ଭୁବନେଶ୍ୱର: ସ୍ଥାନୀୟ ସହିଦନଗରସ୍ଥିତ ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋଲୋଜି ଆଣ୍ଡ୍ ଲିଭର ସାଇନ୍ସରେ ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର ଓ କଲୋନ କ୍ୟାନ୍ସର (ଉଦର କର୍କଟ) କୁ ପ୍ରାରମ୍ଭିକ ଅବସ୍ଥାରେ ମଧ୍ୟ ନିରୁପଣ କରାଯାଇପାରୁଛି। ଏହି ସ୍ୱାସ୍ଥ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଡା. ଆଶୁତୋଷ ମହାପାତ୍ରଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ତଥା ଏଠାରେ ଉପଲବ୍ଧ ଥିବା ଏଣ୍ଡୋସାଇଟୋସ୍କୋପି ଓ ୨୯୦ ସିରିଜ୍ର ଜୁମ୍ କଲୋକୋସ୍କାପ ଭଳି ଅତ୍ୟାଧୁନିକ ଉପକରଣ ଦ୍ୱାରା ଏହା ସମ୍ଭବପର ହୋଇପାରିଛି। ଯାହା ଫଳରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ରୋଗୀ ଉପକୃତ ହୋଇପାରୁଛନ୍ତି। ନିକଟ ଅତୀତରେ ୩୦ ବର୍ଷ ବୟସରୁ ବି କମ୍ ଅନେକ ଯୁବକଙ୍କ ଗ୍ୟାଷ୍ଟ୍ରିକ୍ କ୍ୟାନସ୍ର ଓ କଲୋନ କ୍ୟାନସର ଚିହ୍ନଟ କରାଯାଇଛି । ଯଦିଓ ଏହା ଏକ ଉଦ୍ବେଗର ବିଷୟ, ତଥାପି ଅତ୍ୟାଧୁନିକ ଉପକରଣ ଦ୍ୱାରା ଏହାର ନିରୂପଣ ଓ ଉପଯୁକ୍ତ ଚିକିତ୍ସା କରିବା ସମ୍ଭବପର ହୋଇପାରିଛି; ଯଦ୍ୱାରା ରୋଗୀ ଶୀଘ୍ର ଆରୋଗ୍ୟଲାଭ କରି ନିଜର ସାଧାରଣ ଜୀବନଯାପନ କରିପାରୁଛି।
ଏ ସମ୍ପର୍କରେ ଡା. ଆଶୁତୋଷ ମହାପାତ୍ର କହନ୍ତି, “ଭୋକ ନ ଲାଗିବା, ଓଜନ ହ୍ରାସ ହେବା, ପେଟ ବ୍ୟଥା ହେବା ଆଦି ଲକ୍ଷଣ ଦେଖାଯାଉଥିଲେ ଏହା ଷ୍ଟୋମାକ୍ କ୍ୟାନସରର ଲକ୍ଷଣ ହୋଇପାରେ। ଝାଡ଼ାରେ ରକ୍ତପଡ଼ିବା, ପୁରୁଷମାନଙ୍କ ରକ୍ତହୀନତା ଦେଖାଯିବା ଓ ଝାଡ଼ାଯିବାର ଅଭ୍ୟାସରେ ପରିବର୍ତ୍ତନ ଦେଖାଯିବା ଆଦି ଲକ୍ଷଣ କଲୋନ୍ କ୍ୟାନସର ହୋଇପାରେ। ଏସବୁ ଲକ୍ଷଣ ଦେଖାଯାଉଥିଲେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ। ଏଭଳି କ୍ଷେତ୍ରରେ ଏଣ୍ଡୋସ୍କୋପି ମାଧ୍ୟମରେ ଗ୍ୟାଷ୍ଟ୍ରିକ୍ କ୍ୟାନସର ଚିହ୍ନଟ କରାଯାଏ । ଯଦି ପ୍ରାରମ୍ଭିକ ଅବସ୍ଥାରେ ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର ଚିହ୍ନଟ ହୁଏ, ତେବେ ସେହି ଏଣ୍ଡୋସ୍କୋପି ମାଧ୍ୟମରେ ଚିକିତ୍ସା ମଧ୍ୟ କରାଯାଇପାରେ। ଏଥିପାଇଁ କୌଣସି ପ୍ରକାରର ସର୍ଜରୀ କିମ୍ବା କେମୋଥେରାପି ଦରକାର ପଡ଼ି ନଥାଏ ।
ପୂର୍ବରୁ ଗୋଟେ ଧାରଣା ଥିଲା ଯେ, ଗ୍ୟାଷ୍ଟ୍ରିକ୍ କ୍ୟାନସର ପ୍ରାୟତଃ ୪୦ ବର୍ଷ ବୟସ କରେ ହୋଇଥାଏ। ମାତ୍ର ଏବେ ଏହା ଭୁଲ୍ ପ୍ରମାଣିତ ହୋଇଛି । ୩୦ ବର୍ଷ ବୟସ ତଳକୁ ମଧ୍ୟ ଗ୍ୟାଷ୍ଟ୍ରିକ୍ କ୍ୟାନସର ଚିହ୍ନଟ ହୋଇଛି। ସେଥିପାଇଁ ବର୍ତ୍ତମାନ ଷ୍ଟୋମାଚ କ୍ୟାନସର ସ୍କ୍ରିନିଂକୁ ବହୁତ ଗୁରୁତ୍ୱ ଦିଆଯାଉଛି । ୪୦ ବର୍ଷ ବୟସ ହୋଇଗଲେ ଟିକିଏ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି। ଯଦି ଆପଣଙ୍କ ବୟସ ୪୦ ବର୍ଷରୁ ଅଧିକ ତେବେ ପ୍ରତି ତିନିରୁ ପାଞ୍ଚ ବର୍ଷରେ ଥରେ ନିଜର ଷ୍ଟୋମାଚ କ୍ୟାନସର ସ୍କ୍ରିନିଂ କରାଇ ନିଅନ୍ତୁ ଏବଂ ପ୍ରତି ଦଶ ବର୍ଷରେ ଥରେ କୋଲୋନସ୍କୋପି ପରୀକ୍ଷା କରାଇ ନିଅନ୍ତୁ । ଏହା ସହିତ ଯେଉଁମାନଙ୍କ ପରିବାରରେ ପୂର୍ବରୁ ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର କିମ୍ବା କଲୋନ କ୍ୟାନ୍ସରର ଇତିହାସ ଅଛି, ସେମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେଇ ନିଜର କ୍ୟାନ୍ସର ସ୍କ୍ରିନିଂ କରିଦେବା ଆବଶ୍ୟକ।”
ଓଡ଼ିଶାର ଜଣେ ଲୋକପ୍ରିୟ ପେଟ ଓ ଲିଭର୍ ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ର ଏହି ସମ୍ବନ୍ଧରେ ୨୦୧୬ରୁ ୨୦୨୩ ମସିହା ଭିତରେ ସୁଦୂର ଜାପାନର ଟୋକିଓସ୍ଥିତ ନ୍ୟାସନାଲ୍ କ୍ୟାନସର ସେଣ୍ଟର ଏବଂ ଓସାକା ଇଣ୍ଟରନ୍ୟାସନାଲ କ୍ୟାନସର ଇନ୍ଷ୍ଟିଚ୍ୟୁଟ ରୁ ତିନି ଥର ପୂର୍ଣ୍ଣ ପ୍ରଶିକ୍ଷଣ ନେଇଛନ୍ତି । ଏହା ସହିତ ଡା. ମହାପାତ୍ର ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀରେ ନିଜର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କରି ନିଷ୍ଠା ଓ ପ୍ରଚେଷ୍ଟା ଦ୍ୱାରା ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଲିଭର ସାଇନ୍ସ ବିଭିନ୍ନ ଜଟିଳ ପେଟ ଓ ଲିଭର ରୋଗ ନିରୂପଣ ଓ ଚିକିତ୍ସା କ୍ଷେତ୍ରରେ ପୂର୍ବ ଭାରତରେ ଯଥେଷ୍ଟ ପ୍ରସିଦ୍ଧି ଲାଭ କରିପାରିଛି।