୍ର ତାହା ଭୁଲ୍। ମାନସିକ ଚାପ, ଅସ୍ବାସ୍ଥ୍ୟକର ଆହାର, ବ୍ୟାୟାମ କାତରତା, ଧୂମପାନ ଓ ମାତ୍ରାଧିକ ମଦ୍ୟପାନ ଆଦି ଏହାକୁ ଭୀଷଣ ଭାବରେ ପ୍ରଭାବିତ କରିଥାଏ।
ଆଇଭିଏଫ୍ ପରି ଅତ୍ୟାଧୁନିକ ଚିକିତ୍ସା ଦ୍ବାରା ନିଶ୍ଚିତ ଭାବରେ ବନ୍ଧ୍ୟାତ୍ବ ଦୂର କରିବା ୧୦୦% ସମ୍ଭବ ବୋଲି ଭାବିବା ଭୁଲ୍। ଏହି ଚିକିତ୍ସାର ସଫଳତା ହାର ଅନେକ ଉପାଦାନ ଉପରେ ନିର୍ଭର କରିଥାଏ।
ଥରେ ଗର୍ଭଧାରଣ କରିଗଲେ, ସବୁ କିଛି ଠିକ୍ ଓ ସୁରୁଖୁରୁରେ ସଂପନ୍ନ ହୋଇଯିବ ବୋଲି ରହିଥିବା ଧାରଣା ମଧ୍ୟ ଭୁଲ୍। କାରଣ ଗର୍ଭଧାରଣ ହେଉଛି ଏକ ଜଟିଳ ଅଭିଯାନର ଆରମ୍ଭ ମାତ୍ର। ତେଣୁ ଗର୍ଭଧାରଣ ପରେ ଗର୍ଭବତୀମାନେ ନିୟମିତ ଡାକ୍ତରଙ୍କ ନିରୀକ୍ଷଣରେ ରହିବା ଦରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/hfffhfhs.jpg)