ରେଖା ପଞ୍ଚମୀ- ରକ୍ଷକ ‘ବଟୁକ ଭୈରବ’

ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଶ୍ରୀମନ୍ଦିର ପରମ୍ପରାରେ ଏକ ବିଶେଷ ଦିନ। ଏହିଦିନ ଠାକୁରମାନେ ସୁବର୍ଣ୍ଣ ରାହୁରେଖା ଲାଗି ହୋଇଥାଆନ୍ତି। ଠାକୁରମାନଙ୍କର ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନ ପୂର୍ଣ୍ଣିମା ରାତିରେ ଅଣସର ଘରେ ଉଲାଗି ହୋଇଥାଏ, ସେଥିମଧ୍ୟରୁ ରତ୍ନଚିତା ଚିତାଲାଗି ଅମାବାସ୍ୟାଦିନ ଶ୍ରୀଅଂଗରେ ଲାଗି କରାଯାଇଥାଏ। କିନ୍ତୁ ଭାଦ୍ରବ କୃଷ୍ଣ ପଞ୍ଚମୀ ଦିନ ତାଙ୍କର ମସ୍ତକରେ ସୁବର୍ଣ୍ଣ ରାହୁରେଖା ଲାଗି ହୁଏ। ଏହି ଦୃଷ୍ଟିରୁ ଦିନଟି ‘ରେଖା ପଞ୍ଚମୀ’ ନାମରେ ନାମିତ ହୋଇଛି।

ଏହିଦିନ ଓଡ଼ିଶାର କେତେକ ଅଞ୍ଚଳରେ ଏକ ବିଶେଷ ଦ୍ୱାରପୂଜା ନୀତି ଅନୁଷ୍ଠିତ ହୁଏ। ତାହାକୁ ‘ରକ୍ଷାପଞ୍ଚମୀ’ ପୂଜା କହନ୍ତି। ସାଧାରଣତଃ ଗୃହସ୍ଥମାନେ ସର୍ପ, ପଶୁ ଓ ଭୂତ, ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପୂଜାବିଧିର ଆୟୋଜନ କରିଥାନ୍ତି।

ଏହି ପୂଜାର ଇଷ୍ଟଦେବ ହେଉଛନ୍ତି ‘ବଟୁକ ଭୈରବ’। ସାଧାରଣତଃ କେତେକ ଶିବ ମନ୍ଦିରର ଦ୍ୱାରଦେଶରେ ବଟୁକ ଭୈରବଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖାଯାଏ। ‘ଭୈରବ’ ଶବ୍ଦର ଅର୍ଥ, ଯେ ଭରଣ (ବ୍ରହ୍ମାଣ୍ଡ)ର ରକ୍ଷକ। ‘ଶିବପୁରାଣ’ରେ ବର୍ଣ୍ଣିତ ୬୪ ଭୈରବଙ୍କ ମଧ୍ୟରୁ ଏ ଅନ୍ୟତମ। ଚତୁର୍ଭୁଜ ଓ ତ୍ରିନେତ୍ର ବିଶିଷ୍ଟ ଏ ଏକ ଉଲଗ୍ନ ମୂର୍ତ୍ତି। କଟିସୂତ୍ର ଭାବରେ ତାଙ୍କର କଟିରେ ସର୍ପ ରହିଥାଏ। ସାଧାରଣତଃ ଶୂଳ, ସର୍ପ, ଡ଼ମ୍ବରୁ ଓ ମାଂସ ଖଣ୍ଡ ସେ ହସ୍ତରେ ଧାରଣ କରିଥାଆନ୍ତି। ତାଙ୍କ ସହିତ ଗଣେଶ ରହିଥାନ୍ତି। ବାହନ ଭାବରେ ଏକ କୁକୁର ତାଙ୍କ ନିକଟରେ ଥାଏ। ଚାରିପାଖରେ ପିଶାଚଗଣ ରହିଥାନ୍ତି।

କଥିତ ଅଛି ଯେ ଏହାଙ୍କୁ ପୂଜନ କରିବା ଦ୍ୱାରା ଗୃହସ୍ଥ ଭୟମୁକ୍ତ ହୋଇଥାନ୍ତି। ସେଥିପାଇଁ ସେମାନେ ଚିତ୍ରଶିଳ୍ପୀଙ୍କୁ ଡ଼ାକି ଗୃହର ପ୍ରବେଶ ଦ୍ୱାରରେ ଗଣେଶ ଓ ବାରିଦ୍ୱାରରେ ବଟୁକ ଭୈରବଙ୍କର ମୂର୍ତ୍ତି ଅଙ୍କନ କରନ୍ତି। ବଟୁକ ଭୈରବଙ୍କର ପ୍ରାର୍ଥନା ମନ୍ତ୍ର ହେଉଛି-
“ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର
ଭାଦ୍ରବକୃଷ୍ଣଂ ପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱରମ୍ ।”

ବିଧି ଅନୁସାରେ ଏହି ମନ୍ତ୍ରକୁ ଏକ ତାଳପତ୍ରରେ ଲେଖି, କିଛି ଦୂବ ଓ ଅରୁଆଚାଉଳ ସହିତ ବାନ୍ଧି, ଦ୍ୱାରବନ୍ଧରେ ଝୁଲାଇ ଦିଆଯାଏ। ଏହାପରେ ବ୍ରାହ୍ମଣ ଆସି ଯଥାରୀତି ବଟୁକ ଭୈରବଙ୍କୁ ଆବାହନ କରି ତାଙ୍କର ପୂଜା ସଂପନ୍ନ କରିଥାନ୍ତି । ରାତ୍ରିକାଳରେ ଗୃହସ୍ଥମାନେ ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି ବାରିଦୁଆର ପାଖରେ ପଶୁପକ୍ଷୀ, ସର୍ପ ଓ ପିଶାଚ ମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି। ବିଶେଷକରି ପୁରୀ ଜିଲ୍ଲାର ଚିତ୍ରକାରମାନେ ଏହି ଅବସରରେ ଘର ଘର ବୁଲି ଗୃହସ୍ଥମାନଙ୍କର ଦୁଆରର କବାଟ ଓ କାନ୍ଥରେ ଏହି ଚିତ୍ର ଅଙ୍କନ କରିଥାନ୍ତି।

-ଡକ୍‌ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର