 ଆଣ୍ଠୁ ପ୍ରତିସ୍ଥାପନ କାହିଁକି ଜରୁରି?
ଆଣ୍ଠୁ ପ୍ରତିସ୍ଥାପନ (ନି’ ରିପ୍ଲେସ୍‌ମେଣ୍ଟ୍‌) ଅସ୍ତ୍ରୋପଚାର ଏକ ସାଧାରଣ ପ୍ରକ୍ରିୟା ଯାହା ଗଭୀର ଆଣ୍ଠୁଗଣ୍ଠି ବାତ ବା ଆଣ୍ଠୁ ଆଘାତପ୍ରାପ୍ତ ରୋଗୀଙ୍କ ଯନ୍ତ୍ରଣାକୁ ଦୂର କରିବା ସହ ସେମାନଙ୍କୁ ପୁନର୍ବାର ସ୍ବାଭାବିକ ଭାବେ ଚଳପ୍ରଚଳ କରିବାରେ ସାହାଯ୍ୟ କରିଥାଏ। ପାରମ୍ପରିକ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାର ରୋଗୀଙ୍କ ଜୀବଳଶୈଳୀରେ ଉନ୍ନତି ଆଣିବାରେ ସଫଳ ହେଉଥିବା ବେଳେ ପ୍ରଯୁକ୍ତିବିଦ୍ୟାର ବିକାଶ ଯୋଗୁଁ ରୋବୋଟିକ୍ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାର ଏବେ ଚିକିତ୍ସା ବିଜ୍ଞାନ ପାଇଁ ବରଦାନ ହୋଇଛି। 
 ରୋବୋଟିକ୍‌ ଆଣ୍ଠୁ ପ୍ରତିସ୍ଥାପନ କିଭଳି ହୁଏ?
‘ରୋବୋଟିକ୍‌ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାର’ କମ୍ପ୍ୟୁଟର ସିଷ୍ଟମ ଦ୍ବାରା ପରିଚାଳିତ। କମ୍ପ୍ୟୁଟର ମାଧ୍ୟମରେ ରୋଗୀ ଆଣ୍ଠୁର ଏକ ୩-ଡି ମଡେଲ୍‌ ପ୍ରସ୍ତୁତ ହୁଏ। ଅସ୍ତ୍ରୋପଚାର ସମୟରେ ସର୍ଜନଙ୍କୁ ସାହାଯ୍ୟ କରିବା ପାଇଁ ରୋବୋଟିକ୍ ଆର୍ମର ବ୍ୟବହାର କରାଯାଇଥାଏ। ରୋବୋଟିକ୍ ଆର୍ମରେ ଅସ୍ତ୍ରୋପଚାର ଉପକରଣ ରହିଥାଏ। ଏହି ଉପକରଣଗୁଡ଼ିକୁ ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ପରିଚାଳିତ କରାଯାଏ। ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଠିକ୍‌ ପ୍ରତିସ୍ଥାପନ ସମ୍ଭବ ହୁଏ ଏବଂ ଏହା ଅସ୍ତ୍ରୋପଚାରକୁ ଅଧିକ ସଫଳ କରିବାରେ ସାହାଯ୍ୟ କରେ। 
 ପାରମ୍ପରିକ ଅସ୍ତ୍ରୋପଚାର ତୁଳନାରେ ରୋବୋଟିକ୍‌ କାହିଁକି ଭଲ?
ରୋବୋଟିକ୍ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାରର ଅନ୍ୟତମ ପ୍ରମୁଖ ଲାଭ ହେଉଛି ଏହାର ସଠିକତା। ପାରମ୍ପରିକ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାରରେ ସର୍ଜନ ନିଜେ ହାତରେ କ୍ଷତିଗ୍ରସ୍ତ ଅସ୍ଥି ଓ କାର୍ଟିଲେଜ ବାହାର କରିଥା’ନ୍ତି। ଏହାଦ୍ୱାରା ପ୍ରତିସ୍ଥାପନ ସମୟରେ ଛୋଟ ଛୋଟ ତ୍ରୁଟି ରହିବାର ଆଶଙ୍କା ଥାଏ। ଯାହାଦ୍ବାରା ଅସ୍ତ୍ରୋପଚାର ପରେ ଆଣ୍ଠୁର ଚଳାଚଳ କମ୍ ସ୍ବାଭାବିକ ଅନୁଭୂତ ହୋଇପାରେ। ଅପରପକ୍ଷେ, ରୋବୋଟିକ୍ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାର ଦ୍ୱାରା ସର୍ଜନ ଅଧିକ ସଠିକ୍‌ ଛିଦ୍ର କରି କେବଳ ଆବଶ୍ୟକ କ୍ଷତିଗ୍ରସ୍ତ ଅସ୍ଥି ଓ କାର୍ଟିଲେଜକୁ ବାହାର କରିଥାଆନ୍ତି। ଏହାପରେ ନୂତନ ଆଣ୍ଠୁ ପ୍ରତିସ୍ଥାପନକୁ ସଠିକ୍‌ ସ୍ଥାନରେ ସ୍ଥାନାନ୍ତର ପାଇଁ ରୋବୋଟିକ୍ ଆର୍ମ ବ୍ୟବହାର କରାଯାଇଥାଏ। ଯାହା ଫଳରେ ଅସ୍ତ୍ରୋପଚାର ପରେ ରୋଗୀର ଆଣ୍ଠୁ ଅଧିକ ସ୍ବାଭାବିକ ଅନୁଭବ କରିଥାଏ।
 ରୋବୋଟିକ୍ ଅସ୍ତ୍ରୋପଚାରର ଲାଭ କ’ଣ?
ରୋବୋଟିକ୍ ସହାୟତାରେ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାରର ଆଉ ଏକ ଲାଭ ହେଉଛି, ଏହି ଅସ୍ତ୍ରୋପଚାର ପରେ ରୋଗୀ ଖୁବ୍‌ ଶୀଘ୍ର ସ୍ବାଭାବିକ ଜୀବନ‌କୁ ଫେରିପାରେ। ଯେହେତୁ ରୋବୋଟିକ୍ ଆର୍ମ ଅଧିକ ସଠିକ୍‌ ଅସ୍ତ୍ରୋପଚାର ଦ୍ବାରା କ୍ଷତ ଓ ପ୍ରତିରୋପଣ ସ୍ଥାନ ନିର୍ଦ୍ଧାରଣ କରିଥାଏ, ଅସ୍ତ୍ରୋପଚାର ପରେ ରୋଗୀ କମ୍ ଯନ୍ତ୍ରଣା ଅନୁଭବ କରିଥା’ନ୍ତି। ଏହାଦ୍ୱାରା ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିବା ସହ ଦୈନନ୍ଦିନ କାର୍ଯ୍ୟକଳାପକୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରେ।
 କମ୍ପ୍ୟୁଟରଗତ ତ୍ରୁଟି ଯୋଗୁଁ ଅସ୍ତ୍ରୋପଚାର ପରେ ଆଣ୍ଠୁରେ ସମସ୍ୟା ଦେଖାଯାଏ ନାହିଁ ତ?
ନା, ଏହାର ସଠିକତା ଖୁବ୍‌ ଅଧିକ। ଗବେଷଣାରୁ ଜଣାପଡ଼ିଛି, ରୋବୋଟିକ୍ ଆଣ୍ଠୁ ପ୍ରତିସ୍ଥାପନ ଅସ୍ତ୍ରୋପଚାର କରିଥିବା ରୋଗୀମାନେ ସେମାନଙ୍କର ଅସ୍ତ୍ରୋପଚାର ଆଣ୍ଠୁକୁ ନେଇ ଅଧିକ ସନ୍ତୋଷ ଅନୁଭବ କରୁଥିବା ବେଳେ ସେମାନଙ୍କ ଆଣ୍ଠୁ ଚଳାଚଳରେ ଉନ୍ନତି ଦେଖାଯାଇଥାଏ। ଏହାବ୍ୟତୀତ ରୋବୋଟିକ୍ସର ବ୍ୟବହାର ଦ୍ୱାରା ଅସ୍ତ୍ରୋପଚାର ସମୟରେ କୌଣସି ପ୍ରକାର ଅପ୍ରୀତିକର ଜଟିଳତା ଦେଖାଯିବାର ଆଶଙ୍କା କମ୍ ରହିଥାଏ।