ସମଗ୍ର ଭାରତରେ ପୌଷପୂର୍ଣ୍ଣିମା ଏକ ଆନନ୍ଦ ଉତ୍ସବର ପର୍ବ। କେତେକ ସ୍ଥାନରେ ଏହି ଦିନଟି ଦେବୀ ଶାକମ୍ଭରୀଙ୍କର ଜୟନ୍ତୀ ରୂପେ ପାଳିତ ହୁଏ। ‘ଶାକମ୍ଭରୀ’ ଭକ୍ଷଣଯୋଗ୍ୟ ସବୁଜ ଲତା-ପତ୍ର, ଫଳ- ପୁଷ୍ପ ଆଦି ଦାନ କରି ପ୍ରଜାଙ୍କର ଭରଣପୋଷଣ କରନ୍ତି। କଥିତ ଅଛି, ଏକଦା ପୃଥିବୀରେ ଦୁର୍ଭିକ୍ଷ ପଡ଼ିବାରୁ ଦେବୀ ଦୁର୍ଗା ଶାକମ୍ଭରୀ ରୂପରେ ଆବିର୍ଭୂତ ହୋଇ ନିଜ ଶରୀରରୁ ଶାକ ଉତ୍ପନ୍ନ କରାଇ ପୃଥିବୀକୁ ଦୁର୍ଭିକ୍ଷର ଦାଉରୁ ରକ୍ଷା କରିଥିଲେ। ଏହି ଶାକମ୍ଭରୀ ତେଣୁ ଖାଦ୍ୟଶସ୍ୟ, ପନିପରିବା ଓ ଫଳମୂଳ ଆଦିର ଦେବୀ ରୂପେ ପୂଜିତା।
ପୌଷମାସ ଖରିଫ ଫସଲ ଅମଳର ସମୟ। ଏଣୁ ଭାରତର ବିଭିନ୍ନ ପ୍ରାନ୍ତରେ ବନଦୁର୍ଗା, ବନଶଙ୍କରୀ, ଶାକମ୍ଭରୀ ଆଦି ନାମରେ ପନିପରିବା, ଫଳମୂଳ, ପୁଷ୍ପ ଆଦି ସମର୍ପଣ କରି ଏହି ଦେବୀଙ୍କର ପୂଜା କରାଯାଏ। ଓଡ଼ିଶାର କେତେକ ମନ୍ଦିରରେ ଦେବଦେବୀମାନଙ୍କର ପୁଷ୍ୟାଭିଷେକ ବା ପୁଷ୍ପ ଅଭିଷେକ ହେଉଥିବାବେଳେ, ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ଏହାକୁ ଭିନ୍ନ ରୀତିରେ ପାଳନ କରାଯାଏ।
ସାଧାରଣତଃ ବହୁ ଚାଷଜମିର ଅଧିକାରୀଙ୍କୁ ଏଠାରେ ଗୌନ୍ତିଆ ଓ ତାଙ୍କ ଚାଷଜମିରେ ନିଯୁକ୍ତି ଭିତ୍ତିରେ ଚାଷବାସ କରୁଥିବା ଚାଷୀଙ୍କୁ ଗୋତି କୁହାଯାଏ। ପ୍ରତ୍ୟେକ ଗୌନ୍ତିଆଙ୍କର ବର୍ଷିକିଆ ଗୋତି ଥାଆନ୍ତି। ପୌଷପୂର୍ଣ୍ଣିମା ଦିନ ଏହି ଗୋତିମାନଙ୍କର ଚୁକ୍ତିକାଳ ସରେ ଏବଂ ସେମାନେ ସେମାନଙ୍କର ପ୍ରାପ୍ୟ ନେଇ ମୁକ୍ତ ହୋଇଥାଆନ୍ତି। ପ୍ରାପ୍ୟ ଓ ଫସଲର ଅମଳ ଭାଗ ପାଇବା ପରେ ଉଭୟ ଗୌନ୍ତିଆ ଓ ଗୋତି ମହାସମାରୋହରେ ପିଠାପଣା ଆଦି କରି ମଉଜ ମଜଲିସ୍ କରନ୍ତି। ସାରା ରାତି ଉଜାଗର ରହି ନାଚଗୀତରେ କଟାନ୍ତି। ଏହା ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ବ। ପାରମ୍ପରିକ ଭାବରେ ଏହିଦିନ ପ୍ରସିଦ୍ଧ ଧନୁଯାତ୍ରାର କଂସବଧ ମଧ୍ୟ ହୋଇଥାଏ। ‘ପୁଷପୁନି’ର ପରଦିନ ଗାଁର ପିଲାମାନେ ପଡ଼ାକୁ ପଡ଼ା ବୁଲି ଛେରଛେରା (ଦାନା) ମାଗିଥାନ୍ତି। ଏହି ସମୟରେ ସେମାନେ ଗାଇଥାନ୍ତି-
ଛେରବୁଢ଼ୀ ଛେରଛେରା
ଏ ଘର ବୁଢ଼ୀ କାହିଁ ଗଲା- ଛେରି ଯାଇଛେ ବରକରା, ବରକରାରୁ ଆଏଲାନ- ତାଏଟ୍ ଧଡ଼୍ଧଡ଼୍ କଲା
ଦେମି ଦେମି ବୋଇଲାନ।
ଏହା ଶୁଣି, ଗୃହସ୍ଥମାନେ ଅତି ଆନନ୍ଦରେ ସେମାନଙ୍କୁ ଚାଉଳ, ମୁଗ ଆଦି ଦେଇଥାନ୍ତି।
ଡକ୍ଟର ତୁଳସୀ ଓଝା