ଋତୁଚର୍ଯ୍ୟା: ବର୍ଷାଋତୁ

ଆଷାଢ଼ ଓ ଶ୍ରାବଣ- ଏ ଦୁଇମାସ ହେଉଛି ବର୍ଷାଋତୁ। ଏହାକୁ ‘ଆଦାନ’କାଳ ମଧ୍ୟରେ ଗଣାଯାଏ। କାରଣ, ଏହି ସମୟରେ ଚନ୍ଦ୍ରମାଙ୍କର ଶକ୍ତି କମ୍ ଓ ସୂର୍ଯ୍ୟଙ୍କର ଶକ୍ତି ପ୍ରଖରଥାଏ। ଏହା ମଧ୍ୟ ଜଠରାଗ୍ନି ଦୁର୍ବଳ ଓ ବାୟୁ ପ୍ରବଳ ହେବାର କାଳ। ଏହି ସମୟରେ ବର୍ଷାପାତ ଯୋଗୁଁ ଭୂମିରୁ ବାଷ୍ପ ବାହାରେ ଏବଂ ଆକାଶରେ ବାଦଲ ଥାଏ। ଏହା ଅମ୍ଳ ସୃଷ୍ଟି କରେ। ତା’ ସାଙ୍ଗକୁ, ଉଷ୍ମ ଭୂମିରେ ବାରିପାତ ଫଳରେ କୃମି ଓ କୀଟ ଆଦି ଯାତ ହୁଅନ୍ତି। ଏହି ଅମ୍ଳ ଓ କୃମି ଜଳକୁ ଦୂଷିତ କରେ। ସେହି ଦୂଷିତ ଜଳ ବ୍ୟବହାର କଲେ ଅଗ୍ନିବଳ କ୍ଷୟ ହୁଏ। ଆର୍ଦ୍ର ବା ସନ୍ତସନ୍ତିଆ ଭୂମି ମଧ୍ୟ ଶରୀରପାଇଁ କ୍ଷତିକାରକ ହୋଇଥାଏ।

ଏହିସବୁ ଦୃଷ୍ଟିରୁ ଆୟୁର୍ବେଦ ଶାସ୍ତ୍ରରେ ଅନେକ ପ୍ରତିକାର ପ୍ରାଞ୍ଜଳ ଭାବରେ ନିର୍ଦ୍ଦେଶିତ ହୋଇଛି।
ବର୍ଷାଋତୁରେ ଖାଲି ପାଦରେ ନଚାଲିବା ହେଉଛି ପ୍ରଥମ ପ୍ରତିକାର। କାରଣ, ଖାଲିପାଦରେ ଚାଲିଲେ, ମାଟିରେ ଥିବା କୃମି (ହୁକ୍ ୱର୍ମ) ପାଦ ମଧ୍ୟଦେଇ ଶରୀରରେ ପ୍ରବେଶ କରନ୍ତି। ଏହା ବ୍ୟତୀତ, ପାଦରେ ଦୂଷିତ ଜଳ ଓ ମାଟି କାଦୁଅ ଲାଗି ବିଭିନ୍ନ ଚର୍ମରୋଗ ସୃଷ୍ଟି ହୁଏ। ଏଣୁ ଏହି ଋତୁରେ ‘ପାଦ ପ୍ରାବରଣ’ ଅର୍ଥାତ୍ କଠଉ, ଜୋତା, ଚପଲ ଆଦି ପିନ୍ଧିବା ଅଥବା ଯାନବାହନରେ ୟାତାୟାତ କରିବା ଆବଶ୍ୟକ। ପାଦରେ ସୋରିଷ ତେଲ ବା ନଡ଼ିଆ ତେଲ କିମ୍ବା ନିମ୍ବ ବା କରଞ୍ଜ ତେଲ ମାଲିସ କରିବା ମଧ୍ୟ ଏହାର ଚିକିତ୍ସା ଓ ପ୍ରତିଷେଧକ।

ଏହି ଋତୁର ଖାଦ୍ୟପେୟ ସଂପର୍କରେ ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ ନିର୍ଦ୍ଦେଶ ଅଛି। ଏହି ଋତୁରେ ଉତ୍ତମ ଉତ୍ସରୁ ସଂଗୃହୀତ ଜଳକୁ ଫୁଟାଇ, ଛାଣି ବ୍ୟବହାର କରିବା ଉଚିତ। ପାଚନଶକ୍ତି କମ୍ ଥିବା ହେତୁ ବାସି ପଖାଳ, ପାଣିମିଶା ଛତୁ ଆଦି ଖାଇବା ଉଚିତ ନୁହେଁ। ମାଂସ ଖାଉଥିଲେ, ଭଲ ଭାବରେ ସିଝାଇ, ‘ସୁପ୍‌’ ପରି କରି, ଉଷୁମ ଉଷୁମ ପିଇବା ଉଚିତ। କୃମି ସଂକ୍ରମଣର ଆଶଙ୍କା ଥିବାରୁ ଶାଗ, ମୂଳା ବା ଅନ୍ୟ କନ୍ଦ ଜାତୀୟ ପନିପରିବା ବ୍ୟବହାର ନ କରିବା ଉଚିତ।
ଏହି ଋତୁରେ ମହୁ ବ୍ୟବହାରକୁ ଆୟୁର୍ବେଦ ଶାସ୍ତ୍ରରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। କାରଣ, ଏହା ତ୍ରିଦୋଷ (ବାତ, ପିତ୍ତ, କଫ) ନାଶକ। ବିଶୁଦ୍ଧ ଜଳକୁ ଉଷୁମ କରି ଥଣ୍ଡା ହେବା ପରେ ମହୁ ମିଶାଇ ପିଇଲେ ବିଶେଷ ଉପକାର ମିଳେ। ଏହାକୁ ‘ମଧୁପର୍କ’ କୁହାଯାଏ।

ବର୍ଷାଋତୁରେ ଦିବାନିଦ୍ରା, ଖୋଲା ଆକାଶ ତଳେ ନିଦ୍ରା ଓ କାକରରେ ବୁଲିବାକୁ ନିଷେଧ କରାଯାଇଛି। ଉଷୁମ ପାଣିରେ ଭଲ ଭାବରେ ଘଷି ହୋଇ ଗାଧୋଇବାକୁ କୁହାହୋଇଛି। ହାଲୁକା ଓ ଶୁଖିଲା ବସ୍ତ୍ର ପିନ୍ଧିବା ମଧ୍ୟ ଏହି ଋତୁରେ ଶରୀର ଓ ସ୍ୱାସ୍ଥ୍ୟପାଇଁ ହିତକର।

ସମ୍ବନ୍ଧିତ ଖବର