ମୁହଁରେ ବ୍ରଣ ଉଠି ତ୍ବଚାକୁ କଦର୍ଯ୍ୟ କରିବା ସହ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ତେବେ କଣ୍ଟାକୁ କଣ୍ଟାରେ କାଢ଼ିବା ନ୍ୟାୟରେ ବୈଜ୍ଞାନିକମାନେ ଏବେ ତାହାର ଉପଚାର ପାଇଁ ଏକ ଅଭିନବ କୌଶଳ ବିକଶିତ କରିଛନ୍ତି। ଆମ ଚର୍ମରେ ରହିଥିବା ବିଭିନ୍ନ ପ୍ରକାର ବୀଜାଣୁମାନଙ୍କ ଭିତରେ ‘କ୍ୟୁଟିବ୍ୟାକ୍ଟେରିଅମ୍ ଆକ୍ନିସ୍’ ହେଉଛି ଅନ୍ୟତମ। ଏହା ଆମ ଚର୍ମକୁ ବାହ୍ୟ ସୁରକ୍ଷା ଯୋଗାଇଥାଏ। ତେଣୁ ଆମ ଚର୍ମ ପାଇଁ ଏହା ଏକ ଅପରିହାର୍ଯ୍ୟ ବୀଜାଣୁ। ଏହା ଚର୍ମର ଲୋମକୂପ ବାଟେ ଚର୍ମର ଅଭ୍ୟନ୍ତରକୁ ପଶି ‘ସିବମ୍’ ନାମକ ଏକ ପ୍ରକାର ତୈଳୀୟ ପଦାର୍ଥ ଝରାଇଥାଏ। ଏହା ଚର୍ମ ଉପରେ ଆଖପାଖ ମୃତକୋଷମାନଙ୍କୁ ଅଠା ପରି ଏକାଠି କରି ଚର୍ମରେ ରହିଥିବା ରନ୍ଧ୍ରଗୁଡ଼ିକୁ ଅବରୋଧ କରିଦେଇଥାଏ, ଯାହା ଚର୍ମ ଉପରେ ବ୍ରଣ ସୃଷ୍ଟିର କାରଣ ସାଜିଥାଏ।
ତ୍ବଚାକୁ ସୁନ୍ଦର କରିବା ପାଇଁ ବ୍ୟବହୃତ ବୀଜାଣୁନାଶକ କ୍ରିମ୍ ଦ୍ବାରା ଉପକାରୀ ବୀଜାଣୁମାନଙ୍କର ମଧ୍ୟ ମୃତ୍ୟୁ ଘଟିଥାଏ।
ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବାର୍ସିଲୋନାସ୍ଥିତ ପମ୍ପେଉ ଫାବ୍ରା ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଅଭିନବ ସମାଧାନ ବାହାର କରିଛନ୍ତି।
ବହୁ ପରିମାଣର ସିବମ୍ ଓ ମୃତ କୋଷ ମିଶି ବ୍ରଣର ଆକାର ବଢ଼ାଇଥାନ୍ତି। ତେବେ ବ୍ରଣକୁ ଭଲ କରିବା ଲାଗି ଆମେ ସାଧାରଣତଃ ଆଣ୍ଟିବ୍ୟାକ୍ଟେରିଆ କ୍ରିମ୍ ବ୍ୟବହାର କରିଥାଉ। ମାତ୍ର ତ୍ବଚାକୁ ସୁନ୍ଦର କରିବା ପାଇଁ ବ୍ୟବହୃତ ବୀଜାଣୁନାଶକ କ୍ରିମ୍ ଦ୍ବାରା ଉପକାରୀ ବୀଜାଣୁମାନଙ୍କର ମଧ୍ୟ ମୃତ୍ୟୁ ଘଟିଥାଏ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବାର୍ସିଲୋନାସ୍ଥିତ ପମ୍ପେଉ ଫାବ୍ରା ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଅଭିନବ ସମାଧାନ ବାହାର କରିଛନ୍ତି। ସେମାନେ ଉକ୍ତ ବୀଜାଣୁର ଗୁଣସୂତ୍ରରେ ସାମାନ୍ୟ ପରିବର୍ତ୍ତନ ଆଣି ଏକ ନୂତନ ପ୍ରଜାତିର ‘କ୍ୟୁଟିବ୍ୟାକ୍ଟେରିଅମ୍ ଆକ୍ନିସ୍’ ଉଦ୍ଭବ କରାଇଛନ୍ତି। ଏହି ନୂତନ ବୀଜାଣୁ ସିବନ କ୍ଷରଣକୁ ହ୍ରାସ କରାଇ ବ୍ରଣ ସୃଷ୍ଟିକୁ କମାଇପାରିବ। ତେବେ ଏହି ନୂଆ ପ୍ରଜାତିର ବୀଜାଣୁର ପରୀକ୍ଷା ନିରୀକ୍ଷା ମୂଷା ଚର୍ମ ଉପରେ ସଫଳ ହୋଇଥିବା ବେଳେ ମନୁଷ୍ୟ ଚର୍ମରେ ତାହାର ଅନୁକୂଳ ପ୍ରଭାବ ପାଇଁ ଗବେଷଣା ଜାରି ରହିଛି।