ଆୟୋଡିନ୍‌ ଅଭାବ ଜନିତ ସମସ୍ୟା ଓ ତହିଁର ସମାଧାନ

ଅମଳିନ ପଟ୍ଟନାୟକ

ଭାରତରେ ଆୟୋଡିନ ଅଭାବ ଜନିତ ସମସ୍ୟା ବହୁ ପୂର୍ବରୁ ରହିଆସିଛି। ପୌରାଣିକ ଚିତ୍ର ଆଦି, ପଥର ମୂର୍ତି ଦେଖିଲେ ବ୍ୟକ୍ତିଙ୍କର ଫୁଲା ବେକ ଦେଖାଯାଇଥାଏ। ଯାହାକି ଆୟୋଡିନ ଅଭାବ ଜନିତ ସମସ୍ୟାର ଏକ ଲକ୍ଷଣ। ଆୟୋଡିନ ଅଭାବ ଜନିତ ସମସ୍ୟା ଭାରତରେ ଆସ୍ତେ ଆସ୍ତେ ଦୂର ହେବା ଦେଖାଦେଇଛି। କାରଣ ଯଥେଷ୍ଟ ଆୟୋଡିନ ଥିବା ଲୁଣର ବ୍ୟବହାର ବଢ଼ିବାରେ ଲାଗିଛି। ଏହି ଭଳି ଏକ ସମସ୍ୟାର ନିରାକରଣ ପାଇଁ ରାଜନୀତିକ ସଦିଚ୍ଛା, ଜନସଚେତନତାର ଆବଶ୍ୟକତା ଯଥେଷ୍ଟ ମାତ୍ରାରେ ରହିଛି।ଶରୀରରେ ଆୟୋଡିନର ଅତ୍ୟନ୍ତ ଆବଶ୍ୟକତା ରହିଛି ଏବଂ ଜଣେ ବ୍ୟକ୍ତି ଜଳ ଓ ଖାଦ୍ୟ ମାଧ୍ୟମରେ ଏହା ଗ୍ରହଣ କରିଥାଏ। ଏହାର ଅଭାବରେ ଅନେକ ପ୍ରକାରର ଶାରୀରିକ ଅସୁବିଧା ହୋଇଥାଏ। ତହିଁରୁ ଗଳଗଣ୍ଡ ହେଉଛି କେବଳ ଆଖିକୁ ଦେଖା ଯାଉଥିବା ଏକ ସମସ୍ୟା।

ଆୟୋଡିନ ଦୁଇ ପ୍ରକାରର ଗୁରୁତ୍ୱପୂର୍ଣ ହର୍ମୋନ ଯଥା  ଟି୩ (Triiodothyronine) ଏବଂ ଟି୪ (Thyroxine) କରିବାରେ ସହାୟକ ହୋଇଥାଏ। ଏହି ଦୁଇ ହର୍ମୋନ ହିଁ ଶରୀର ଗଠନ ଓ ବିକାଶରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ। ଆୟୋଡିନ ଅଭାବ ଜନିତ ସମସ୍ୟା ମୂଖ୍ୟତଃ ଖାଦ୍ୟରେ କମ୍‌ ପରିମାଣର ଆୟୋଡିନ ଗ୍ରହଣ ଯୋଗୁ ହୋଇଥାଏ। କାଲସିଅମ, ଆଇରନ, ଭିଟାମିନ ଭଳି ଖାଦ୍ୟରୁ ଆୟୋଡିନ ମିଳି ନଥାଏ। ଆୟୋଡିନ ମୁଖ୍ୟତଃ ମାଟିରେ ଥିବା ଆୟୋଡିନର ପରିମାଣ ଉପରେ ନିର୍ଭର କରିଥାଏ। ଯେଉଁ ମାଟି ରେ ଆୟୋଡିନ କମ ଥାଏ, ସେହି ମାଟିରେ ହେଉଥିବା ଫସଲରେ ମଧ୍ୟ ଆୟୋଡିନର ମାତ୍ରା କମ୍‌ ଥାଏ। ବର୍ଷ ବର୍ଷ ଧରି ବର୍ଷା, ବନ କ୍ଷୟ, ମୃତ୍ତିକା କ୍ଷୟ ଆଦି ଦ୍ୱାରା ଆୟୋଡିନ୍‌ର ପରିମାଣ ମାଟିରେ କ୍ରମଶଃ କମିଯାଇ ଥାଏ। ତେଣୁ ସମୟ କ୍ରମେ ମଣିଷଙ୍କ ଠାରେ ଆୟୋଡିନ୍‌ ଅଭାବ ଜନିତ ସମସ୍ୟା ବଢ଼ିଥିବା ଦେଖା ଯାଉଛି।

ମଣିଷ ଶରୀରରେ ଆୟୋଡିନ୍‌ ଅଭାବରୁ ଦେଖାଯାଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ଗର୍ଭସ୍ଥ ଶିଶୁର ମାନସିକ ବିକାଶରେ ବାଧା ସୃଷ୍ଟି ଏବଂ ମାନସିକ ଅନଗ୍ରସର ଶିଶୁ ଜନ୍ମ ହେବାର ଆଶଙ୍କା ଅନ୍ୟତମ। ମୃତ ଶିଶୁ ଜନ୍ମ ହେବା, ବାରମ୍ବାର ଗର୍ଭପାତ ହୋଇଯିବା, ଜନ୍ମ ପରେ ଶୀଘ୍ର ମୃତ୍ୟୁ ହେଇଯିବା ଆଦି ଆୟୋଡିନ ଅଭାବର ଗୋଟିଏ ଗୋଟିଏ ପରିଣତି। ଶ୍ରେଣୀରେ ଭଲ ପ୍ରଦର୍ଶନ ନକରିବା, ବାରମ୍ବାର ଫେଲ୍‌ ହେବା ଓ ପଢ଼ାଛାଡ଼ିଦେବା ମଧ୍ୟ ଆୟୋଡିନ ଅଭାବର ପରିଣାମ। ଆୟୋଡିନ ଅଭାବ ଥିବା ଅଂଚଳର ଶିଶୁଙ୍କର ପ୍ରାୟତଃ ୧୩ ଆଇକ୍ୟୁ ପଏଣ୍ଟ କମ୍‌ ଥାଏ। ବୟସ୍କମାନେ ସଦା ସର୍ବଦା କ୍ଳାନ୍ତ ଅନୁଭବ କରିଥାଆନ୍ତି। ଯାହା ସେମାନଙ୍କର  କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ। ଏପରିକି ସେଇ ଆୟୋଡିନ୍‌ ଅଭାବ ହିଁ ସେମାନଙ୍କୁ ଅଭାବୀ ମଣିଷ ବନାଇଦିଏ। ସେମାନେ ଦରିଦ୍ରତାର ଚକ୍ର ଭିତରୁ କେଭେ ହେଲେ ମୁକୁଳି ପାରନ୍ତି ନାହିଁ।

ଭାରତରେ ଆୟୋଡିନ ଅଭାବ ଜନିତ ସମସ୍ୟା ଏକ ସାଧାରଣ ସମସ୍ୟା। ଅନେକ ରାଜ୍ୟ ଆୟୋଡିନ ଅଭାବ ଜନିତ ସମସ୍ୟାରୁ ମୁକ୍ତ ହୋଇନାହାନ୍ତି। ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-4, 2015-16) ଅନୁଯାୟୀ ଓଡିଶାରେ ୯୩% ଆୟୋଡିନ ଯୁକ୍ତ ଲୁଣ ବ୍ୟବହାର କରୁଛନ୍ତି; ଯାହା ପୂର୍ବ ସର୍ବେକ୍ଷଣ(NFHS-3:2005-06)ରେ ଥିଲା ମାତ୍ର ୭୬%। ସାମାଜିକ ଓ ଆର୍ଥନୀତିକ ଅନଗ୍ରସର ଥିବା ଗୋଷ୍ଠୀଙ୍କ କ୍ଷେତ୍ରରେ ଆୟୋଡିନ୍‌ ଯୁକ୍ତ ଲୁଣର ଖୁବ୍‌ କମ୍‌ ବ୍ୟବହାର କରୁଥିବା ଦେଖାଯାଉଛି। ଭାରତ ଯଦିଓ ପ୍ରଭାବଶାଳୀ ପ୍ରଗତି କରିଛି, ତଥାପି ସେଇ ଶେଷ ମାଇଲ ଅତିକ୍ରମ କରିବା ବାକି ରହିଛି।

ଆୟୋଡିନର ଅଭାବ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର କାରଣ । ମାତ୍ର ଏହାର ନିରାକରଣ ସମ୍ଭବ ଓ ସହଜ। ଦୈନନ୍ଦିନ ଜୀବନରେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର ଦ୍ୱାରା ଏହି ସମସ୍ୟାର ପ୍ରତିକାର ହୋଇପାରିବ। ଜାତିସଂଘର ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟରେ ପରିପୂରକ ପୁଷ୍ଟି ଜନିତ ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ। ବିଶ୍ୱରେ କ୍ଷୁଧା ଓ ଦାରିଦ୍ର୍ୟ ନିରାକରଣ କେବଳ ମାତ୍ର ଲକ୍ଷ୍ୟ ନୁହେଁ, ଏହା ସହିତ ପୁଷ୍ଟିକର ଖାଦ୍ୟ ଗ୍ରହଣର ମଧ୍ୟ ଗୁରୁତ୍ୱ ରହିଛି। ଆନ୍ତର୍ଜାତିକ ସ୍ତରରେ ଅନେକ ଦେଶ ଆୟୋଡିନ ଜନିତ ସମସ୍ୟାକୁ ନିରାକରଣ କରିବା ପାଇଁ ଚୁକ୍ତିପତ୍ରରେ ସ୍ଵାକ୍ଷର କରିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ଅଛି।

ଭାରତ ସରକାର ଆୟୋଡିନ ସଂକଟର ଦୂରୀକରଣ ପାଇଁ ଆୟୋଡିନଯୁକ୍ତ ଲୁଣ ବ୍ୟବହାରକୁ ସାର୍ବଜନୀନ କରିବାକୁ ନୀତି ପ୍ରଣୟନ କରିଛନ୍ତି। ଏଥିପାଇଁ ଆୟୋଡିନଯୁକ୍ତ ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦେବା ସହ ୧୫ ଅଗଷ୍ଟ ୨୦୦୫ ମସିହାରୁ ଆୟୋଡିନ ବିହୀନ ଲୁଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଆୟୋଡିନ୍‌ଯୁକ୍ତ ଲୁଣ ଉପରେ ସଚେତନ କରାଉଛନ୍ତି। ଭାରତ ସରକାରଙ୍କ ସହ ସ୍ୱର ଓ ସ୍ୱାକ୍ଷର ସହ ରାଜ୍ୟ ସରକାରମାନେ ବିଭିନ୍ନ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଭାରତରେ ଆୟୋଡିନ ଅଭାବ ଜନିତ ସମସ୍ୟା:

୧୯୬୦ ମସିହା ପରଠାରୁ ଆୟୋଡିନ ଅଭାବ ଜନିତ ସମସ୍ୟାକୁ ଭାରତରେ ଏକ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଗ୍ରହଣ କରାଯାଇଛି। ପ୍ରାଥମିକ ସ୍ତରରେ ହିମାଳୟ ଅଂଚଳରେ ଏହି ସମସ୍ୟାକୁ ଲକ୍ଷ୍ୟ କରି ତହିଁର ନିରାକରଣ ପାଇଁ ପଦକ୍ଷେପ ନିଆଯାଇଥିଲା ଏବଂ ଏହାର ଫଳସ୍ୱରୂପ ପୋଟାସିୟମ ଆୟୋଡାଇଡ୍‌ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ସର୍ବେକ୍ଷଣରେ ୨୫ଟି ରାଜ୍ୟର ୨୮୩ ଜିଲ୍ଲାରେ ଏପରିକି ଉପକୂଳିଆ ଜିଲ୍ଲାରେ ଆୟୋଡିନ ଅଭାବ ଜନିତ ସମସ୍ୟା ଚିହ୍ନଟ କରିଥିଲା।

ଓଡ଼ିଶାରେ ଆୟୋଡିନ ଅଭାବ ଜନିତ ସମସ୍ୟା:

ଓଡ଼ିଶା ଜନସଂଖ୍ୟାର ସଂଖ୍ୟାଧିକ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ଏଠାର ଆୟୋଡିନଜନିତ ସମସ୍ୟାକୁ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଧରାଯାଏ ନାହିଁ। କିନ୍ତୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଏକ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ରାଜ୍ୟର ୧୪ ଜିଲ୍ଲାରେ କରିଥିବା ସର୍ବେକ୍ଷଣରୁ ଜଣାଯାଇଛି ଯେ ତହିଁରୁ ୧୨ଟି ଜିଲ୍ଲାରେ ଆୟୋଡିନ ଅଭାବ ଚିନ୍ତାଜନକ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଧାରିତ ମାନ ଅନୁଯାୟୀ ୫ ଶତକଡାରୁ ଅଧିକ ସମସ୍ୟା ଥିବା ଅଂଚଳକୁ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଗ୍ରହଣ କରାଯିବ। ସେଥିପାଇଁ ରାଜ୍ୟ ସରକାର ଓ ଆନ୍ତର୍ଜାତିକ ସଂଗଠନ ମାନ ବିଭିନ୍ନ ପଦକ୍ଷେପ ନେବେ।

ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଆୟୋଡିନର ଆବଶ୍ୟକତା:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ ଆନ୍ତର୍ଜାତିକ ସଂଗଠନ ଦ୍ୱାରା ନିମ୍ନ ମାନ ନିର୍ଧାରଣ କରାଯାଇଛି (ପ୍ରତିଦିନ):

୦-୭ ବର୍ଷର ଶିଶୁ – ୯୦ ମାଇକ୍ରୋଗ୍ରାମ

୭-୧୨ ବର୍ଷ ଶିଶୁ  – ୧୨୦ ମାଇକ୍ରୋଗ୍ରାମ

୧୨ ବର୍ଷରୁ ଉର୍ଧ  – ୧୫୦ ମାଇକ୍ରୋଗ୍ରାମ

ଗର୍ଭବତୀ ଓ ପ୍ରସୂତି – ୨୦୦ ମାଇକ୍ରୋଗ୍ରାମ

ସାଧାରଣ ଭାବେ ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ହାରାହାରି ୧୫୦ ମାଇକ୍ରୋଗ୍ରାମ ଆୟୋଡିନ ଆବଶ୍ୟକ କରିଥାନ୍ତି, ଯାହାକି ସାଧାରଣ ଆଖିରେ ଦେଖିବା କଷ୍ଟକର।ଆୟୋଡିନ ଲୁଣ ପ୍ରସ୍ତୁତି ଏକ ରାସାୟନିକ ପ୍ରକ୍ରିୟା ନୁହେଁ। ଏହା କେବଳ ଲୁଣରେ ମିଶାଯାଇଥାଏ। ଆୟୋଡିନ ଉଭୟ ଗୁଣ୍ଡ ଲୁଣ ଓ ଗୋଟା ଲୁଣରେ ମିଶାଯାଇପାରିବ। ଆୟୋଡିନ ଲୁଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଖୁବ୍‌ ଅଳ୍ପ ଖର୍ଚ କରିବାକୁ ପଡିଥାଏ। ଅଧିକ ମାତ୍ରାରେ ଆୟୋଡିନ ଗ୍ରହଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ବୋଲି ଅନେକେ ଆଶଙ୍କା କରିଥାଆନ୍ତି। କିନ୍ତୁ ବାସ୍ତବରେ ଶରୀରରେ କୌଣସି ପ୍ରକାରର ସମସ୍ୟା ଦେଖାଦେଇନଥାଏ। ବରଂ ଅଧିକ ମାତ୍ରାରେ ଗ୍ରହଣ କଲେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି।

[email protected]।com

( ବିଶ୍ବ ଆୟୋଡିନ୍ ଅଭାବ ଜନିତ ସମସ୍ୟା ନିରାକରଣ ଦିବସ ଅବସରରେ ବିଶେଷ ଉପସ୍ଥାପନା )

ସମ୍ବନ୍ଧିତ ଖବର