ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ। ସେଥିପାଇଁ ତିନିଟି ରଥ ନୂତନ ଭାବରେ ନିର୍ମାଣ କରାଯାଏ। ତେଣୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତିନିଟି ଯାକ ରଥର ନିର୍ମାଣ କାର୍ଯ୍ୟ ସଂପନ୍ନ ହେବାପାଇଁ, ବିଧିବ୍ୟବସ୍ଥା ନିର୍ଦ୍ଧାରିତ ହୋଇଛି। ସେହି ଅନୁସାରେ, ନିର୍ଦ୍ଦିଷ୍ଟ ତିଥିରେ, ରଥର ନିର୍ଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥାଏ।
ପୁରୀ ବଡ଼ଦାଣ୍ଡର ଯେଉଁ ଅଂଶରେ ରଥନିର୍ମାଣ କରାଯାଏ, ତାହାର ନାମ ‘ରଥଖଳା’। ତିନିରଥର ନିର୍ମାଣ ପାଇଁ ସେଠାରେ ତିନିଖଣ୍ଡି କାଠର ଅନୁକୂଳ ପୂଜା ହୁଏ ମାଘ ଶୁକ୍ଳ ପଞ୍ଚମୀ ବା ‘ଶ୍ରୀପଞ୍ଚମୀ’ ତିଥିରେ। ତାହାର ଯଥେଷ୍ଟ ପୂର୍ବରୁ, ନୟାଗଡ଼ର ବଡ଼ରାଉଳ ଦେବୀଙ୍କ ପୀଠରେ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇ ରଥକାଠ କଟା ଆରମ୍ଭ ହୋଇଥାଏ। ଶ୍ରୀପଞ୍ଚମୀ ପୂର୍ବରୁ ପ୍ରଥମ ରଥକାଠ ଆସି ରଥଖଳାରେ ପହଞ୍ଚେ।
Sambad is now on WhatsApp
Join and get latest news updates delivered to you via WhatsApp
ତିନିରଥପାଇଁ ତିନିଠାକୁରଙ୍କଠାରୁ ଆଜ୍ଞାମାଳ ଆସି ରଥନିର୍ମାଣର ଶୁଭ ଅନୁକୂଳ ହୁଏ ବୈଶାଖ ଶୁକ୍ଳ ତୃତୀୟା ବା ‘ଅକ୍ଷୟ ତୃତୀୟା’ରେ। କିନ୍ତୁ ତାହା ପୂର୍ବରୁ, ରଥକାଠ ଚିରଟର ଶୁଭ ଅନୁକୂଳ ହୋଇଥାଏ ଚୈତ୍ର ଶୁକ୍ଳ ନବମୀ ବା ‘ରାମନବମୀ’ରେ। ଅକ୍ଷୟ ତୃତୀୟାର ରଥ ଅନୁକୂଳ ପରେ, ରଥର ଗୁଜ ଅନୁକୂଳ ହୁଏ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ‘ନୃସିଂହ ଚତୁର୍ଦ୍ଦଶୀ’ରେ। ଏହିଦିନ ରଥଗୁଜରେ ଶ୍ରୀନୃସିଂହଙ୍କର ମୂର୍ତ୍ତି ଖୋଦନ କରାଯାଇ ରଥର ରୂପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଏ।
ଏହାପରର ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରାର ବିଂଶତିତମ ଦିବସ ବା ‘ଭଉଁରୀ’ ଉତ୍ସବ। ବିଧି ଅନୁସାରେ, ସେହିଦିନ ହୁଏ ତିନିରଥର ‘ଚକ ଡେରା’। ପ୍ରତି ରଥର ଅନ୍ତତଃ ଦୁଇଟି ଲେଖାଏଁ ଚକରେ ଅଖ ଲାଗେ ଏବଂ ତିନିରଥର ସେହି ତିନିଯୋଡ଼ା ଚକକୁ ତିନି ଠାକୁରଙ୍କର ଆଜ୍ଞାମାଳ ଦିଆଯାଏ। ଏହାପରେ, ତିନିରଥର ‘ଚାରି ନାହାକା ଡେରା’ର ଅନୁକୂଳ ହୁଏ ଜ୍ୟେଷ୍ଠ ପୂର୍ଣ୍ଣିମା ବା ‘ସ୍ନାନପୂର୍ଣ୍ଣିମା’ ଦିନ। ତାହାର ଦୁଇ ସପ୍ତାହ ପରେ, ଆଷାଢ଼ ଶୁକ୍ଳ ପ୍ରତିପଦା ବା ‘ନେତ୍ରୋତ୍ସବ’ ଦିନକୁ ରଥ ନିର୍ମାଣ ସରି ଏବଂ ରଥର ସମସ୍ତ ସାଜସଜ୍ଜା ସଂପୂର୍ଣ୍ଣ ହୋଇ, ତିନିରଥ ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ପ୍ରସ୍ତୁତ ହୋଇଯାଏ।
ଆମ ସମସ୍ତଙ୍କ ପାଇଁ ଏହି ବିଧିବ୍ୟବସ୍ଥାର ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ହେଉଛି- ନିର୍ଦ୍ଦିଷ୍ଟ ଅବଧିରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପନ୍ନ ହେବା ପାଇଁ କଠୋର ଶୃଙ୍ଖଳା ଆବଶ୍ୟକ। ତାହା ହେଲେ ହିଁ ଜୀବନର ରଥ ସମୟର ବଡ଼ଦାଣ୍ଡରେ ନିର୍ବିଘ୍ନରେ ଗଡ଼ିଥାଏ।