ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ତିନିରଥର ନାମ ଯେପରି ଅଲଗା ଅଲଗା, ଚକ, ଉଚ୍ଚତା ଓ ରଙ୍ଗ ବି ସେପରି ଅଲଗା ଅଲଗା। ଶ୍ରୀଜଗନ୍ନାଥଙ୍କ ରଥର ନାମ ‘ନନ୍ଦିଘୋଷ’, ଶ୍ରୀବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ଓ ଦେବୀ ସୁଭଦ୍ରାଙ୍କ ରଥର ନାମ ‘ଦେବଦଳନ’। ଏହି ତିନି ରଥର ଚକ ସଂଖ୍ୟା ଯଥାକ୍ରମେ ୧୬, ୧୪ ଓ ୧୨। ଉଚ୍ଚତା ବି ସେହିପରି ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ ୬ ଇଞ୍ଚ। ସେହିପରି ‘ନନ୍ଦିଘୋଷ’ର ରଙ୍ଗ ଲାଲ ଓ ହଳଦି, ‘ତାଳଧ୍ୱଜ’ର ରଙ୍ଗ ଲାଲ ଓ ସବୁଜ ଏବଂ ‘ଦେବଦଳନ’ର ରଙ୍ଗ ଲାଲ ଓ କଳା। ଏହିପରି ଭାବରେ ତିନି ରଥର ଦୈର୍ଘ୍ୟ ଓ ପ୍ରସ୍ଥରେ ଏବଂ ଅଶ୍ୱମାନଙ୍କର ରଙ୍ଗରେ ମଧ୍ୟ ପାର୍ଥକ୍ୟ ଅଛି। ‘ନନ୍ଦିଘୋଷ’ର ଅଶ୍ୱ ଧଳା, ‘ତାଳଧ୍ୱଜ’ର ଅଶ୍ୱ କଳା ଓ ‘ଦେବଦଳନ’ର ଅଶ୍ୱ ଲାଲ।
କିନ୍ତୁ ଏହି ତିନି ରଥ ମଧ୍ୟରେ ଏତେ ଅସମାନତା ଥିବା ସତ୍ତ୍ୱେ, ଗୋଟିଏ ବିଷୟରେ ‘ସମଭାବ’ ଶ୍ରୀଜଗନ୍ନାଥ ଚେତନାର ମହତ୍ତ୍ୱ ସୂଚିତ କରେ।
ପ୍ରତିବର୍ଷର ରଥଯାତ୍ରରେ ଏହି ତିନି ରଥକୁ ମୋଟ ୪ ଥର ଟଣାଯାଇଥାଏ। ୧. ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବାପାଇଁ; ୨. ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାପାଇଁ; ୩. ଶ୍ରୀଗୁଣ୍ଡିଚାମନ୍ଦିରଠାରେ ତିନି ରଥର ଦକ୍ଷିଣମୋଡ଼ ପାଇଁ; ଏବଂ ୪. ବାହୁଡ଼ାଯାତ୍ରାରେ ଶ୍ରୀଗୁଣ୍ଡିଚାମନ୍ଦିରଠାରୁ ସିଂହଦ୍ୱାରକୁ ଫେରିବା ପାଇଁ। ଏହି ରଥଟଣାର କ୍ରମ ଭିନ୍ନଭିନ୍ନ ହୋଇଥାଏ।
ରଥଖଳାଠାରୁ ସିଂହଦ୍ୱାରକୁ ତିନିରଥକୁ ଅଣାଯିବାପାଇଁ ପ୍ରଥମେ ଶ୍ରୀଜଗନ୍ନାଥ ରଥ ଏବଂ ତା’ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କ ରଥ ଟଣାଯାଏ। କିନ୍ତୁ ରଥଯାତ୍ରା ଦିନ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ଏବଂ ତା’ପରେ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଏ। ସେହିପରି, ଶ୍ରୀଗୁଣ୍ଡିଚାମନ୍ଦିରଠାରେ ଦକ୍ଷିଣମୋଡ଼ ବେଳେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ତା’ପରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଇଥାଏ। ଶେଷରେ ବାହୁଡ଼ାଯାତ୍ରାରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ, ତା’ପରେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଏ।
ତିନିରଥ ପ୍ରତି ସମଭାବ ପ୍ରଦର୍ଶନ ଓ ଯଥୋଚିତ ସମ୍ମାନ ଦେବାପାଇଁ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଏହି ବ୍ୟବସ୍ଥା କରାଯାଇଥିବା ମନେହୁଏ। ଏହା ସୂଚାଏ ଯେ ଅସମାନତା ଥିବା ସତ୍ତ୍ୱେ, ଉଚିତ ସମ୍ମାନ ସମସ୍ତଙ୍କର ପ୍ରାପ୍ୟ।