ଏକ ନୂତନ ଅନୁଧ୍ୟାନ ଅନୁଯାୟୀ, ଭୀଷଣ ବର୍ଷା ଓ ମୃତ୍ୟୁ ଆଶଙ୍କା ବୃଦ୍ଧି ମଧ୍ୟରେ ସମ୍ପର୍କ ରହିଛି। ଭୀଷଣ ବର୍ଷା କାଳରେ ବିଶେଷ କରି ହୃଦ୍‌ଘାତ ଓ ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ମୃତ୍ୟୁ ଆଶଙ୍କା ଅଧିକ ହୋଇଥାଏ ବୋଲି ଏଥିରୁ ଜଣାପଡ଼ିଛି। ଗବେଷକମାନେ ୧୯୮୦ରୁ ୨୦୨୦ ମସିହା ଭିତରେ ୩୪ଟି ଦେଶର ୬୪୫ଟି ସ୍ଥାନରେ ହୋଇଥିବା ୧୦୯ ନିୟୁତ ମୃତ୍ୟୁ ଘଟଣାକୁ ବିଶ୍ଳେଷଣ କରି ଏହି ନିର୍ଯାସରେ ଉପନୀତ ହୋଇଛନ୍ତି। ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଅଳ୍ପ ଅବଧିର ଭୀଷଣ ମାତ୍ରାରେ ବୃଷ୍ଟିପାତ ବାରମ୍ବାର ଘଟିବାରେ ଲାଗିଛି। ଏଥିଯୋଗୁଁ  ମୃତ୍ୟୁ ଘଟଣା ୮ ପ୍ରତିଶତ ବଢ଼ିଥିବା ବେଳେ ବିଶେଷ କରି ଶ୍ବାସକ୍ରିୟା ଜନିତ ମୃତ୍ୟୁ ମାମଲାରେ ୨୯ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାଯାଇଛି। ତେବେ ସ୍ବଳ୍ପ ସବୁଜିମା ଓ ସ୍ଥିର ପାଣିପାଗ ଥିବା ଅଞ୍ଚଳରେ ଏହି ପ୍ରଭାବ ଉଲ୍ଲେଖନୀୟ ଭାବେ ଦୃଷ୍ଟିଗୋଚର ହୋଇଛି। ସେହିପରି ପ୍ରତି ପାଞ୍ଚବର୍ଷରେ ଥରେ ଘଟୁଥିବା ଭୀଷଣ ବୃଷ୍ଟିପାତ ହୃତ୍‌ପିଣ୍ଡ ଜନିତ ଓ ଶ୍ବାସକ୍ରିୟା ଜନିତ ମୃତ୍ୟୁ ମାମଲାକୁ ସର୍ବାଧିକ ପ୍ରଭାବିତ କରିଥାଏ। 

Advertisment

୧୯୮୦ରୁ ୨୦୨୦ ଭିତରେ ହୋଇଥିବା ୧୦୯ ନିୟୁତ ମୃତ୍ୟୁର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଅଳ୍ପ ଅବଧିର ଭୀଷଣ ବୃଷ୍ଟିପାତ ଯୋଗୁଁ ସମଗ୍ର ମୃତ୍ୟୁସଂଖ୍ୟା ୮ ପ୍ରତିଶତ ଓ ଶ୍ବାସକ୍ରିୟା ଜନିତ ମୃତ୍ୟୁସଂଖ୍ୟା ୨୯ ପ୍ରତିଶତ ବଢ଼ିଯାଇଥାଏ।

ଭୀଷଣ ବର୍ଷା ଯୋଗୁଁ ଭିତ୍ତିଭୂମି ନଷ୍ଟ ସାଙ୍ଗକୁ ସଂକ୍ରମିତ ଜଳ, ବିପଜ୍ଜନକ ବୀଜାଣୁ ଓ ଭୂତାଣୁ ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁହାର ଅଧିକ ରହୁଛି। ପ୍ରବଳ ବର୍ଷା ଯୋଗୁଁ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ରହିଥାଏ, ଯାହା ବାୟୁବାହିତ ଓ ଜଳବାହିତ ରୋଗଗୁଡ଼ିକର ପ୍ରସାରକୁ ସୁହାଇଥାଏ। ଏପରି ଚରମ ପାଣିପାଗ ଘଟଣା ପରେ ଆଜ୍‌ମା ଓ ନିମୋନିଆ ଆଦି ରୋଗ ତତ୍କାଳ କାୟା ବିସ୍ତାର କରିବା ଆରମ୍ଭ କରିଦେଇଥା’ନ୍ତି। ସେହିପରି ଭୀଷଣ ବର୍ଷା ଯୋଗୁଁ ଶାରୀରିକ କ୍ଷତ ଓ ଆର୍ଥିକ କ୍ଷତି ସହ ଜଡ଼ିତ ମାନସିକ ଚାପ ବଢ଼ିଯାଇଥାଏ, ଯାହା ହୃଦ୍‌ଘାତ ସମସ୍ୟାର ଅନ୍ୟତମ କାରଣ ସାଜିଥାଏ। ସେହିପରି ଏକକାଳୀନ ଦୁଇ ବା ତହିଁରୁ ଅଧିକ ରୋଗ (କୋମର୍ବିଡିଟି)ରେ ପୀଡ଼ିତ ଲୋକଙ୍କୁ ଭୀଷଣ ବୃଷ୍ଟିପାତ ସ୍ଥିତି ବେଶୀ ପ୍ରଭାବିତ କରିଥାଏ। ଅପରପକ୍ଷେ, ମଧ୍ୟମ ଧରଣର ବର୍ଷା ଏ ଦିଗରେ କିଛି ସୁରକ୍ଷା ଯୋଗାଉଥିବା ଜଣାଯାଇଛି। ଏହି ସମୟରେ ଅଳ୍ପ ପ୍ରଦୂଷଣ ଓ ଲୋକେ କମ୍‌ ବାହାରକୁ ଯିବା କାରଣରୁ ଅପେକ୍ଷାକୃତ କମ୍‌ ମୃତ୍ୟୁ ହୁଏ। ଯଦିଓ ଏହି ଅନୁଧ୍ୟାନରେ ଅଧିକ ମୃତ୍ୟୁହାର ସହିତ ଭୀଷଣ ବୃଷ୍ଟିପାତର ସିଧାସଳଖ ସମ୍ପର୍କ ଥିବା କଥା ସ୍ପଷ୍ଟ ହୋଇନାହିଁ, ତେବେ ଚରମ ପାଣିପାଗ ଘଟଣାରେ ଦେଖାଦେଉଥିବା ବର୍ଦ୍ଧିତ ମୃତ୍ୟୁ ଆଶଙ୍କାର ମୁକାବିଲା ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟସେବା ସୁବିଧାକୁ ଗୁରୁତ୍ବ ମିଳିବ ବୋଲି ଆଶା କରାଯାଉଛି।