ସାରଳା ଦାସଙ୍କ ‘ମହାଭାରତ’ ପରି ବଳରାମ ଦାସଙ୍କ ‘ରାମାୟଣ’ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ଏଥିରେ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଭାବରେ ଦେଖିଛନ୍ତି କବି। ପୁଣି ସୀତାଙ୍କୁ ମଧ୍ୟ ‘କମଳିଣୀ’ ବା ଲକ୍ଷ୍ମୀ ବୋଲି କହିଛନ୍ତି। ତାଙ୍କ ଦୃଷ୍ଟିରେ ପୁଷ୍ପକ ବିମାନ ‘ନନ୍ଦିଘୋଷ’ ରଥ ପରି ପ୍ରତୀୟମାନ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାମ-ରାବଣ ଯୁଦ୍ଧ ପରେ ଶ୍ରୀରାମ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ବେଳର କଥା। ସେତେବେଳେ ସୀତା, ଲକ୍ଷ୍ମଣ ଓ ହନୁମାନ ଆଦିଙ୍କ ସହିତ, ବହୁ ସୈନ୍ୟ, ସାମନ୍ତଙ୍କର ଥାଟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ। ଏତେ ଲୋକ କିପରି ଅଯୋଧ୍ୟାକୁ ଫେରିବେ, ସେ ନେଇ ଶ୍ରୀରାମ ଚିନ୍ତିତ ଥିବା ବେଳେ, ଲଙ୍କାର ରାଜା ବିଭୀଷଣ ଉପାୟ ବତାଇ ଦେଲେ। କହିଲେ- ଦେବରଥ ପୁଷ୍ପକ ବିମାନ ତ ଅଛି! ସେହି ବିମାନ ସାଗରମନ୍ଥନରୁ ମିଳିଥିଲା। ବ୍ରହ୍ମା ତାର ନାମ ଦେଇଥିଲେ ‘ମନୁରଥ’। ତାହା କୁବେରଙ୍କ ପାଖରେ ଥିଲା ଏବଂ କୁବେରଙ୍କୁ ଜିଣି ରାବଣ ତାହାର ଅଧିକାରୀ ହୋଇଥିଲା।
ବଳରାମ ଦାସ ‘ଦାଣ୍ଡି ରାମାୟଣ’ରେ ଅତି ଚମତ୍କାର ଭାବରେ ସେହି ବିମାନର ବର୍ଣ୍ଣନା କରିଛନ୍ତି।
ବିଭୀଷଣ ସେହି ବିମାନକୁ ସୁସଜ୍ଜିତ କରି ଆଣିବାରେ, ମନେହେଲା- ଯେମିତି ଚନ୍ଦ୍ରସୂର୍ଯ୍ୟ ସେଥିରେ ସମନ୍ୱିତ ହୋଇଛନ୍ତି। ରତ୍ନରେ ନିର୍ମିତ କଳସ ଉପରେ ପତାକା ଉଡ଼ୁଛି। ସୁନାର ରସାଣ ଥାଇ ଗଜଦନ୍ତ ପିତୁଳା ଖଞ୍ଜାଯାଇଛି। କେଉଁ ପିତୁଳା ପଦ୍ମରାଗ ମଣିର ତ କେଉଁ ପିତୁଳା ନୀଳାର। ବିମାନର ଖମ୍ବ ପୋହଳାରେ ନିର୍ମିତ। ସେଥିରେ ଖଞ୍ଜା ସୁବର୍ଣ୍ଣର ଘାଗୁଡ଼ି ସବୁ ରୁଣୁଝୁଣୁ ଶବ୍ଦ କରୁଥାଏ।
ଶ୍ରୀରାମ ସେହି ଦିବ୍ୟବିମାନକୁ ଦେଖି ମନରେ ବିଚାରିଲେ- ମାତା କୈକେୟୀଙ୍କ ପ୍ରସାଦରୁ ସେ ଏହି ଦେବଯାନର ଭାଜନ ହେଲେ। ତାହାକୁ ପୂଜା କରି, ସେ ସେହି ରଥ ଆରୋହଣ କଲେ। ସାଙ୍ଗରେ ଥିଲେ ସୀତା ଓ ଲକ୍ଷ୍ମଣ। ତାହାର ବର୍ଣ୍ଣନା କରି ବଳରାମ ଦାସ କହିଛନ୍ତି- “ଅନ୍ତରୀକ୍ଷ ମାର୍ଗେ ଶ୍ରୀରାମ ବିଜେ କରି। / ନନ୍ଦିଘୋଷ ରଥେ ଯେହ୍ନେ ବିଜୟେ ନୀଳଗିରି ହରି।। / ସଙ୍ଗେଣ ସୀତା କି ଯେ ସୁଭଦ୍ରା ପ୍ରତକ୍ଷ। / ଲକ୍ଷ୍ମଣ ଦିଶୁଛନ୍ତି ବଳଭଦ୍ର ସଦୃଶ।”
କେବଳ ଏତିକି ନୁହେଁ; ଏହି ପୁଷ୍ପକ ବିମାନକୁ ବଳରାମ ଦାସ ‘ରହୁବର’ ବା ‘ଶ୍ରେଷ୍ଠରଥ’ ବୋଲି କହିଛନ୍ତି। ପୁଣି ତାଙ୍କର ମନେ ହୋଇଛି- ସେହି ରଥ ଚଢ଼ି ଶ୍ରୀଜଗନ୍ନାଥ ଯେପରି ଗୁଣ୍ଡିଚା ବିଜୟ କରୁଛନ୍ତି! ତାଙ୍କ ଭାଷାରେ- “ପୁଷ୍ୟେକ ବିବାନେ ବିଜୟେ ରାମରାଉ। / ଗୁଣ୍ଡିଚା ଘରକୁ କି ବିଜୟେ ଜଗନ୍ନାଥ ପ୍ରଭୁ।”