ଶ୍ରୀମନ୍ଦିରରେ ରାମ-ଲକ୍ଷ୍ମଣ-ସୀତା!

ଈଶ୍ୱରୀୟ ଲୀଳା ଖେଳା ଯେପରି ବିଚିତ୍ର, କବିଙ୍କର କଳ୍ପନା ବି ସେପରି ବିଚିତ୍ର। ବଳରାମ ଦାସଙ୍କ ‘ରାମାୟଣ’ ବା ‘ଦାଣ୍ଡି ରାମାୟଣ’ରେ ଅଛି ଏହାର ଏକ ସୁନ୍ଦର ଉଦାହରଣ।

ଆଦିକବି ସାରଳା ଦାସ ଯେପରି ବ୍ୟାସଦେବକୃତ ‘ମହାଭାରତ’ର ବହୁ ଚରିତ୍ରଙ୍କୁ ଓଡ଼ିଶା ଆଣିଛନ୍ତି ଏବଂ ଓଡ଼ିଆ କରି ଦେଇଛନ୍ତି, ବଳରାମ ଦାସ ସେହିପରି ଆଦିକବି ବାଲ୍ମୀକିଙ୍କ ‘ରାମାୟଣ’ର ଚରିତ୍ରଙ୍କୁ ମଧ୍ୟ ଓଡ଼ିଶା ଆଣିଛନ୍ତି ଏବଂ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ସହ ସମନ୍ୱିତ କରିଦେଇଛନ୍ତି।
ରାମ, ଲକ୍ଷ୍ମଣ ଓ ସୀତାଙ୍କର ବନବାସ ବେଳର କଥା। ‘ଦାଣ୍ଡି ରାମାୟଣ’ ଅନୁସାରେ, ସେତେବେଳେ ସେମାନେ ଓଡ଼ିଶା ଆସି କୋଣାର୍କରେ, ଚନ୍ଦ୍ରଭାଗା ନଦୀର ସାଗର ସଙ୍ଗମଠାରେ ‘କୋଣାଖି ଚଣ୍ଡୀ’ଙ୍କୁ ପୂଜା କରିଛନ୍ତି। ଶ୍ରୀରାମ ସେହି ଚଣ୍ଡୀଙ୍କୁ ଉତ୍ତରମୁଖ କରି ବସାଇ ତାଙ୍କର ନାମ ରଖିଛନ୍ତି ‘ଶ୍ରୀରାମଚଣ୍ଡୀ’। ତାହାପରେ ତିନିହେଁ ଉତ୍ତରମୁଖ ହୋଇ ଯାଇ ପୁଣ୍ୟସଲିଳା ପ୍ରାଚୀ ନଦୀରେ ସ୍ନାନ କରିଛନ୍ତି। ସେମାନେ ସ୍ନାନ କରିଥିବା ଘାଟର ନାମ ହୋଇଛି ‘ରାମଘାଟ’। ତାହା ପରେ ଅନ୍ୟାନ୍ୟ ତୀର୍ଥ ଦେଇ ସେମାନେ ଆସି ପହଞ୍ଚିଛନ୍ତି ଦକ୍ଷିଣ ବାରାଣସୀ ଭାବରେ ଖ୍ୟାତ ବିଶ୍ୱନାଥ (ଶ୍ରୀଲିଙ୍ଗରାଜ)ଙ୍କଠାରେ ଏବଂ ବିନ୍ଦୁସାଗରରେ ସ୍ନାନକରି ସେଠାରେ ରାତ୍ରିଯାପନ କରିଛନ୍ତି। ସେମାନେ ରହିଥିବା ମଠ ହୋଇଛି ‘ସୀତାମଠ’। ତା’ପରେ ସେଠାରୁ ଦକ୍ଷିଣମୁଖ ହୋଇ ସେମାନେ ଯାଇଛନ୍ତି ‘ନୀଳଗିରି’ ବା ପୁରୀ। ସେଠାରେ ‘ଦକ୍ଷିଣ ମହୋଦଧି’ (ସମୁଦ୍ର)ରେ ସ୍ନାନ କରିବା ପରେ, ଶ୍ରୀମନ୍ଦିରରେ ଶ୍ରୀଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ବଳରାମ ଦାସ ଏ ପ୍ରସଙ୍ଗରେ କହିଛନ୍ତି-
“ଦକ୍ଷିଣ ମଉଦଧିରେ ସ୍ନାହାନ ରାମ କଲେ
ଦାରୁବ୍ରହ୍ମ ରୂପେ ଯାଇଣ ଦେଖିଲେ।
ନୀଳଗିରି ସୁନ୍ଦର ଅନନ୍ତ ମୂରତି
ତ୍ରିବିଧ ସ୍ୱରୂପ ଯେ ଦେଖିଲେ ସୀତାପତି।।”

ଏହା ପରର ଘଟଣା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। କବିଙ୍କ ବର୍ଣ୍ଣନା ଅନୁସାରେ- ଶ୍ରୀରାମ ଯାଇ ଶ୍ରୀଜଗନ୍ନାଥଙ୍କ ଆଗରେ ଏବଂ ଲକ୍ଷ୍ମଣ ଶ୍ରୀବଳଭଦ୍ରଙ୍କ ଛାମୁରେ ଉଭା ହୋଇଛନ୍ତି। ସୀତା ଯାଇ ଉଭା ହୋଇଛନ୍ତି ଦେବୀ ସୁଭଦ୍ରାଙ୍କ ସମ୍ମୁଖରେ। ସେହି ତିନି ଦେବତା- ଅର୍ଥାତ୍ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ହିଁ ଏହି ତିନି ମାନବ ଦେହ ଘେନି ଜାତ ହୋଇଛନ୍ତି। ଏ ପ୍ରସଙ୍ଗରେ ଶ୍ରୀରାମଙ୍କର ଭାବନାର ବର୍ଣ୍ଣନା କରି କବି କହିଛନ୍ତି-
“ଶ୍ରୀରାମ ବିଚାରନ୍ତି ମୁଇଂ ସେ ଜଗନ୍ନାଥ
ସୀତା ସୁଭଦ୍ରା ଯେ ଅଟଇ ଯଥାର୍ଥ।
ଲକ୍ଷ୍ମଣ ବଳଭଦ୍ର ୟେକଇ ଦେହ ହୋନ୍ତି
ଏସନ ବିଚାରି ତହୁଂ ଚଳିଯାନ୍ତି।”

ଏଣୁ ଏଥିରେ କବି ବଳରାମ ଦାସ ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀରାମଙ୍କୁ, ଶ୍ରୀବଳଭଦ୍ରଙ୍କ ସହିତ ଲକ୍ଷ୍ମଣଙ୍କୁ ଏବଂ ଦେବୀ ସୁଭଦ୍ରାଙ୍କ ସହିତ ସୀତାଙ୍କୁ ସମନ୍ୱିତ କରିଦେଇଛନ୍ତି। ଲକ୍ଷ୍ମଣ ସାନଭାଇ ହେଲେ ମଧ୍ୟ ହୋଇଛନ୍ତି ବଡ଼ଭାଇ ବଳଭଦ୍ର ଏବଂ ଶ୍ରୀରାମ ବଡ଼ଭାଇ ହେଲେ ମଧ୍ୟ ହୋଇଛନ୍ତି ସାନଭାଇ ଶ୍ରୀଜଗନ୍ନାଥ।

ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରରେ ହେଉଥିବା ପାରମ୍ପରିକ ‘ରଘୁନାଥ ବେଶ’ରେ ମଧ୍ୟ ଏହି ଭାବଧାରା ପରିଲକ୍ଷିତ ହୋଇଥାଏ। ସେହି ବେଶରେ ଶ୍ରୀଜଗନ୍ନାଥ ଶ୍ରୀରାମ ହେବାବେଳେ, ଶ୍ରୀବଳଭଦ୍ର ଲକ୍ଷ୍ମଣ ଏବଂ ଦେବୀ ସୁଭଦ୍ରା ସୀତା ହୋଇଥାନ୍ତି।

ସମ୍ବନ୍ଧିତ ଖବର