ରାଈ-ଦାମୋଦର ବେଶ ରହସ୍ୟ

ଆଶ୍ୱିନ ଶୁକ୍ଳ ଏକାଦଶୀ ବା ଦଶହରାର ପରଦିନଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ, ଏକମାସ ବ୍ୟାପୀ ଶ୍ରୀମନ୍ଦିରରେ ରାଈ-ଦାମୋଦର ବେଶ ହୋଇଥାଏ। ‘ରାଈ’ର ଅର୍ଥ ‘ରାଧା’। କେତେକ ଗବେଷକଙ୍କ ଅନୁସାରେ, ଦ୍ୱାଦଶ ଶତାବ୍ଦୀଠାରୁ ଶ୍ରୀମନ୍ଦିରରେ ଏହି ବେଶ ଅନୁଷ୍ଠିତ ହୋଇଆସୁଛି। କିନ୍ତୁ ଅନ୍ୟ କେତେକଙ୍କ ମତରେ, ଷୋଡ଼ଶ ଶତାବ୍ଦୀରେ ଶ୍ରୀଚୈତନ୍ୟଙ୍କ ଉତ୍କଳ ଆଗମନ ପରେ, ଏହି ବେଶ ପ୍ରବର୍ତ୍ତିତ ହୋଇଛି। କାରଣ- ଶ୍ରୀଚୈତନ୍ୟ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ରାଧା-କୃଷ୍ଣ ମିଳିତ ତନୁ’ ରୂପେ ଗ୍ରହଣ କରୁଥିଲେ।
କିନ୍ତୁ ଭକ୍ତକବି ରଘୁନାଥ ଦାସ ବିରଚିତ ‘ରାଈ-ଦାମୋଦର ବ୍ରତକଥା’ରେ ଏ ସଂପର୍କରେ ଏକ ରୋଚକ ଉପାଖ୍ୟାନ ଅଛି। ଏହି ବ୍ରତକଥାରେ ବଳରାମ ଦାସଙ୍କ ଭଣିତା ମଧ୍ୟ ମିଳେ। ତାହା ଅନୁସାରେ- ଦିନେ ଶ୍ରୀଜଗନ୍ନାଥ ରତ୍ନପଲଙ୍କରେ ବିଜେ ଥିବା ବେଳେ ଶ୍ରୀମନ୍ଦିରର ବଡ଼ପଣ୍ଡା ଆସି ତାଙ୍କୁ ପିତୃଶ୍ରାଦ୍ଧ ପାଇଁ ନିଜ ଗୃହକୁ ନିମନ୍ତ୍ରଣ କଲେ।

ଶ୍ରୀଜଗନ୍ନାଥ ନିମନ୍ତ୍ରଣ ରକ୍ଷାକରି ଗଲେ ଏବଂ ବହୁ ଆଦର ଯତ୍ନ ପାଇ ଆନନ୍ଦିତ ହେଲେ। ବଡ଼ପଣ୍ଡାଙ୍କୁ ବର ଯାଚିଲେ। ବଡ଼ପଣ୍ଡା କହିଲେ- ହେ କମଳାକାନ୍ତ! ମୋର ‘ରାଈ’ ନାମରେ କନ୍ୟାରତ୍ନଟିଏ ଅଛି। ତାହାକୁ ତୁମ୍ଭଙ୍କୁ ପ୍ରଦାନ କରିବି, ଏହି ବର ମାଗୁଛି। ତାହା ଶୁଣି ଶ୍ରୀଜଗନ୍ନାଥ କହିଲେ- ତୁମ୍ଭର କନ୍ୟା ଲକ୍ଷ୍ମୀଙ୍କ ଅଂଶରେ ଜାତ ହୋଇଥିବାରୁ ମୁଁ ତାହାକୁ ସ୍ୱୀକାର କରୁଛି।

ବଡ଼ପଣ୍ଡାଙ୍କୁ ଦେଇଥିବା ବର ଅନୁସାରେ, ‘ରାଈ’ଙ୍କୁ ବିବାହ କଲେ ମଧ୍ୟ, ଶ୍ରୀଜଗନ୍ନାଥ ତାଙ୍କୁ ଶ୍ରୀମନ୍ଦିରକୁ ଘେନି ଗଲେ ନାହିଁ। କିନ୍ତୁ ରାଈ ତାଙ୍କୁ ସନ୍ତୁଷ୍ଟ କରି, ତାଙ୍କ କୋଳରେ ବସି ପୂଜା ପାଇବାକୁ ବର ମାଗିଲେ। ତାହା ଶୁଣି ଶ୍ରୀଜଗନ୍ନାଥ କହିଲେ- ପ୍ରଥମେ ମହାଲକ୍ଷ୍ମୀଙ୍କୁ ସେବା କରି ତାଙ୍କୁ ସନ୍ତୁଷ୍ଟ କର। ରାଈ ଲକ୍ଷ୍ମୀଙ୍କୁ ସେବା କରି ତାଙ୍କୁ ସନ୍ତୁଷ୍ଟ କଲେ ଏବଂ ଲକ୍ଷ୍ମୀ ତାଙ୍କୁ ବର ଯାଚିଲେ। ଶ୍ରୀଜଗନ୍ନାଥଙ୍କର କାର୍ତ୍ତିକ ମାସର ନାଆଁ ଦାମୋଦର। ତେଣୁ ଦାମୋଦରଙ୍କୁ ତାଙ୍କୁ ଦେବାପାଇଁ ରାଈ ଲକ୍ଷ୍ମୀଙ୍କୁ ବର ମାଗିଲେ।

ରାଈଙ୍କର ସେହି ବରପ୍ରାର୍ଥନା ଶୁଣି ଲକ୍ଷ୍ମୀ ବିରସ ହେଲେ। କିନ୍ତୁ ତାହାର ଅନୁରୋଧ ରକ୍ଷା କରି, ମାସକ ପାଇଁ ଦାମୋଦରଙ୍କ ସହ ସେ ପୂଜା ପାଇବ ବୋଲି ବର ଦେଲେ। ‘ରାଈ-ଦାମୋଦର ବ୍ରତକଥା’ ଅନୁସାରେ, ସେଥିପାଇଁ କାର୍ତ୍ତିକ ମାସରେ ରାଈ-ଦାମୋଦର ପୂଜା ସହିତ, ଶ୍ରୀଜଗନ୍ନାଥଙ୍କ ରାଈ-ଦାମୋଦର ବେଶ ହୋଇଥାଏ।

ସମ୍ବନ୍ଧିତ ଖବର