ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପ୍ରତ୍ୟେକ ମାସ କୌଣସି ନା କୌଣସି ଦେବତାଙ୍କର ପୂଜନ ନିମିତ୍ତ ଉତ୍ସର୍ଗିତ। ଏହି ଅନୁସାରେ, ପୌଷମାସ ସୂର୍ଯ୍ୟଙ୍କ ଆରାଧନାର ଶ୍ରେଷ୍ଠ ମାସ। ସୂର୍ଯ୍ୟଙ୍କର ଗୋଟିଏ ନାମ ‘ପୁଷା’। ଏହାର ଅର୍ଥ, ଯେ ପୋଷଣ କରେ। ଏହି ହେତୁ ଏ ମାସର ନାମ ‘ପୌଷ’। ଯଦିଓ ଏହି ମାସରେ ସୂର୍ଯ୍ୟଦେବ ‘ଭଗ’ ନାମରେ ଅଭିହିତ; କିନ୍ତୁ ପୌଷ ରବିବାରରେ ସେ ‘ରବି’ ନାମରେ ଆରାଧିତ ହୁଅନ୍ତି। “ଲୋକାନ୍ ଅବତି ରକ୍ଷତି ଇତି ରବି”; ଅର୍ଥାତ୍, ଯିଏ ସମଗ୍ର ସଂସାରର ଅବନ ବା ରକ୍ଷଣ କରନ୍ତି। ଏହାର କାରଣ ସ୍ୱରୂପ କୁହାଯାଇଛି, ପଞ୍ଚତତ୍ତ୍ୱର ପରିପ୍ରକାଶକ ଭାବରେ ଯେଉଁ ପଞ୍ଚଦେବତା ରହିଛନ୍ତି, ସେହି ପଞ୍ଚଦେବତାଙ୍କର ତତ୍ତ୍ୱ ସୂର୍ଯ୍ୟଙ୍କଠାରେ ବିଦ୍ୟମାନ। ସେ ଜଳତତ୍ତ୍ୱ, ସେ ପୃଥୀତତ୍ତ୍ୱ ଏବଂ ସେ ମଧ୍ୟ ଆକାଶ, ଅଗ୍ନି ଓ ବାୟୁ ତତ୍ତ୍ୱ। ତେଣୁ ପ୍ରତ୍ୟେକ ମନ୍ଦିର ବା ଅନୁଷ୍ଠାନାଦିରେ ପ୍ରଥମେ ତାଙ୍କୁ ପୂଜା କରାଯାଏ। ସୂର୍ଯ୍ୟଙ୍କୁ ଆରାଧନା କଲେ, ପ୍ରାଣୀ ତେଜସ୍ୱୀ ଓ ଆତ୍ମବିଶ୍ୱାସୀ ହେବା ସହିତ, କୁଷ୍ଠ ପରି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।
ଏହାକୁ ଆଧାର କରି ‘ପୁଷ ରବିବାର ବ୍ରତକଥା’ ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରହିଛି। ତାହାର କଥା ଅନୁସାରେ- କର୍ଣ୍ଣାଟ ଦେଶର ସାଧବକନ୍ୟା ବାଳାବତୀର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ, ଦିନେ ସୂର୍ଯ୍ୟ ଅସ୍ତ ହେବାକୁ ବିଳମ୍ବ କରିଦେଲେ। ଏଥିରେ ବିବ୍ରତ ହୋଇ ସୂର୍ଯ୍ୟଙ୍କର ମାତା, ବିଳମ୍ବ ପାଇଁ ଯିଏ ଦାୟୀ- ତାକୁ ଗଳିତ କୁଷ୍ଠ ହେଉ ବୋଲି ଅଭିଶାପ ଦେଲେ। ଏଥିରେ ଦୁଃଖିତ ହୋଇ, ମାତାଙ୍କୁ ଏହି ବ୍ୟାଧିରୁ ମୁକ୍ତ ହେବାର ଉପାୟ ସେ ପଚାରନ୍ତେ, ମାତା କେତେକ ବିଧି ବିଧାନର ନିର୍ଦ୍ଦେଶ ଦେଲେ।
ଯେଉଁମାନେ ପୁଷ-ରବିବାର ବ୍ରତ କରନ୍ତି, ସେମାନଙ୍କୁ ଏହା ଅତି ନିଷ୍ଠାର ସହିତ ପାଳନ କରିବାକୁ ହୁଏ। ପୌଷ ମାସର ପ୍ରତ୍ୟେକ ରବିବାରରେ ବ୍ରତଚାରୀମାନେ ପ୍ରଭାତରୁ ଉଠି ସ୍ନାନାଦି ସମାପନ କରି ଏକ ତମ୍ବାପାତ୍ରରେ ଲାଲରଙ୍ଗର ଫୁଲ ସହିତ ଜଳ ନେଇ, ‘ଓଁ ଆଦିତ୍ୟାୟ ନମଃ’ ମନ୍ତ୍ର ଜପ କରି, ସୂର୍ଯ୍ୟଙ୍କୁ ଜଳ ଦାନ କରନ୍ତି। ଏହା ପରେ ତୁଳସୀ ଚଉରା ମୂଳକୁ ଗୋମୟରେ ଲିପି, ତା’ ଉପରେ ରବି ମଣ୍ଡଳ କାଟି, ସେଥିରେ ସୂର୍ଯ୍ୟଦେବଙ୍କୁ ସ୍ଥାପନା କରି, ବ୍ରାହ୍ମଣ ଡାକି ଯଥାବିଧି ପୂଜନ କରନ୍ତି। ଖଇ, କୋରା, କଦଳୀ, ନଡ଼ିଆ ଓ ଦହି ଆଦି ସହିତ ଶୁଦ୍ଧପୂତ ଭାବରେ ଖେଚୁଡ଼ି ରାନ୍ଧି, ସୂର୍ଯ୍ୟଙ୍କୁ ଭୋଗ ଲଗାନ୍ତି ଏବଂ ସେହି ଭୋଗକୁ ଏକବେଳା ଖାଇ ବ୍ରତ ରଖନ୍ତି। ଏହିପରି ବ୍ରତ ରଖି ସାଧବଝିଅ ଗଳିତ କୁଷ୍ଠରୁ ମୁକ୍ତି ପାଇଥିଲା।
ତେବେ କେବଳ ରବିବାର ନୁହେଁ, ସଂପୂର୍ଣ୍ଣ ପୁଷମାସଯାକ ମଧ୍ୟ, ଗୋଟିଏ ବେଳା ଖାଦ୍ୟ ଗ୍ରହଣ କରି ଯେ ସୂର୍ଯ୍ୟଙ୍କର ଉପାସନା କରନ୍ତି, ସେ ସର୍ବଦା ନିରାମୟ ରହନ୍ତି ବୋଲି ବିଶ୍ୱାସ ରହିଛି।
ଡକ୍ଟର ତୁଳସୀ ଓଝା