ନୂଆଦିଲ୍ଲୀ: ବର୍ଷା ଋତୁ ଆସିଗଲାଣି। ଏହି ଋତୁରେ ଘରେ ବିଭିନ୍ନ ପ୍ରକାରର କୀଟପତଙ୍ଗ ଘୁରି ବୁଲିଥାନ୍ତି। ଯଦ୍ବାରା ଘରେ ଛୋଟପିଲା ଥିଲେ ଅସୁବିଧା ହୋଇଥାଏ। ସମୟସମୟରେ ଖେଳୁଥିବା ବେଳେ ଛୋଟଛୁଆମାନେ ଉକ୍ତ କୀଟପତଙ୍ଗକୁ ପାଟିରେ ପୁରାଇ ଦେଇଥାଆନ୍ତି। ଯଦ୍ବାରା ଅନେକ ସମୟରେ ଛୁଆ ସଂକ୍ରମଣ ଶିକାର ହୋଇଥାଆନ୍ତି।
କେବଳ ଏତିକି ନୁହେଁ ବର୍ଷା ଋତୁରେ ଘରକୁ ପଶି ଆସୁଥିବା କୀଟପତଙ୍ଗ ହେତୁ ଖାଇବା ଓ ବସିବାରେ ବି ଅସୁବିଧା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏଥିରୁ କିପରି ପାଇବା ମୁକ୍ତି।
ବଜାରରେ ଅନେକ କମ୍ପାନିର କୀଟପତଙ୍ଗ ନାଶକ ସ୍ପ୍ରେ ଉପଲବ୍ଧ ରହିଛି। ତେବେ ଏହି ସ୍ପ୍ରେ କ୍ରମାଗତ ଭାବେ ବ୍ୟବହାର କରିବା ଦ୍ବାରା ମଣିଷ ଶରୀରକୁ କ୍ଷତି ପହଞ୍ଚାଇ ଥାଏ। ଏଭଳି ପରିସ୍ଥିତିରେ ଘରେ ବି ଆପଣ ଗୁଣବତ୍ତା ସ୍ପ୍ରେ ତିଆରି କରି କୀଟପତଙ୍ଗ ଦାଉରୁ ରକ୍ଷା ପାଇ ପାରିବେ। ଏହି ସ୍ପ୍ରେ ଘରେ ଘୁରି ବୁଲୁଥିବା ପିମ୍ପୁଡ଼ି, ମାଛି ଏବଂ ଅସରପା ସହିତ ଅନ୍ୟାନ୍ୟ ପୋକଜୋକକୁ ଦୂର କରିବାରେ ଭଲ ପ୍ରଭାବ ପକାଇଥାଏ।
ବର୍ଷାଦିନେ କୀଟପତଙ୍ଗକୁ ଦୂର କରିବା ପାଇଁ ଏକ ସରଳ ସ୍ପ୍ରେ ଘରେ ତିଆରି କରାଯାଇପାରିବ। ଏହି ସ୍ପ୍ରେ ତିଆରି କରିବା ପାଇଁ, ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହି ପାଣିରେ ଲବଙ୍ଗ ମିଶାନ୍ତୁ। ପାଣିର ରଙ୍ଗ ପରିବର୍ତ୍ତନ ହେଲେ, ସେଥିରେ ଏକ ଚାମଚ ବେକିଂ ସୋଡ଼ା ମିଶାନ୍ତୁ ।
ଏବେ ଏହି ମିଶ୍ରଣକୁ ଥଣ୍ଡା କରି ଏକ ସ୍ପ୍ରେ ବୋତଲରେ ରଖି ସେଥିରେ କିଛି ତେଜପତ୍ର ଭାଙ୍ଗି ପକାଇ ଦିଅନ୍ତୁ । ଏବେ ଆପଣଙ୍କର ସ୍ପ୍ରେ ପ୍ରସ୍ତୁତ।
ଭିନେଗାରର ଗନ୍ଧ ଯୋଗୁଁ କୀଟପତଙ୍ଗମାନେ ଦୌଡ଼ି ପଳାନ୍ତି। ଏକ ସ୍ପ୍ରେ ବୋତଲରେ ଭିନେଗାର ଭର୍ତ୍ତି କରି କୀଟପତଙ୍ଗ ଉପରେ ସ୍ପ୍ରେ କରି ପାରିବେ। ନଚେତ ଭିନେଗାର ପାଣିରେ ଘରର ଚଟାଣ ପୋଛନ୍ତୁ। ଏପରି କରିବା ଦ୍ୱାରା ଘରର ଚଟାଣରେ କୀଟପତଙ୍ଗ ବୁଲିବା ହ୍ରାସ ପାଇବ।