ପଣ୍ଡିତ ଗୋପବନ୍ଧୁ ଦାସ ‘ଉତ୍କଳମଣି’ ଭାବରେ ସମଗ୍ର ଓଡ଼ିଶାରେ ସୁପରିଚିତ। ତାଙ୍କର ଜନ୍ମ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ, ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ। ୧୯୨୮ ମସିହା ଜୁନ୍ ୧୭ ତାରିଖ, ଶ୍ରୀଜଗନ୍ନାଥଙ୍କର ପବିତ୍ର ନେତ୍ରୋତ୍ସବ ଦିନ, ତାଙ୍କର ବିୟୋଗ ଘଟିଥିଲା।
ଜଣେ ରାଜନେତା ଭାବରେ ଛାତ୍ର ଜୀବନରୁ ସେ ‘ଉତ୍କଳ ସମ୍ମିଳନୀ’ରେ ସକ୍ରିୟ ରହିଥିଲେ। କିନ୍ତୁ ତାଙ୍କର ଭାରତ-ଭାବନା ତାହାର ଊର୍ଦ୍ଧ୍ୱରେ। ଓଡ଼ିଶା ପାଇଁ ସେ ଥିଲେ ଭାରତୀୟ ଜାତୀୟ କଂଗ୍ରେସର ଭଗୀରଥ।
ଉତ୍କଳମଣି ଗୋପବନ୍ଧୁ ଦାସ କବି ଭାବରେ ମଧ୍ୟ ଓଡ଼ିଆ ସାହିତ୍ୟରେ ସୁଖ୍ୟାତ। ‘ଧର୍ମପଦ’ (୧୯୨୪), ‘ବନ୍ଦୀର ଆତ୍ମକଥା’ (୧୯୨୨), ‘ଗୋ ମାହାତ୍ମ୍ୟ’ ଓ ‘କାରାକବିତା’ (୧୯୨୩-୨୪) ତାଙ୍କର ପ୍ରମୁଖ କାବ୍ୟକୃତି। ଏଥି ମଧ୍ୟରୁ ‘କାରାକବିତା’ରେ ସେ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ କେବଳ ଓଡ଼ିଶା ଭିତରେ ସୀମିତ ରଖିନାହାନ୍ତି। ତାଙ୍କୁ ମହାଭାରତୀୟତାର ଅଙ୍ଗ ଭାବରେ ଦେଖିଛନ୍ତି। ସେହିପରି, ଶ୍ରୀକ୍ଷେତ୍ର, ଶ୍ରୀକ୍ଷେତ୍ରର କଳ୍ପବଟ, ଶ୍ରୀମନ୍ଦିରର ନୀଳଚକ୍ର ଏବଂ ସର୍ବୋପରି ଶ୍ରୀଜଗନ୍ନାଥଙ୍କୁ କେବଳ ଓଡ଼ିଶା ଭିତରେ ସୀମିତ ନରଖି ମହାଭାରତୀୟତାର ବ୍ୟାପକତା ଦେଇଛନ୍ତି।
ଗୋପବନ୍ଧୁଙ୍କ ଦୃଷ୍ଟିରେ, ଭାରତ ଏକ ସରସୀ ବା ପୁଷ୍କରିଣୀ ସଦୃଶ। ସେହି ପୁଷ୍କରିଣୀର ଏକ ପଦ୍ମ ହେଉଛି ଉତ୍କଳ ବା ଓଡ଼ିଶା। ସେହି ପଦ୍ମର କେଶର ହେଉଛି ପୁଣ୍ୟ ନୀଳାଚଳ ଧାମ। ସେଇଥିପାଇଁ ସେ ଭାରତର ପ୍ରତି ଶିଳାଖଣ୍ଡ ଭିତରେ ଶାଳଗ୍ରାମ ଦେଖିଛନ୍ତି। ପ୍ରତି କ୍ଷେତ୍ର ଭିତରେ ଶ୍ରୀକ୍ଷେତ୍ର ପୁରୀକୁ ଦେଖିଛନ୍ତି। ପୁଣି ଭାରତର ପ୍ରତି ବୃକ୍ଷ ତାଙ୍କୁ କଳ୍ପବଟ ପରି ମନେ ହୋଇଛି। ଏ ଭାବନାରେ ଶ୍ରୀଜଗନ୍ନାଥ କେବଳ ଶ୍ରୀମନ୍ଦିରରେ ବିରାଜିତ ନରହି ଭାରତବର୍ଷର ସବୁଠାରେ ପ୍ରକଟ ହୋଇଛନ୍ତି।
ଗୋପବନ୍ଧୁଙ୍କ କବିତାର ସେହି ଧାଡ଼ିଗୁଡ଼ିକ ହେଉଛି-
“ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ
ପ୍ରତି କ୍ଷେତ୍ର ମୋର ପ୍ରିୟ ପୁରୀଧାମ।
ଭାରତର ପ୍ରତି ବୃକ୍ଷ କଳ୍ପବଟ
ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ।”
ଏଇଥିପାଇଁ, ଭାରତବର୍ଷର ଯେଉଁଠାରେ ଥିଲେ ବି, ସେ ଶ୍ରୀମନ୍ଦିରର ନୀଳଚକ୍ର ତଳେ ଥିବା ପରି ମନେ କରିଛନ୍ତି। ଏଣୁ ପରିଶେଷରେ କହିଛନ୍ତି-
“ଯହିଁ ତହିଁ ଥିଲେ ଭାରତ ଶୟଳେ
ମଣିବି ମୁଁ ଅଛି ନୀଳଚକ୍ର ତଳେ।”
ଏବେ ଅତିମାରୀ କରୋନାର ଆଶଙ୍କା ଯୋଗୁଁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କର ଆଗମନରେ କଟକଣା ଜାରି ହୋଇଛି। ଏହା ଫଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ବି ଭକ୍ତମାନେ ଆସିପାରୁ ନାହାନ୍ତି। କିନ୍ତୁ ଗୋପବନ୍ଧୁ ଦାସଙ୍କର ଏହି ଭାବନାରେ ଅନୁପ୍ରାଣିତ ହେଲେ, ଏ ଅଭାବକୁ ଆମେ ଅତିକ୍ରମ କରିପାରିବା। ଓଡ଼ିଶାର ବା ଭାରତବର୍ଷର ଯେଉଁଠାରେ ଥିଲେ ବି, ଆମେ ଶ୍ରୀକ୍ଷେତ୍ରରେ ଓ ଶ୍ରୀମନ୍ଦିରର ନୀଳଚକ୍ର ତଳେ ଅଛୁ ବୋଲି ଅନୁଭବ କରିପାରିବା।