ପୁତ୍ର କର୍ତ୍ତବ୍ୟ ନିଭାଇଲା ଅଢ଼େଇ ବର୍ଷର ଶିଶୁ! ସହିଦ ବାପାଙ୍କ ମୁହଁରେ ମୁଖାଗ୍ନି ଦେଇ ଦେଲା ଅନ୍ତିମ ବିଦାୟ

ଡେରାଡୁନ୍‌: ପୁଲଓ୍ଵାମାଠାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶର ଅନେକ ବୀର ଯବାନ ସହିଦ ହେବା ପରେ ସାରା ଦେଶରେ ଶୋକର ଛାୟା। ଅନେକ ମାଆଙ୍କର କୋଳ ଶୂନ୍ୟ ହୋଇଯାଇଛି, ଅନେକ ପତ୍ନୀଙ୍କ ମଥାରୁ ସିନ୍ଦୂର ଲିଭିଯାଇଛି ତ ପୁଣି କେତେ କୁନି ପିଲାଙ୍କ ମଥାରୁ ହଟିଯାଇଛି ବାପାଙ୍କ ହାତ!

ଉତ୍ତରାଖଣ୍ଡର ଉଧମସିଂହ ନଗରର ସହିଦ ବିରେନ୍ଦ୍ର ସିଂହ ରାଣା ସହିଦ ହୋଇଥିବା ୪୦ ଯବାନଙ୍କ ମଧ୍ୟରୁ ଅନ୍ୟତମ। ରାଣାଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ତାଙ୍କ ଗାଁକୁ ଇତିମଧ୍ୟରେ ପଠାଇ ଦିଆଯାଇଛି। ରାଣାଙ୍କ ଶରୀର ନିଜ ଜନ୍ମମାଟିକୁ ଫେରିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବହୁ ସଂଖ୍ୟାରେ ଲୋକ ଧାଡ଼ି ଲଗାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ପୂରା ରାଜକୀୟ ସମ୍ମାନର ସହ ସହିଦ ବିରେନ୍ଦ୍ର ସିଂହ ରାଣାଙ୍କୁ ସାରା ଦେଶ ଅନ୍ତିମ ବିଦାୟ ଦେଇଥିବା ବେଳେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ରାଣାଙ୍କ ମୁହଁରେ ମୁଖାଗ୍ନି ଦେଇ ପୁଅ କର୍ତ୍ତବ୍ୟ ନିଭାଇଛି ଅଢ଼େଇ ବର୍ଷର କଅଁଳ ଶିଶୁ! ତାଙ୍କ ପାର୍ଥିବ ଶରୀରକୁ ଅନେକ ମନ୍ତ୍ରୀ ଓ ରାଜନେତା କାନ୍ଧ ଦେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଯାଇଥିଲେ। ମାତ୍ର ସେଠାରେ ବାପା ମୁହଁରେ କୁନି ପିଲାର ମୁଖାଗ୍ନି ଦେବା ଦୃଶ୍ୟ କାହାରି ଆଖିର ଲୁହକୁ ଅଟାକାଇ ପାରି ନଥିଲା।

ସମ୍ବନ୍ଧିତ ଖବର