ରବିନାରାୟଣ ବ୍ରତ କଥା

ଓଡ଼ିଆ ଓଷାବ୍ରତ ମଧ୍ୟରେ ‘ରବିନାରାୟଣ ବ୍ରତ’ ନାମରେ ଗୋଟିଏ ବ୍ରତ ଅଛି। ରବିନାରାୟଣ ବା ସୂର୍ଯ୍ୟ ଏହି ବ୍ରତର ଆରାଧ୍ୟ ଦେବତା। ଯେଉଁ ରବିବାରରେ ଏକାଦଶୀ ପଡ଼େ, ସେହିଦିନ ଏହି ବ୍ରତ ପାଳିତ ହୁଏ। (ଚଳିତ ସେପ୍ଟେମ୍ବର ୨୭ ତାରିଖ ସେହିପରି ଗୋଟିଏ ତିଥି।)

ଓଡ଼ିଆରେ ଅନେକଗୁଡ଼ିଏ ‘ରବିନାରାୟଣ ବ୍ରତକଥା’ ଅଛି। ସେଥିରୁ ଗୋଟିଏର କାହାଣୀ ଅନୁସାରେ- ସୁଧର୍ମା ସଭାରେ ନାରାୟଣ ଓ ଇନ୍ଦ୍ରଙ୍କ ସମେତ ସମସ୍ତ ଦେବତା, ଋଷି, ଗନ୍ଧର୍ବ, ନାଗ ଓ ଯକ୍ଷ ଆଦି ବସିଥିବା ବେଳେ, ବୃହସ୍ପତି ଏହି ବ୍ରତକଥା କହିଥିଲେ। ସଭାରେ ଉପସ୍ଥିତ ଥିବା ଅଗସ୍ତ୍ୟ ମୁନି ତାହା ଶୁଣି ବୈବସ୍ୱତ ମନୁଙ୍କୁ କହିଲେ। କ୍ରମେ ପୃଥିବୀରେ ତାହା ଖ୍ୟାତ ହେଲା।

ଏହି ବ୍ରତକଥା ଅନୁସାରେ, ବ୍ରହ୍ମାଙ୍କଠାରୁ ବିଭିନ୍ନ ବ୍ରତର ସୁଫଳ କଥା ଶୁଣି, ଦେବତାମାନେ ଗୋଟିଏ ଗୋଟିଏ ବ୍ରତ କରିବାକୁ ଆଗ୍ରହ ପ୍ରକାଶ କଲେ। ନିଜର ମାଆ ଅଦିତିଙ୍କ ପରାମର୍ଶରେ ସୂର୍ଯ୍ୟଦେବ ‘ରବିନାରାୟଣ ବ୍ରତ’ କରିଥିଲେ। ଏହି ବ୍ରତ କଲେ ମହାପାତକ କ୍ଷୟ ହୁଏ ବୋଲି ମଧ୍ୟ ମାଆ ଅଦିତି ସୂର୍ଯ୍ୟଦେବଙ୍କୁ କହିଥିଲେ।

‘ରବିନାରାୟଣ ବ୍ରତ’ କଥା ଅନୁସାରେ- ଅମରୀ ନାମରେ ଜଣେ କୁମ୍ଭାରୁଣୀ ଏହି ବ୍ରତର ପ୍ରସାଦରୁ ଯମଙ୍କଠାରୁ ମଧ୍ୟ ସାଧବ-ସାଧବାଣୀଙ୍କ ପୁଅକୁ ରକ୍ଷା କରିପାରିଥିଲା। ପରେ କୁମ୍ଭାରୁଣୀଠାରୁ ଶୁଣି ସାଧବାଣୀ ସେହି ବ୍ରତ କରିଥିଲେ।

ଅମରୀ କୁମ୍ଭାରୁଣୀ ସାଧବାଣୀଙ୍କ ଆଗରେ ବର୍ଣ୍ଣନା କରିଥିବା ବ୍ରତର ବିଧି ଓ ମହିମା ଏହିପରି-
“ଯେଉଁ ଦିନ ରବିବାରେ ଏକାଦଶୀ ପଡ଼ିବ ସେଦିନ ରବିନାରାୟଣ ବ୍ରତ ପଡ଼ଇ। ସେଦିନ ସକାଳୁ ସ୍ନାନ କରିବ। ବେଳ ତିନିପହର ଉତ୍ତାରେ ଧର୍ମ ନିରଞ୍ଜନ ଦେବତାଙ୍କୁ ସୁମରଣା କରି ଘରଦ୍ୱାର ଲିପାଇବ। ଦୂବ ଦୁଇନାଡ଼, ତଣ୍ଡୁଳ ସାତଗୋଟି, ଫଳ ସାତବର୍ଣ୍ଣ, ସାତବର୍ଣ୍ଣ ଫୁଲ, ସୂତା ଆଠଖିଅ, ମୁଆଁ ଆଠଗୋଟି, ସାତବର୍ଣ୍ଣ ଫଳ- ନଡ଼ିଆ, ଗୁଆ, ନାରଙ୍ଗ, ଟଭା, ହରିଡ଼ା, ଆମ୍ବ, ପଣସ ଏହି ରୂପେ ଫଳ ଉପହାର ଦ୍ରବ୍ୟ କରିବ। ତେଜପତ୍ର, ମରିଚ, ଆଖୁ, କାକୁଡ଼ି, ଖଣ୍ଡ ଶାକର- ଏତେ ପଦାର୍ଥ ଶିଳେ ବାଢ଼ିବ। ଗୁଆଘୃତ ଜାଗର ଦେବ। ପ୍ରଥମେ ଧର୍ମ ନିରଞ୍ଜନ ଦେବତାଙ୍କୁ ସୁମରଣା କରିବ। କଥା ଶୁଣିବ। ନୈବେଦ୍ୟ ଦେବ। ନିରଞ୍ଜନ ଦେବତାଙ୍କୁ ଲାଗି କରାଇବ। ମୁଖବାସ ଆଚମନ କରାଇବ। ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବ। ବ୍ରତ ବାହାରେ ବାନ୍ଧିବ। ଏ ପ୍ରକାରେ ବ୍ରତ କଲେ ମନ ବାଞ୍ଛିତ ଫଳ ପ୍ରାପ୍ତ ହୁଅଇ। ପଞ୍ଚ ମହାପାତକ କ୍ଷୟ ଯାଇ।”

ଏହି ବ୍ରତକଥାରୁ ସୂଚିତ ଯେ ସମାଜର ନିମ୍ନବର୍ଗର ଅମରୀ କୁମ୍ଭାରୁଣୀଠାରୁ ଆରମ୍ଭ କରି ସଂପନ୍ନ ବର୍ଗର ସାଧବାଣୀ ପର୍ଯ୍ୟନ୍ତ ସମସ୍ତେ ଏ ବ୍ରତ କରି ପାରନ୍ତି। କାରଣ ସୂର୍ଯ୍ୟ କୌଣସି ନିର୍ଦ୍ଦିଷ୍ଟ ବର୍ଗର ଦେବତା ନୁହନ୍ତି, ସେ ସମସ୍ତଙ୍କର।

ସମ୍ବନ୍ଧିତ ଖବର