‘ପୁରୁଷୋତ୍ତମ’ ଏକାଦଶୀ

ଭଗବାନ ବିଷ୍ଣୁ ‘ମଳମାସ’କୁ ନିଜର ନାଆଁ ଦେଇ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ କରିଛନ୍ତି। ସେହି ଅନୁସାରେ, ମଳମାସର ଏକାଦଶୀ ମଧ୍ୟ ‘ପୁରୁଷୋତ୍ତମ ଏକାଦଶୀ’ ଭାବରେ ପରିଚିତ ହୋଇଛି। ଚଳିତ (୨୦୨୦) ଆଶ୍ୱିନ ମାସଟି ‘ମଳ ମାସ’ ହୋଇଥିବାରୁ, ଏହି ଅନୁସାରେ ଆଶ୍ୱିନ ଶୁକ୍ଳ ଏକାଦଶୀ ଓ ଆଶ୍ୱିନ କୃଷ୍ଣ ଏକାଦଶୀର ନାମ ‘ପୁରୁଷୋତ୍ତମ ଏକାଦଶୀ’ ହୋଇଛି।

ଏକାଦଶୀ ହେଉଛି ହିନ୍ଦୁମାନଙ୍କର ଏକ ପାଳନୀୟ ପୁଣ୍ୟ ତିଥି। ପ୍ରତିମାସରେ କୃଷ୍ଣ ଓ ଶୁକ୍ଳ ଏକାଦଶୀ ଭାବରେ ଏହା ଦୁଇଥର ପାଳିତ ହୋଇଥାଏ। ଏଣୁ ସାରାବର୍ଷରେ ୨୪ଟି ଏକାଦଶୀ ତିଥି ପାଳିତ ହୁଏ। ଅନ୍ନଭୋଜନ ନକରି ବା ଉପବାସ କରି ଏହା ପାଳନ କରିବାର ବିଧି ରହିଛି। “ଯେଉଁମାନେ ‘ମାସୋପବାସୀ’ ବା ଏହି ତିଥିରେ ଉପବାସ କରି ହରିସ୍ମରଣ କରନ୍ତି, ସେମାନେ ‘ମମ ବନ୍ଦନୀୟ’ ବା ‘ମୋର ପ୍ରିୟ’ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି।

ସାରାବର୍ଷରେ ପାଳିତ ହେଉଥିବା ଏହି ୨୪ଟିଯାକ ଏକାଦଶୀର ନାମ ଭିନ୍ନ ଭିନ୍ନ। ଉଦାହରଣ ସ୍ୱରୂପ, ଆଶ୍ୱିନ କୃଷ୍ଣ ଏକାଦଶୀର ନାମ ‘ଇନ୍ଦିରା’ ଓ ଆଶ୍ୱିନ ଶୁକ୍ଳ ଏକାଦଶୀର ନାମ ‘ପାପାଙ୍କୁଶା’। କିନ୍ତୁ ଚଳିତ (୨୦୨୦) ବର୍ଷ ଆଶ୍ୱିନରେ ମଳ ମାସ ପଡ଼ିଛି। ଏଣୁ ଦୁଇ ମାସ ବ୍ୟାପୀ ଆଶ୍ୱିନ ମାସର ପ୍ରଥମ ପକ୍ଷ, ଅର୍ଥାତ୍ କୃଷ୍ଣପକ୍ଷ ଏବଂ ଶେଷ ପକ୍ଷ, ଅର୍ଥାତ୍ ଶୁକ୍ଳପକ୍ଷ ହେଉଛି ଶୁଦ୍ଧ। ମଝିର ଏକମାସ ମଳ। ଏଣୁ, ପ୍ରଥମ କୃଷ୍ଣପକ୍ଷ ଅର୍ଥାତ୍ ଶୁଦ୍ଧ କୃଷ୍ଣପକ୍ଷରେ ପଡ଼ୁଥିବା ଏକାଦଶୀର ନାମ ‘ଇନ୍ଦିରା’ ହୋଇଥିବାବେଳେ, ଶେଷ ପକ୍ଷ ଅର୍ଥାତ୍ ଶୁଦ୍ଧ ଶୁକ୍ଳପକ୍ଷରେ ପଡ଼ୁଥିବା ଏକାଦଶୀର ନାମ ‘ପାପାଙ୍କୁଶା’ ରହିଛି। କିନ୍ତୁ ମଝି ମଳମାସର ଦୁଇ ଏକାଦଶୀର ନାମ ବଦଳିଯାଇ ଦୁଇଟିଯାକର ନାଆଁ ‘ପୁରୁଷୋତ୍ତମ ଏକାଦଶୀ’ ହୋଇଛି।

ପୁରାଣ ଅନୁସାରେ, ଭଗବାନ ବିଷ୍ଣୁ ମଳମାସକୁ ନିଜର ନାଆଁ ଦେଇ ତାହାକୁ ପବିତ୍ର କରିଥିବାରୁ, ମଳମାସର ଏହି ଦୁଇ ଏକାଦଶୀ ମଧ୍ୟ ଅନ୍ୟ ସବୁ ମାସର ଏକାଦଶୀ ପରି ପବିତ୍ର। ବରଂ ଏହି ଦୁଇ ଏକାଦଶୀ ‘ପୁରୁଷୋତ୍ତମ ଏକାଦଶୀ’ ଭାବରେ ଅଧିକ ପବିତ୍ର ଓ ପୁଣ୍ୟପ୍ରଦ।

ସମ୍ବନ୍ଧିତ ଖବର