ଏମିତି ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ପ୍ରୋଟିନ୍‌ ଶେକ୍‌

ପ୍ରୋଟିନ୍‌ ପାଉଡର ଓଜନ ହ୍ରାସର ଏକମାତ୍ର ବିକଳ୍ପ ନୁହେଁ। ପ୍ରୋଟିନ୍‌ଯୁକ୍ତ ଖାଦ୍ୟକୁ ଆପଣ ଡ଼ାଏଟ୍‌ରେ ସାମିଲ କରି ଓଜନ ହ୍ରାସ କରିପାରିବେ। ଏହା ବ୍ୟତୀତ ପ୍ରୋଟିନ୍‌ ଶେକ୍‌ର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବଜାରରେ ମିଳୁଥିବା ପ୍ରୋଟିନ୍‌ ପାଉଡର ଛଡ଼ା ଆମେ ଘରୋଇ ଉପାୟରେ ପ୍ରୋଟିନ୍‌ ଶେକ୍‌ ମଧ୍ୟ ପ୍ରସ୍ତୁତ କରିପାରିବା।
ଆଲ୍‌ମଣ୍ଡ୍‌ ନଡ଼ିଆ ପ୍ରୋଟିନ୍‌ ଶେକ୍‌: ୨୦ଟି ଆଲ୍‌ମଣ୍ଡ୍‌ରେ ପ୍ରାୟ ୫ ଗ୍ରାମ୍‌ର ପ୍ରୋଟିନ୍‌ ଥାଏ। ନଡ଼ିଆରେ ଥିବା ଇଲେକ୍ଟ୍ରୋସାଇଟ୍‌ସ ଶରୀରକୁ ଆର୍ଦ୍ର ରଖିବାରେ ସାହାଯ୍ୟ କରେ। ନଡ଼ିଆ ଖଣ୍ଡ ଓ ଆଲ୍‌ମଣ୍ଡ୍‌କୁ ରାତିସାରା ଭିଜାଇ ରଖନ୍ତୁ। ପାଣିରୁ ଛାଣି ସେଥିରେ କ୍ଷୀର ମିଶାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। ଗୁଜୁରାତି ଗୁଣ୍ଡ ଓ ମହୁ ମିଶାଇ ପିଅନ୍ତୁ।
ଚକୋଲେଟ୍‌ ଓ କଦଳୀ ପ୍ରୋଟିନ୍‌ ଶେକ୍‌: ଏକକପ୍‌ କଟା ପାଚିଲା କଦଳୀରେ ଏକ ଚାମଚ କୋକୋ ପାଉଡର ସହ କ୍ଷୀର କିମ୍ବା ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଅଧଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ପିଅନ୍ତୁ।
ଜାମୁକୋଳି ପ୍ରୋଟିନ୍‌ ଶେକ୍‌: ଜାମୁକୋଳିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌ ଥାଏ। ୭-୧୦ଟି ଜାମୁକୋଳିରେ ଅଧକପ ଛେନା ସହ ଚାରି ଭାଗରୁ ଏକ ଭାଗ ପାଣି ଓ ମହୁ ମିଶାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। ଏବେ ସେଥିରେ କିଛି ବରଫ ଖଣ୍ଡ ମିଶାଇ ପିଅନ୍ତୁ।


ପିନଟ୍‌ ବଟର ପ୍ରୋଟିନ୍‌ ଶେକ୍‌: ପିନଟ୍‌ ବଟରରେ ଥିବା ପ୍ରଚୁର ପରିମାଣର ପ୍ରୋଟିନ୍‌ ଯୋଗୁଁ ଏହା ବ୍ୟାୟାମ ପରର ଏକ ଉତ୍ତମ ପାନୀୟ ଭାବେ ଜଣାଯାଏ। ଏକ କପ୍‌ ଦହି, ଅଧକପ୍‌ ଆଲ୍‌ମଣ୍ଡ୍‌ ମିଲ୍କ ଏବଂ ଦୁଇ ଚାମଚ ପିନଟ୍‌ ବଟର ଏକତ୍ର ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। ଆପଣ ଚାହିଁଲେ ଏଥିରେ କଦଳୀ ମଧ୍ୟ ମିଶାଇ ପାରିବେ। ଥଣ୍ଡା ଥଣ୍ଡା ପରଷନ୍ତୁ।
ଭେଗାନ୍‌ ପ୍ରୋଟିନ୍‌ ଶେକ୍‌: କ୍ଷୀର ଜାତୀୟ ପଦାର୍ଥରେ ଆଲର୍ଜି ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ଉତ୍ତମ ପାନୀୟ। ଏକ କପ୍‌ ଆଲ୍‌ମଣ୍ଡ୍‌ କିମ୍ବା କାଜୁ, ଗୋଟିଏ କଦଳୀ, ଏକ ଚାମଚ ମହୁ ସହ ସ୍ୱାଦ ପାଇଁ ଏକ ଚାମଚ ଭାନିଲା ଏସେନ୍‌ସ ଏକତ୍ର ମିଶାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। ବରଫଗୁଣ୍ଡ ମିଶାଇ ଶେକ୍‌ର ମଜା ନିଅନ୍ତୁ।
କଦଳୀ, ଷ୍ଟ୍ରବେରୀ, ତୁଳସୀ ମଞ୍ଜି, ପ୍ରୋଟିନ୍‌ ଶେକ୍‌: ତୁଳସୀ ମଞ୍ଜି, ଗୋଟିଏ କଦଳୀ, ଷ୍ଟ୍ରବେରୀ, କ୍ଷୀର ଏବଂ ମହୁକୁ ଏକତ୍ର ମିଶାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। କିଛି ବରଫ ଗୁଣ୍ଡ ମିଶାଇ ପିଅନ୍ତୁ।
ଆମ୍ବ, କଦଳୀ ଶେକ୍‌: ପାଚିଲା ଆମ୍ବରେ କଦଳୀ, ପିନଟ୍‌ ବଟର ଏବଂ କ୍ଷୀର ଏକତ୍ର ମିଶାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ ଏବଂ ବରଫ ଗୁଣ୍ଡ ମିଶାଇ ତୁରନ୍ତ ପିଅନ୍ତୁ।
ଓଟ୍‌ସ୍‌, ସେଓ ପ୍ରୋଟିନ୍‌ ଶେକ୍‌: ଓଟ୍‌ସ୍‌ ସହ କ୍ଷୀର, ସେଓ, ମହୁ ମିଶାଇ ଏକତ୍ର ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। କିଛି ସମୟ ଫ୍ରିଜ୍‌ରେ ରଖିବା ପରେ ଶେକ୍‌ର ମଜା ନିଅନ୍ତୁ।
ଆଭୋକାଡୋ ଏବଂ କଦଳୀ ପ୍ରୋଟିନ୍‌ ଶେକ୍‌: ଫ୍ୟାଟି ଏସିଡ୍‌ ଏବଂ ତନ୍ତୁରେ ଭରପୂର ଥିବା ଆଭୋକାଡୋ ସହ କଦଳୀ, କ୍ଷୀର ଓ ମହୁ ମିଶାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। ଥଣ୍ଡା ଥଣ୍ଡା ପିଅନ୍ତୁ।
କଞ୍ଚା ଅଣ୍ଡା ପ୍ରୋଟିନ୍‌ ଶେକ୍‌: ଗୋଟିଏ କଞ୍ଚା ଅଣ୍ଡାରେ କ୍ଷୀର, କଦଳୀ, ମହୁ ଏବଂ ଗୁଜୁରାତି ଗୁଣ୍ଡ ମିଶାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। ଏବେ ସେଥିରେ କିଛି ବରଫ ଖଣ୍ଡ ମିଶାଇ ପିଅନ୍ତୁ।

ସମ୍ବନ୍ଧିତ ଖବର