ଶ୍ରୀମନ୍ଦିରର ରାଧା-ଦାମୋଦର ବେଶ

ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀବିଗ୍ରହମାନଙ୍କର ପବିତ୍ର ‘ରାଧା-ଦାମୋଦର’ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶର ଏକାଧିକ ପୌରାଣିକ ଭିତ୍ତି ରହିଛି।

ଶ୍ରୀଜଗନ୍ନାଥ ବା ଭଗବାନ ବିଷ୍ଣୁଙ୍କର କାର୍ତ୍ତିକ ମାସର ନାମ ହେଉଛି ‘ଦାମୋଦର’। ଏହାର ସଂପର୍କ ରହିଛି ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହିତ। କାରଣ ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି। କୁବେରଙ୍କ ପୁତ୍ର ନଳକୂବର ଓ ମଣିଗ୍ରୀବ ଧନଗର୍ବରେ ଅନ୍ଧ ଓ ମଦମତ୍ତ ହୋଇ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜ୍ଞାନ ଭୁଲିଯାଇଥିବାରୁ ନାରଦ ସେମାନଙ୍କୁ ଅଭିଶାପ ଦେଇଥିଲେ। ତାହା ଫଳରେ ଦୁହେଁ ଦୁଇଟି ଅର୍ଜୁନ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜାତ ହେଲେ। ଶ୍ରୀକୃଷ୍ଣ ସେହି ବୃକ୍ଷ ଦୁଇଟିକୁ ଉପାଡ଼ିଦେବା ଫଳରେ ଦୁହିଁଙ୍କର ଗର୍ବ ଭାଙ୍ଗିଲା ଏବଂ ସେମାନେ ବୃକ୍ଷତ୍ୱରୁ ମୁକ୍ତି ଲାଭ କଲେ।

ବ୍ୟାସଦେବଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଅନୁସାରେ, ଏହା ଥିଲା ଶ୍ରୀକୃଷ୍ଣଙ୍କ ପିଲାଦିନର କଥା। ଯଶୋଦା ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି, ସେହି ଦଉଡ଼ିକୁ ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ। ସେହି ଯାଆଁଳା ଅର୍ଜୁନ ବୃକ୍ଷର ମଝିରେ ଶ୍ରୀକୃଷ୍ଣ ଗଳି ଚାଲିଯିବା ପରେ, ଢିଙ୍କିଟି ଦୁଇ ଅର୍ଜୁନ ବୃକ୍ଷରେ ଲାଗି ଯାଇଥିଲା। ସେ ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟିକୁ ଜୋର୍‌ରେ ଟାଣିଦେବା ଫଳରେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଲା। ଅଣ୍ଟା ବା ‘ଉଦର’ରେ ଦଉଡ଼ି ବା ‘ଦାମ’ ବନ୍ଧା ହୋଇଥିବାରୁ ଶ୍ରୀକୃଷ୍ଣ ହେଲେ ‘ଦାମୋଦର’।

ଏହି ଦୃଷ୍ଟିରୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ‘ରାଧା ଦାମୋଦର’ ବେଶ ବେଳେ, ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ।
ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି। ହସ୍ତରେ ଲାଗି ହୁଏ ସୁବର୍ଣ୍ଣର ନଳୀଭୁଜ। ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଥାଏ ଏବଂ ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ। କର୍ଣ୍ଣରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଆଦିରେ ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭୂଷିତ ହୁଅନ୍ତି।

କିନ୍ତୁ ଏହାର ନାମ ‘ରାଧା-ଦାମୋଦର ବେଶ’ କାହିଁକି? ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟ କେତେକ କାବ୍ୟରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିବାର ବର୍ଣ୍ଣନା ଅଛି। ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ ଏହାର ନାମ ‘ରାଧା-ଦାମୋଦର ବେଶ’ ହୋଇଛି। ଏହି ମାସରେ ମହିଳାମାନେ କରୁଥିବା ‘ରାଈ-ଦାମୋଦର ବ୍ରତ’ରେ ‘ଦାମୋଦର’ଙ୍କ ସହିତ ‘ରାଧା’ ବା ‘ରାଈ’ଙ୍କୁ ଏକତ୍ର ପୂଜା କରାଯାଇଥାଏ।

ଡକ୍ଟର ଭାସ୍କର ମିଶ୍ର

ସମ୍ବନ୍ଧିତ ଖବର